ନୂଆଦିଲ୍ଲୀ: ୧୫ ମାସର ଘମାଘୋଟ ଯୁଦ୍ଧରେ ପଡ଼ିବ କି ଯବନିକା ! ବନ୍ଦ ହେବ କି ହମାସ୍-ଇସ୍ରାଏଲ ଯୁଦ୍ଧ ! ହମାସ୍- ଇସ୍ରାଏଲ ଯୁଦ୍ଧ ବନ୍ଦ ନେଇ ସହମତି ହୋଇଥିବା ସୂଚନା ମିଳିଛି । ଗାଜାରେ ଯୁଦ୍ଧ ରୋକିବା ଉପରେ ଉଭୟ ପକ୍ଷରୁ ସହମତି ହୋଇଛି । ସେପଟେ ଅସ୍ତ୍ରବିରତି ପାଇଁ ହମାସ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି । ଉଭୟ ଦେଶ ସହମତି ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ସୂଚନା ମିଳିଛି । ଏଥିସହ ବନ୍ଧକଙ୍କୁ ମୁକ୍ତ କରିବା ଉପରେ ମଧ୍ୟ ସହମତି ହୋଇଛି ।
ଦୀର୍ଘ ଦିନର ମଧ୍ୟସ୍ଥତା ପ୍ରୟାସ ପରେ ଏହି ଚୁକ୍ତିରେ ସହମତି ହୋଇଛନ୍ତି ଉଭୟ ଇସ୍ରାଏଲ-ହମାସ୍ । ତେବେ ଚୁକ୍ତିନାମା ବୁଝାମଣା ସମୟର ଶେଷ ମୁହୂର୍ତ୍ତରେ କିଛି ବାଧା ଉପୁଜିଥିଲା । ଇସ୍ରାଏଲ୍ ଦାବି କରିଛି ଯେ ହମାସ ମିଶର ସୀମାରେ ସୁରକ୍ଷା ବ୍ୟବସ୍ଥା ସହ ଜଡିତ ଚୁକ୍ତିନାମାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। ତେବେ ଆଲୋଚନାରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରୁଥିବା କତାରର ପ୍ରଧାନମନ୍ତ୍ରୀ ଉଭୟ ପକ୍ଷଙ୍କ ସହ ପୃଥକ ବୈଠକ କରିଥିଲେ ଏବଂ ଏହା ପରେ ବିବାଦର ସମାଧାନ ହୋଇଥିଲା ବୋଲି ଶୁଣାଯାଉଛି ।
ସୂଚନାଯୋଗ୍ୟ, ଗତ ୭ ଅକ୍ଟୋବର ୨୦୨୩ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣର କରିଥିଲା । ସେବେଠାରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ଆକ୍ରମଣରେ ୧,୨୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ଥିଲେ। ହାମାସ ଇସ୍ରାଏଲର ୨୫୧ ଜଣଙ୍କୁ ମଧ୍ୟ ବନ୍ଧକ ରଖିଥିଲା । ସେଥିମଧ୍ୟରୁ ୯୪ ଜଣ ଏବେ ମଧ୍ୟ ବନ୍ଧକ ଅଛନ୍ତି । ଏହାର ଜବାବରେ ଇସ୍ରାଏଲ ଗାଜା ବିରୋଧରେ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଥିଲା, ଯାହା ଫଳରେ ୪୬,୭୦୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଯୁଦ୍ଧ ଦ୍ଵାରା ଗାଜାର ୨.୩ ମିଲିୟନ ଜନସଂଖ୍ୟାରେ ବ୍ୟାପକ କ୍ଷତି ଘଟିଥିଲା ଏବଂ ଅଧିକାଂଶ ଲୋକ ବିସ୍ଥାପିତ ହୋଇଥିଲେ।
ଏହି ବିବାଦର ଅନ୍ତ ଘଟାଇବା ପାଇଁ ଆମେରିକା, ଇଜିପ୍ଟ ଏବଂ କତାର ଗତ ୧ ବର୍ଷ ଧରି ମଧ୍ୟସ୍ଥତା କରିଥିଲେ। ଅନେକ ବାଧା ପରେ ଆଲୋଚନା ଆରମ୍ଭ ହୋଇଥିଲା। ସାମ୍ପ୍ରତିକ ଚୁକ୍ତିନାମାର ମୌଳିକ ସର୍ତ୍ତାବଳୀ ୨୦୨୪ ମଧ୍ୟଭାଗରେ ସ୍ଥିର କରାଯାଇଥିଲା | ତେବେ ଚୁକ୍ତିନାମା ଘୋଷଣା ପୂର୍ବରୁ ମଧ୍ୟ ଇସ୍ରାଏଲ ଗାଜାରେ ୫୦ ଟି ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅତି କମରେ ୧୩ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିଲା ।