ଭୁବନେଶ୍ୱର/ପୁରୀ: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହେବା ପରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି।
ଗତ ସୋମବାର ଦିନ ପୁରୀରେ ଥିବା ଏକ ପୋଲିସ କ୍ୱାଟର ମଧ୍ୟରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀଙ୍କୁ ଗିରଫ କରାଯାଇଥିଲା ।
ଏସମ୍ପର୍କରେ ପୁରୀରେ ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ଡିଆଇଜି (ସେଣ୍ଟ୍ରାଲ୍) ଆଶିଷ ସିଂହ କହିଛନ୍ତି, ଅଭିଯୁକ୍ତଙ୍କ ସର୍ଭିସ୍ ବୁକରେ ୯ଟି କଳାଦାଗ ରହିଛି । ଏଥିସହିତ ପୁରୀ ଏସପି ତାଙ୍କୁ ଗତ ଫେବୃଆରୀ ମାସରେ କାର୍ଯ୍ୟରୁ ବହିଷ୍କାର କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ପୁନଃନିଯୁକ୍ତି ମିଳିଥିଲା ।
“ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପଚରାଉଚରା କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ଶ୍ରୀ ସିଂହ କହିଛନ୍ତି ।
ଆହୁରି ମଧ୍ୟ ମଙ୍ଗଳବାର ଦିନ ବିଜେପି ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଓଡିଶାରେ ଏହିଭଳି ଅଘଟଣ ବଢିବାରେ ଲାଗିଛି । ଏଥିସହିତ ଯାଜପୁରରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ବେଳେ ପାଇକମାଳରେ ଜଣେ ଦଳିତ ମହିଳାଙ୍କ ସହ ଓ ପିପିଲିରେ ଜଣେ ୧୯ ବର୍ଷୀୟ ଝିଅ ମଧ୍ୟ ଦୁଷ୍କର୍ମର ଶିକାର ହୋଇଥିବା ନେଇ ସେ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ବିରୋଧି ଦଳ ନେତାଭାବେ ଶ୍ରୀ ନାଏକ ଗଣଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରିବା ଲାଗି ଦାବି କରିଛନ୍ତି । କାରଣ ଏହି ଘଟଣାରେ ଜଣେ ପୋଲିସ କର୍ମୀ ସମ୍ପୃକ୍ତ ଥିବାବେଳେ ପୋଲିସର ତଦନ୍ତ ନିରପେକ୍ଷ ହୋଇନପାରେ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଗୃହ ମନ୍ତ୍ରଣାଳୟ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି । ତେଣୁକରି ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍ ।
ଉଲ୍ଲେଖଯୋଗ୍ୟ, ଏହି ଘଟଣାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଶତାଧିକ କଂଗ୍ରେସ କର୍ମୀମାନେ ଏକ କ୍ୟାଣ୍ଡେଲ୍ ର୍ୟାଲି କରିବା ସହ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ପରେ ଶିଶୁଭବନ ଛକ ଠାରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।