Latest Odisha News

BREAKING NEWS

ସବୁ ରେକର୍ଡ ଭାଙ୍ଗିଲା ଲର୍ଣ୍ଣର୍ ଲାଇସେନ୍ସ; ୩ ମାସରେ ଆବେଦନ କଲେ ୫.୮୭ ଲକ୍ଷ ଲୋକ !

ଭୁବନେଶ୍ୱର: ଗତ ୩ ମାସରେ ସବୁ ରେକର୍ଡ ଭାଙ୍ଗିଛି ଲାଇସେନ୍ସ ଆବେଦନ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କିପରି ଜନସାଧାରଣ ଲାଇସେନ୍ସ କରିବାକୁ ମନ ବଳେଇଛନ୍ତି ତାର ପରିସଂଖ୍ୟନ ଏବେ ସାମ୍ନାକୁ ଆସିଛି ।

ରାଜ୍ୟରେ ବର୍ତ୍ତମାନ ନୂଆ ମୋଟର ଯାନ ଆଇନ୍‌ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ପୂର୍ବରୁ ମନ ବଳାଉନଥିବା ଗାଡ଼ି ମାଲିକମାନେ ଏବେ ଏହାକୁ ନେଇ ଆର୍‌ଟିଓ ଅଫିସ୍‌ ସମ୍ମୁଖରେ ପ୍ରତ୍ୟେହ ଗହଳିଚହଳି ଲଗାଉଛନ୍ତି ।

ପରିବହନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ସମଗ୍ର ରାଜ୍ୟରେ ୨୦୧୯ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ମୋଟ ୫.୮୭ ଲକ୍ଷ ଲୋକ ଲର୍ଣ୍ଣର୍ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ଗତବର୍ଷ (୨୦୦୮) ଯେତିକି ଲାଇସେନ୍ସ ଆବେଦନ ହୋଇଥିଲା ଗଲା ୩ ମାସରେ ତାହାର ୨ ଗୁଣା ଆବେଦନ ହୋଇଛି ।

ରିପୋର୍ଟ ଅନୁଯାୟୀ, ୨୦୧୮ ବର୍ଷରେ ଏହାର ଆବେଦନ ୩.୪୮ଲକ୍ଷ ଥିବା ବେଳେ ୨୦୧୮ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ମୋଟ ୮୪ହଜାର ଲର୍ଣ୍ଣର୍ ଲାଇସେନ୍ସ ଆବେଦନ ହୋଇଥିଲା । ବର୍ତ୍ତମାନ ଅର୍ଥାତ ୨୦୧୯ ବର୍ଷରେ ଏହି ୩ ମାସ ମଧ୍ୟରେ ତା ଠାରୁ ୭ଗୁଣା ଅଧିକ ଲାଇସେନ୍ସ ଆବେଦନ ହୋଇଥିବା ଜଣାପଡିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ପରିବହନ ବିଭାଗ ଏ ଦିଗରେ ଯଥେଷ୍ଟ ସଚେତନ ମଧ୍ୟ ରହିଛି । ଯଥା ଟେଷ୍ଟିଂ କ୍ଷମତା ପାଇଁ ଅଧିକ କମ୍ପ୍ୟୁଟର ଯୋଗାଇ ଦେବା ନିକଟସ୍ଥ ସ୍ଥାନ ଗୁଡ଼ିକରେ କ୍ୟାମ୍ପ ଖୋଲିବା, ଅଫିସ୍‌ ସମୟ ପରେ ମଧ୍ୟ ଅଫିସ୍‌ ଖୋଲା ରଖିବା ତଥା ଛୁଟିଦିନରେ ଅଫିସ୍‌ ଖୋଲା ରଖିବା, ଟେଷ୍ଟ ସ୍ଲଟ୍‌ ସମୟକୁ ହ୍ରାସ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ।

ଆବେଦନକାରୀ ଲର୍ଣ୍ଣର୍ ଲାଇସେନ୍ସ ପାଇବାର ମାସେ ମଧ୍ୟରେ ଡିଏଲ୍‌ ପାଇବା ପାଇଁ ଆବେଦନ କରିପାରିବେ ବୋଲି ପରିବହନ ସଚିବ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରର (ଆର୍‌ଟିଓ-୧) ସେପ୍ଟେମ୍ବର ରୁ ନଭେମ୍ବର ୨୦୧୯ ମଧ୍ୟରେ ମୋଟ ୪୭ହଜାର ୯୧୧ ଜଣଙ୍କୁ ଲର୍ଣ୍ଣର୍ ଲାଇସେନ୍ସ ପ୍ରଦାନ କରିଛି । ସେହିପରି ଗଞ୍ଜାମରେ ୩୫ହଜାର ୧୮୨, ଭୁବନେଶ୍ୱର-୨ ରେ ୨୭ହଜାର ୮୪୮ ଏବଂ ବାଲେଶ୍ୱରରେ ୨୨ହଜାର ୯୯୪ ଜଣଙ୍କୁ ଏହି ଲର୍ଣ୍ଣର୍ ଲାଇସେନ୍ସ ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷରେ ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି ୧୦୭୪ ପଲ୍ୟୁ ଟେଷ୍ଟିଂ ୟୁନିଟ୍‌କୁ ପିୟୁସି ଟେଷ୍ଟ କରିବା ପାଇଁ ଅନୁମତି ଦେଇଛି । ଗତ ୩ ମାସ ମଧ୍ୟରେ ୮୩୪ ୟୁନିଟ୍‌ ଏଥିରେ ଯୋଡ଼ି ହୋଇଛି । ୨୦୧୯ ସେପ୍ଟେମ୍ବର ୧ ପୂର୍ବରୁ ଏହି ଟେଷ୍ଟିଂ ୟୁନିଟ୍‌ର ସଂଖ୍ୟା ଥିଲା ମାତ୍ର ୨୪୦ ।

ଡିସେମ୍ବର ୩୧ ମଧ୍ୟରେ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ମାଧ୍ୟମରେ ଏହି ପ୍ରମାଣପତ୍ର ପାଇବା ପାଇଁ ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି ଅନୁମତି ଦେଇଛନ୍ତି । ୧୦୭୪ ପଲ୍ୟୁସନ ଟେଷ୍ଟିଂ ୟୁନିଟ୍‌ ମଧ୍ୟରେ ‘ବାହନ୍‌ ସର୍ଭର’ ମାଧ୍ୟମରେ ୧୦୪୪ଟି ଅନ୍‌ଲାଇନ୍‌ ଟେଷ୍ଟିଂ ୟୁନିଟ୍‌ ବ୍ୟବସ୍ଥା କରାଯାଇଛି ।

ଏହି ସମୟ ମଧ୍ୟରେ ମୋଟ ୨୧.୯ ଲକ୍ଷ ଗାଡ଼ି ଚାଳକଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପିୟୁସି ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.