Latest Odisha News

BREAKING NEWS

ଗାଜାପଟିର ଲାଲ ଇତିହାସ : ରକ୍ତ ଯୁଦ୍ଧ ଭିତରେ ବିତୁଛି ଜୀବନ, ଏବେ ପୁଣି ଆମେରିକାର ଆଖି

ନୂଆଦିଲ୍ଲୀ: ଇସ୍ରାଏ ଓ ହମାସ ମଧ୍ୟରେ ଚାଲିଥିବା ରକ୍ତ ଯୁଦ୍ଧ କିଛି ଦିନ ହେବ ବନ୍ଦ ହୋଇଛି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଯୁଦ୍ଧରେ ଏକପ୍ରକାର ବିରାମ ଲାଗିଛି । ଏହାରି ଭିତରେ ଏହି ଦୁଇ ଦେଶରୁ ଭଲ ଖବର ମଧ୍ୟ ଆସିଛି । ଆକ୍ରମଣରେ ବନ୍ଦ ରହିଥିବା ପଣ ବନ୍ଦୀଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହ ଗାଜାରୁ ବିସ୍ଥାପିତ ହୋଇଥିବା ଲୋକମାନେ ପୁଣି ସେମାନଙ୍କ ସ୍ଥାନକୁ ଫେରୁଛନ୍ତି । ଏ ତ ଥିଲା ନିକଟରେ ଘଟିଥିବା ଦୁଇ ଦେଶକୁ ନେଇ ଭଲ ଖବର । ହେଲେ ଏସବୁ ଭିତରେ ଆଉ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ପୂରା ବିଶ୍ୱ ଚକିତ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ଗାଜାପଟିକୁ ନେଇ ଦେଇଥିବା ମନ୍ତବ୍ୟ ପୂରା ବିଶ୍ୱରେ ହଇଚଇ ପକାଇଛି । ଟ୍ରମ୍ପ ତାଙ୍କର ଏକ ବୟାନରେ କହିଛନ୍ତି ଗାଜାପଟିରୁ ପାଲେଷ୍ଟାଇନ ଲୋକଙ୍କୁ ବିଦା କରିଦେବେ । ଏହାପରେ ଏହାକୁ ଆମେରିକା କବଜା କରିବ । ତେବେ ପ୍ରଶ୍ନ ଉଠୁଛି କାହିଁକି ଗାଜାପଟି ଉପରେ ଟ୍ରମ୍ପଙ୍କ ଆଖି ? କ’ଣ ରହିଛି ଏହାର ଇତିହାସ ? ଆସନ୍ତୁ ଜାଣିବା ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମଧ୍ୟରେ ବୁଧବାର ସାକ୍ଷାତ ହୋଇଥିଲା। ଏହା ପରେ ଉଭୟ ନେତା ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଗାଜା ଷ୍ଟ୍ରିପକୁ କବଜା କରିବା ନେଇ କହିବା ପରେ ଏବେ ଚର୍ଚ୍ଚା ଜୋର ହେଉଛି । ସବୁଠାରୁ ବଡ଼ କଥା ହେଉଛି ନେତାନ୍ୟାହୁ ଟ୍ରମ୍ପଙ୍କ କଥାକୁ ସମର୍ଥନ କରିଛନ୍ତି। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ବିବାଦ ପୁଣି ଥରେ ଆଲୋଚନାକୁ ଆସିଛି।

କେଉଁଠୁ ଆରମ୍ଭ ହୋଇଥିଲା ବିବାଦ

ପ୍ରଥମ ବିଶ୍ୱଯୁଦ୍ଧରେ ଅଟୋମ୍ୟାନ ସାମ୍ରାଜ୍ୟ ପରାସ୍ତ ହେବା ପରେ ବ୍ରିଟେନ ପାଲେଷ୍ଟାଇନ ଉପରେ ନିୟନ୍ତ୍ରଣ ହାସଲ କଲା, ଯେଉଁଠାରେ ଇହୁଦୀ ସଂଖ୍ୟାଲଘୁ ଓ ଆରବ ସଂଖ୍ୟାଗରିଷ୍ଠ ଲୋକ ବାସ କରୁଥିଲେ। ପାଲେଷ୍ଟାଇନରେ ଏକ ଇହୁଦୀ ହୋମ୍‌ଲାଣ୍ଡ ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ବ୍ରିଟେନକୁ ଦାୟିତ୍ବ ଦେଇଥିଲା, ଯାହା ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତାକୁ ବଢ଼ାଇ ଦେଇଥିଲା। ୧୯୨୦ ଏବଂ ୧୯୪୦ ଦଶକରେ ପାଲେଷ୍ଟାଇନରେ ଇହୁଦୀ ପ୍ରବାସୀମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଲା, କାରଣ ଅନେକ ଇହୁଦୀ ୟୁରୋପରୁ ନିର୍ଯାତନାରୁ ବର୍ତ୍ତିବା ପାଇଁ ପଳାୟନ କରିଥିଲେ ଏବଂ ହଲୋକଷ୍ଟ (ଗଣହତ୍ୟା) ପରେ ଏକ ନିରାପଦ ହୋମ୍‌ଲାଣ୍ଡ ସନ୍ଧାନରେ ଥିଲେ। ଇହୁଦୀ ଏବଂ ଆରବ ମଧ୍ୟରେ କଳହ ଏବଂ ବ୍ରିଟିସ ଶାସନକୁ ବିରୋଧ ମଧ୍ୟ ତୀବ୍ର ହେଲା।

୧୯୪୭ ମସିହାରେ ମିଳିତ ଜାତିସଂଘ ପାଲେଷ୍ଟାଇନକୁ ଅଲଗା ଇହୁଦୀ ଏବଂ ଆରବ ରାଷ୍ଟ୍ରରେ ବିଭକ୍ତ କରିବାକୁ ଭୋଟ୍ ଗ୍ରହଣ କରିଥିଲା। ସେତେବେଳେ ଜେରୁଜେଲମ ଅନ୍ତର୍ଜାତୀୟ ଶାସନ ଅଧୀନରେ ଥିଲା। ଇହୁଦୀ ନେତୃତ୍ୱ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ, କିନ୍ତୁ ଆରବ ପକ୍ଷ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏହା କେବେହେଲେ କାର୍ଯ୍ୟକାରୀ ହୋଇନଥିଲା। ୧୯୪୮ ମସିହାରେ, ବିବାଦର ଅନ୍ତ ଘଟାଇବାରେ ଅସମର୍ଥ ହୋଇ ବ୍ରିଟିସ କର୍ତ୍ତୃପକ୍ଷ ନିଜକୁ ପ୍ରତ୍ୟାହାର କରିନେଲେ ଏବଂ ଇହୁଦୀ ନେତାମାନେ ଇସ୍ରାଏଲର ପ୍ରତିଷ୍ଠା ଘୋଷଣା କଲେ। ଅନେକ ପାଲେଷ୍ଟିନୀୟ ଏହାକୁ ବିରୋଧ କରିଥିଲେ ଏବଂ ଯୁଦ୍ଧ ଆରମ୍ଭ ହୋଇଥିଲା। ପଡୋଶୀ ଆରବ ଦେଶଗୁଡ଼ିକ ସାମରିକ ବାହିନୀ ସହ ହସ୍ତକ୍ଷେପ କରିଥିଲେ। ଲକ୍ଷାଧିକ ପାଲେସ୍ତିନୀୟ ପଳାୟନ କରିଥିଲେ କିମ୍ବା ନିଜ ଘରୁ ବିତାଡ଼ିତ ହୋଇଥିଲେ ଯାହାକୁ ସେମାନେ ଅଲ ନାକବା କିମ୍ବା ‘ବିପର୍ଯ୍ୟୟ’ ବୋଲି କହିଥିଲେ।

ଧର୍ମସ୍ଥଳକୁ ନେଇ ବିବାଦ

ଜେରୁଜେଲମରେ ଅଲ-ଅକ୍ସା ମସଜିଦ ରହିଛି, ଯାହାକୁ ଇସ୍ଲାମର ସବୁଠୁ ପବିତ୍ର ମସଜିଦମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଜଣାଯାଇଥାଏ । ଏଠାରେ ଟେମ୍ପଲ ମାଉଣ୍ଟ ମଧ୍ୟ ରହିଛି, ଯେଉଁଠି ୟହୁଦୀ ଧର୍ମର ଲୋକମାନେ ପ୍ରାର୍ଥନା କରିଥାନ୍ତି । ସେହିପରି ୟରୁସଲମରେ ଇସାଇମାନଙ୍କ କ୍ୱାଟରରେ ଚର୍ଚ୍ଚ ଅଫ ଦ ହୋଲି ସ୍ପେଲକର ଅବସ୍ଥିତ ରହିଛି, ଯାହା କି ତାଙ୍କର ପ୍ରମୁଖ ସ୍ଥଳ ଅଟେ । ଏହି ସ୍ଥାନ ଇସା ମସିହଙ୍କ କାହାଣୀ, ମୃତ୍ୟୁ, ଶୁଳୀରେ ଚଢାଯିବା ଏବଂ ପୁନର୍ଜନ୍ମର କାହାଣୀର କେନ୍ଦ୍ର ଅଟେ । ଏହି କାରଣରୁ ତିନି ଧର୍ମର ଲୋକଙ୍କ ମଧ୍ୟରେ ଏହି ସହରକୁ ନେଇ ସଂଘର୍ଷ ହୋଇଥାଏ ।

ଗାଜା ଏବେ କାହା କବଜାରେ ?

୨୦୦୭ ମସିହାରୁ ଗାଜା ଷ୍ଟ୍ରିପ୍ ଇସଲାମିକ୍ ସନ୍ତ୍ରାସବାଦୀ ଗୋଷ୍ଠୀ ହାମାସ୍ ନିୟନ୍ତ୍ରଣରେ ଅଛି । ମୂଳରୁ ହାମାସ ଇସ୍ରାଏଲ ସହ ଶାନ୍ତି ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରିଆସିଛି । ଏବଂ ସବୁବେଳେ ଇସ୍ରାଏଲକୁ ଧ୍ୱଂସ କରିବାକୁ ଆହ୍ବାନ ଦେଇ ଆସିଛି । ଗତ କିଛି ବର୍ଷ ହେଲା ହାମାସ ଆତଙ୍କବାଦୀମାନେ ଗାଜାରୁ ଇସ୍ରାଏଲ୍ ଅଞ୍ଚଳ ଉପରେ ରକେଟ୍ ଆକ୍ରମଣ କରିଆସୁଛି । ୨୦୦୭ରୁ ହାମାସ୍ ଗାଜା ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଥିବାରୁ ଇସ୍ରାଏଲ୍ ଏହାକୁ ଏକ “ଶତ୍ରୁ ଅଞ୍ଚଳ” ଭାବରେ ଗଣନା କରେ ଏବଂ ଏହାର ସୀମାକୁ ସିଲ କରିଦେଇଛି । ଏହି ଅଞ୍ଚଳର ଜଳ, ସ୍ଥଳ ଏବଂ ବାୟୁ ସୀମା ଉପରେ ଇସ୍ରାଏଲ କଡ଼ା ନଜର ରଖିଥାଏ । କାରଣ ଏହିବାଟେ ଆତଙ୍କବାଦୀମାନେ ପ୍ରବେଶ କରି ଇସ୍ରାଏଲ ଉପରେ ଆକ୍ରମଣ କରିଥାନ୍ତି । ସେବେଠାରୁ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଆସୁଛି । ଅତୀତରେ ୨୦୦୮-୦୯, ୨୦୧୨, ୨୦୧୪ ଏବଂ ୨୦୨୧ ରେ ଇସ୍ରାଏଲ୍ ସହ ହମାସ ଆକ୍ରମଣ କରିଥିଲା ।

ସୂଚନାଥାଉକି, କେବଳ ପାଲେଷ୍ଟାଇନ ନୁହେଁ, ଇରାନକୁ ନେଇ ମଧ୍ୟ ଟ୍ରମ୍ପ ଯେଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ପଶ୍ଚିମ ଏସିଆ ସ୍ଥିତିକୁ ବିଗାଡିବାର ଆଉ ଏକ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି। ପୂର୍ବରୁ ଇରାନ ଉପରେ ଆମେରିକାର ଆର୍ଥିକ କଟକଣା ଲାଗାଇଥିବା ବେଳେ ଏବେ ଟ୍ରମ୍ପ ତାଙ୍କ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ ଇରାନ ବିରୋଧରେ ଆହୁରି କଠୋର ହୋଇଛନ୍ତି। ଆର୍ଥିକ କଟକଣାକୁ ଆହୁରି କଠିନ କରି ଇରାନ ବିରୋଧରେ ଅଧିକ ଚାପ ସୃଷ୍ଟି କରିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି। ପୂର୍ବରୁ ଟ୍ରମ୍ପଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପଛରେ ଇରାନର ହାତ ରହିଥିବା କୁହାଯାଇଥିଲା ବେଳେ ଟ୍ରମ୍ପ ଏହି କ୍ରମରେ ଇରାନକୁ ଚେତାବାନୀ ଦେଇଛନ୍ତି। ଯଦି ମୋତେ ପୁଣି ହତ୍ୟା କରିବାକୁ ଇରାନ ଉଦ୍ୟମ କରେ ତେବେ ଏହି ଦେଶର ଚିହ୍ନବର୍ଣ୍ଣ ରହିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

Comments are closed.