ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ବୁଧବାର କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଯାହାପରେ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ପୂର୍ବରୁ ତାରାଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି। ତେବେ ନାରୀ ନିର୍ଯାତନା ପ୍ରସଙ୍ଗ ଓ ବିଧାୟକମାନଙ୍କ ନିଲମ୍ବନକୁ ନେଇ ଗତକାଲି ରାତିରୁ ଏପର୍ଯ୍ୟନ୍ତ କଂଗ୍ରେସର ଧାରଣା ଓ ପ୍ରତିବାଦ ଜାରି ରହିଛି। ଏପରିକି କଂଗ୍ରେସକୁ ସାଥ୍ ଦେଇ ବ୍ୟାରିକେଡ୍ ଭାଙ୍ଗି ରାସ୍ତାକୁ ଆସି ପ୍ଲାକାର୍ଡ଼ ଧରି ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ।
ଗତକାଲି ବିରୋଧୀ କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ନିମନ୍ତେ ସାତଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ବିଧାୟକମାନେ ଗୃହ ନ ଛାଡ଼ି ଧାରଣାରେ ବସିବାରୁ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କରିଥିଲା କଂଗ୍ରେସ। ଏହି ଘଟଣାକୁ କଂଗ୍ରେସ ବିଧାୟ ତାରା ବାହିନୀପତି ନିନ୍ଦା କରିବା ସହ ଭାବବିହ୍ବଳ ହୋଇ କାନ୍ଦିପକାଇଥିବା ଦୃଶ୍ୟ ମଧ୍ଯ ଦେଖିବାକୁ ମିଳିଥିଲା।
Comments are closed.