ବିନିକା: ମନମାନି କରୁଛି ଟାଟା ପାୱାର୍ । ବିନା ନୋଟିସରେ କାଟୁଛି ବିଦ୍ୟୁତ ସଂଯୋଗ । ଟଙ୍କା ନେବା ସମୟ ହେବା ପୂର୍ବରୁ ଆସିଯାଉଛି ବିଲ୍ ମାତ୍ର ବିଦ୍ୟୁତ ସଂଯୋଗରେ ଢିଲା । ମନମାନି କରି ଲୋକଙ୍କୁ କରୁଛି ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ର ବହଳପଦର ଗ୍ରାମବାସୀ । ପ୍ରତିବାଦରେ ବୀରମହାରାଜପୁର-ଚାରମାଳ ରାସ୍ତାର ବହଲପଦର ଠାରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁସାରେ, ଟାଟା କମ୍ପାନୀର କର୍ମଚାରୀ ମାନେ ବହଲପଦର୍ ଗାଁକୁ କିଛି ଦିନ ତଳେ ବିଦ୍ୟୁତ୍ ବକେୟା ବିଲ ସଂଗ୍ରହ କରିବା ପାଇଁ ଯାଇଥିଲେ । ସେଠାରେ ପ୍ରତି ଗ୍ରାହକ ପିଛା ୨ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ତେବେ ଗ୍ରାମବାସୀ ପ୍ରତି ମାସରେ ନଗଦ ବିଲ ଦେଉ ଥିବାରୁ ହଜାରେ ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ବିଦ୍ୟୁତ୍ କର୍ମଚାରୀ ଓ ଅଧିକାରୀ ଦୁଇ ହଜାର ଟଙ୍କା ଦେବେ ନଚେତ୍ ବିଦ୍ୟୁତ୍ କାଟି ଦେବାକୁ ଧମକ ଦେଇଥିଲେ । କେବଳ ସେତିକି ନୁହେଁ ଗତକାଲି ହଠାତ୍ ବିନା ସୂଚନାରେ ବିଦ୍ୟୁତ୍ ବିଚ୍ଛିନ୍ନ କରିଥିବା ଅଭିଯୋଗ ହୋଇଛି ।
ଏବେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଗାଁ ଗାଁ ରେ ପାଣି ସମସ୍ୟା ରହିଛି । ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ବିଚ୍ଛିନ୍ନ କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। କେବଳ ସେତିକି ନୁହେଁ ବକେୟା ବିଦ୍ୟୁତ୍ ବିଲ ସଂଗ୍ରହ ନହେଲେ ବି ବିଦ୍ୟୁତ୍ ବିଚ୍ଛିନ୍ନ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତିମନ୍ତ୍ରୀ। ହେଲେ ସରକାରଙ୍କ ନିର୍ଦ୍ଦେଶ ବି ମାନୁନାହାନ୍ତି ବିଦ୍ୟୁତ୍ କର୍ମଚାରୀ ଓ ଅଧିକାରୀ । ତେବେ ବିଦ୍ୟୁତ୍ ସଂଯୋଗ ନହେବା ଯାଏଁ ଧାରଣା ରୁ ହଟିବୁ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ l
Comments are closed.