Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୬: ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ, କୀର୍ତ୍ତନ ତଥା ମନରେ ଯେ ସର୍ବଦା ଥାନ୍ତି ସେ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯେ ଭାଗବତ ମାନଙ୍କୁ ଆଶ୍ରୟ ଦେଇଥାନ୍ତି। ତେବେ ଏହି ଭାଗବତ ମାନେ କିଏ? ସରଳରେ କହିଲେ ଯିଏ ଶ୍ରୀମଦ ଭାଗବତ ଆଶ୍ରୟୀ ସେ ମଧ୍ୟ ଭାଗବତ। ଅର୍ଥାତ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ, କୀର୍ତ୍ତନ ତଥା ମନରେ ଯେ ସର୍ବଦା ଥାନ୍ତି ସେ ଭାଗବତ। ଶ୍ରୀମଦ ଭାଗବତ ଯଥାର୍ଥରେ ତାଙ୍କ ଲକ୍ଷଣ ଦର୍ଶାଇଛନ୍ତି
“ସର୍ବଭୂତେଷୁ ଯଃ ପଶ୍ୟେଦ
ଭଗବଭାଵମାତ୍ମନଃ ।
ଭୂତାନି ଭଗବତ୍ୟାତ୍ମନ୍ୟେଷୁ ଭାଗବତୋତ୍ତମଃ ।।

ଅର୍ଥାତ ଯେ ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରେ ନିଜର ଉପାସ୍ୟ ଭଗବାନଙ୍କ ବିଦ୍ୟମାନତା ଦର୍ଶନ କରନ୍ତି ଓ ନିଜ ଉପାସ୍ୟଙ୍କ ମଧ୍ୟରେ ସକଳ ପ୍ରାଣୀଙ୍କୁ ଦେଖନ୍ତି ସେହିଁ ଉତ୍ତମ ଭାଗବତ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଶ୍ରୀମଦ ଭାଗବତ ଉଭୟ ଭଗବାନ ଓ ଭକ୍ତ ରୂପୀ ଭାଗବତଙ୍କୁ ନିଜ ଅନ୍ତରରେ ଆଶ୍ରୟ ଦେଇଛନ୍ତି। ଶାସ୍ତ୍ର କହେ ଶ୍ରୀମଦ ଭାଗବତର ନିତ୍ୟ ସ୍ୱାଧ୍ୟାୟ ମାୟାବଦ୍ଧ ଜୀବଙ୍କୁ ମୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ଅଟେ। ଯଥା-

“ପରମ ଶାସ୍ତ୍ର ଭାଗବତ ।
ଅଭ୍ୟାସ କରୁଥିବ ନିତ୍ୟ ।।

ଏଥିରେ ବ୍ରହ୍ମସୂତ୍ର ଓ ଗାୟତ୍ରୀଙ୍କ ତତ୍ୱାର୍ଥର ପ୍ରତିଫଳନ ଦେଖାଯାଏ। ଏହା ବ୍ୟତୀତ ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ଆଶ୍ରିତ ମାନଙ୍କୁ ବିଭିନ୍ନ ସମୟରେ ଯେଉଁ ତତ୍ୱ ଉପଦେଶ ମାନ ପ୍ରଦାନ କରିଥିଲେ ତାହା ମଧ୍ୟ ଶ୍ରୀମଦ ଭାଗବତରେ ଅନ୍ତଗର୍ଭିତ ହୋଇଛି।

ଉଦାହରଣ ସ୍ୱରୂପ ମହାଭାରତରେ ଭୀଷ୍ମ ପର୍ବର ୨୫ତମ ଅଧ୍ୟାୟ ଠାରୁ ୪୨ତମ ଅଧ୍ୟାୟ ଭିତରେ ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କୁ ପ୍ରଦାନ କରିଥିବା ଉପଦେଶର ସାରମର୍ମ ଓ ଭୀଷ୍ମ ସରଶଯ୍ୟା କାଳରେ ତାଙ୍କ କଣ୍ଠରୁ ନିର୍ଗତ ବିଷ୍ଣୁ ସହସ୍ର ନାମର ସାରଭୁତ ବାଣୀ ଶ୍ରୀମଦ ଭାଗବତରେ ଉତକିର୍ଣ୍ଣ ହୋଇଅଛି।

କେବଳ ସେତିକି ନୁହେଁ ବେଦର ନିଗୁଢ଼ ଅର୍ଥର ବ୍ୟାଖ୍ୟା, ବ୍ରହ୍ମ ସୂତ୍ର ଓ ଗାୟତ୍ରୀଙ୍କ ତତ୍ୱାର୍ଥ ସହିତ ମହାଭାରତର ଧର୍ମୋପଦେଶକୁ ଅତି ମାର୍ମିକ ଭାବରେ ନିଜ ଅଙ୍ଗରେ ଧାରଣ କରି ଶ୍ରୀମଦ ଭାଗବତ ସର୍ବଗ୍ରନ୍ଥାଶ୍ରୟ ଭାବେ ପରିଚିତ ହୋଇଛନ୍ତି। ଆଉ ଶ୍ରୀଲ କୃଷ୍ଣଦାସଙ୍କ ଉକ୍ତିରେ ଏହା
“କୃଷ୍ଣ ତୁଲ୍ୟ ଭାଗବତ ବିଭୁ ସର୍ବାଶ୍ରୟ
ପ୍ରତିଶ୍ଳୋକେ ପ୍ରତିକ୍ଷରେ ନାନା ଅର୍ଥ କୟ ।।”
ଅର୍ଥାତ ଯେଭଳି ଭଗବାନ ଶ୍ରୀକୃଷ୍ଣ ସର୍ବଆଶ୍ରୟ, ସେହିପରି ଶ୍ରୀମଦ ଭାଗବତ ସର୍ବ ଜ୍ଞାନର ଆଶ୍ରୟ, ତେଣୁ ଏହାର ପ୍ରତିଶ୍ଳୋକ ପ୍ରତି ଅକ୍ଷରରେ ନିଗୁଢ଼ ଅର୍ଥ ଲୁଚି ରହିଛି। ଯାହା କେବଳ ପରମ ଶ୍ରଦ୍ଧା ପ୍ରେମ ଓ ଭକ୍ତି ଦ୍ୱାରା ହିଁ ବୁଝିହୋଇଥାଏ। ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ

“ସର୍ବ ବେଦାନ୍ତ ଏ ସାର ।
ଶ୍ରୀଭାଗବତର ବିସ୍ତାର ।।
ଯେ ରସାମୃତ ପାନ କରେ ।
ତୃପ୍ତି ଲଭଇ ଏ ସଂସାରେ ।।
ଆସନ୍ତୁ ତେବେ ଶ୍ରୀମଦ ଭାଗବତ ରସ ପାନ କରିବା ଓ ତାରିବା ଯଥା
ଏ ଭାଗବତ ଶାସ୍ତ୍ର ଶୁଣି ।
ତରିଲା ଭବ ତରଙ୍ଗିଣୀ ।।

ଜୟ ଜଗନ୍ନାଥ

(ଦ. ତ୍ରି. ଉଵାଚ)

Comments are closed.