Latest Odisha News

BREAKING NEWS

୧୯୭୧ ଯୁଦ୍ଧ ଆଜି ବି ପାକିସ୍ତାନ ମନରୁ ଯାଇନି, ୭ ଦିନ ଧରି ଜଳୁଥିଲା କରାଚୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ହିନ୍ଦୁଙ୍କ ନରସଂହାର ପରେ ଭାରତ ଯୁଦ୍ଧ କରିବା ସ୍ଥିତିରେ ରହିଛି। ଏପରି ସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି। ଆଉ ଏହି ଆଶଙ୍କା ଏଥିପାଇଁ କରାଯାଉଛି କାରଣ ଭାରତୀୟ ନୌସେନା ରବିବାର ଆରବ ସାଗରରେ ଜୋରଦାର ଫାୟାରିଂ ଡ୍ରିଲ କରିଛି। ଯାହା ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଏ ପୂରା ଘଟଣାକ୍ରମ ଦେଖିବା ପରେ ଏବେ ୧୯୭୧ର ଯୁଦ୍ଧ କଥା ସମସ୍ତଙ୍କ ମନକୁ ଆସୁଛି। ଏହି ଅଭିଯାନକୁ ‘ଅପରେସନ୍ ଟ୍ରାଇଡେଣ୍ଟ’ ନାମ ଦିଆଯାଇଥିଲା। ଏହି ଆକ୍ରମଣ କେବଳ ପାକିସ୍ତାନୀ ନୌସେନାକୁ ଆଣ୍ଠେଇ ଦେଇନଥିଲା, ବରଂ ବାଂଲାଦେଶ ଭଳି ଏକ ନୂଆ ଦେଶର ଜନ୍ମ ପାଇଁ ମାର୍ଗ ପ୍ରଶସ୍ତ କରିଥିଲା। ଆଜି ଯେତେବେଳେ ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ଦେଖାଯାଉଛି, ଅପରେସନ୍ ଟ୍ରାଇଡେଣ୍ଟର ଏହି କାହାଣୀ ଭାରତର ନୌସେନା ଶକ୍ତିକୁ ପ୍ରଦର୍ଶନ କରୁଛି। ଆସନ୍ତୁ, ଏହି ଐତିହାସିକ ଅଭିଯାନର କାହାଣୀକୁ ବିସ୍ତୃତ ଭାବେ ଜାଣିବା।

୧୯୭୧ର ଯୁଦ୍ଧ ଏବଂ ଅପରେସନ୍ ଟ୍ରାଇଡେଣ୍ଟ
୪ ଡିସେମ୍ବର ୧୯୭୧ ଭାରତୀୟ ନୌସେନାର ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିଲା। ଏହି ଦିନ, ଅପରେସନ୍ ଟ୍ରାଇଡେଣ୍ଟ ଅଧୀନରେ ଭାରତୀୟ ନୌସେନା ପାକିସ୍ତାନର କରାଚୀ ବନ୍ଦର ଉପରେ ଏପରି ଜବରଦସ୍ତ ଆକ୍ରମଣ କରିଥିଲା ଯେ ସମଗ୍ର ବନ୍ଦର ସାତ ଦିନ ଧରି ନିଆଁ ଓ ଧୂଆଁର ଲହରୀରେ ଘେରି ରହିଥିଲା। ଏହି ଆକ୍ରମଣ କେବଳ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଏକ ଟର୍ନିଂ ପଏଣ୍ଟ ହୋଇନଥିଲା, ବରଂ ଏହା ଭାରତୀୟ ନୌସେନାକୁ ବିଶ୍ୱସ୍ତରୀୟ ଏକ ଶକ୍ତିଶାଳୀ ସାମୁଦ୍ରିକ ଶକ୍ତି ଭାବେ ପ୍ରତିଷ୍ଠିତ କରିଥିଲା। କରାଚୀ ତତ୍କାଳୀନ ପାକିସ୍ତାନୀ ନୌସେନାର ମୁଖ୍ୟାଳୟ ଏବଂ ପୂର୍ବ ପାକିସ୍ତାନ (ଆଜିର ବାଂଲାଦେଶ) ପାଇଁ ସାମଗ୍ରୀ ଯୋଗାଣର କେନ୍ଦ୍ର ଥିଲା। ଏପରି ପରିସ୍ଥିତିରେ ଭାରତୀୟ ନୌସେନାର ଏହି ଆକ୍ରମଣ ପାକିସ୍ତାନୀ ନୌସେନାକୁ ସମ୍ପୂର୍ଣ୍ଣ ଅକ୍ଷମ କରିଦେଇଥିଲା।

ଭାରତୀୟ ନୌସେନାର ପଶ୍ଚିମାଞ୍ଚଳ ନୌକମାଣ୍ଡ ଏବଂ ଦିଲ୍ଲୀ ମୁଖ୍ୟାଳୟ କରାଚୀକୁ ନିଶାନା କରିବା ପାଇଁ ଏକ ସଠିକ ଯୋଜନା କରିଥିଲେ। ଏହି ଅଭିଯାନ ପାଇଁ ଭାରତୀୟ ନୌସେନା ତିନୋଟି ବିଦ୍ୟୁତ୍-ଶ୍ରେଣୀର ମିସାଇଲ ବୋଟ୍ ଆଇଏନ୍‌ଏସ୍ ବୀର, ଆଇଏନ୍‌ଏସ୍ ନିର୍ଘାଟ, ଏବଂ ଆଇଏନ୍‌ଏସ୍ ନିପଟକୁ ଚୟନ କରିଥିଲା। ଏହି ଛୋଟ, ଦ୍ରୁତଗାମୀ ଏବଂ ବିରୋଧୀ ଜାହାଜ ମିସାଇଲରେ ସଜ୍ଜିତ ଯୁଦ୍ଧପୋତଗୁଡ଼ିକ ଆକ୍ରମଣାତ୍ମକତା ପାଇଁ ଜଣାଶୁଣା ଥିଲା। ଏହା ସହିତ ଦୁଇଟି  ସବମେରିନ୍ କର୍ଭେଟ୍ – ଆଇଏନ୍‌ଏସ୍ କିଲ୍‌ତାନ ଏବଂ ଆଇଏନ୍‌ଏସ୍ କଚ୍ଛଲ ସହ ଏକ ଟ୍ୟାଙ୍କର ମଧ୍ୟ ମୁତୟନ କରାଯାଇଥିଲା।

ଏହି ଅଭିଯାନର ନେତୃତ୍ୱ ରିଅର ଆଡ଼ମିରାଲ କୁରୁଭିଲା ଏବଂ କମାଣ୍ଡର ବବ୍ରୁ ଭାନ ଯାଦବ (ମହାରଣା ପ୍ରତାପ ବାଟାଲିୟନ)ଙ୍କୁ ଦିଆଯାଇଥିଲା। ଯୋଜନା ଥିଲା ଯେ ଛୋଟ, ଦ୍ରୁତଗାମୀ ଏବଂ ମିସାଇଲରେ ସଜ୍ଜିତ ଏହି ଯୁଦ୍ଧପୋତଗୁଡ଼ିକ ରାତିର ଅନ୍ଧକାରରେ କରାଚୀ ଉପରେ ଆଶ୍ଚର୍ଯ୍ୟଜନକ ଆକ୍ରମଣ କରିବେ। ଏହି ଅଭିଯାନକୁ ଶତରଞ୍ଜ ଖେଳ ପରି ସଂଘଟିତ କରାଯାଇଥିଲା। ଦିନ ସମୟରେ ବୋଟ୍‌ଗୁଡ଼ିକୁ କରାଚୀଠାରୁ ୪୫୦ କିମି ଦୂରରେ ରଖାଯାଇଥିଲା, କିନ୍ତୁ ରାତି ହେବା ମାତ୍ରେ ସେମାନଙ୍କ ଅବସ୍ଥାନ ବଦଳାଇ ଦିଆଯାଇଥିଲା। ଏହି ଆକ୍ରମଣ ଏତେ ଗୋପନୀୟ ଏବଂ ଦ୍ରୁତ ଥିଲା ଯେ ପାକିସ୍ତାନୀ ନୌସେନାକୁ ସମ୍ଭାଳିବାର ସୁଯୋଗ ମିଳିନଥିଲା।

ଧୂଆଁ-ଧୂଆଁ ଜଳୁଥିଲା କରାଚୀ

  • ପ୍ରଥମ ଟାରଗେଟ: ଆଇଏନ୍‌ଏସ୍ ନିର୍ଘାଟ ରାତି ୧୧ଟାରେ ପିଏନ୍‌ଏସ୍ ଖୈବର, ଏକ ବ୍ୟାଟଲ୍-ଶ୍ରେଣୀର ଡେଷ୍ଟ୍ରୟର, ଉପରେ ଦୁଇଟି ଏସ୍‌ଏସ୍‌-ଏନ୍‌-୨ ଷ୍ଟାଇକ୍ସ ମିସାଇଲ ପ୍ରକ୍ଷେପଣ କରିଥିଲା। କିଛି ମିନିଟ୍‌ ମଧ୍ୟରେ ଖୈବର ସମୁଦ୍ରରେ ବୁଡ଼ିଯାଇଥିଲା।
  • ଦ୍ୱିତୀୟ ଆକ୍ରମଣ: ଆଇଏନ୍‌ଏସ୍ ନିପଟ ଡେଷ୍ଟ୍ରୟର ପିଏନ୍‌ଏସ୍ ଶାହଜାହାନ ଏବଂ ଅସ୍ତ୍ରଶସ୍ତ୍ରରେ ପୂର୍ଣ୍ଣ ମର୍ଚାଣ୍ଟ ଭେସଲ ଭୀନସ ଚାଲେଞ୍ଜରକୁ ଧ୍ୱଂସ କରିଥିଲା।

ତୃତୀୟ ପ୍ରହାର: ଆଇଏନ୍‌ଏସ୍ ବୀର ପାକିସ୍ତାନୀ ମାଇନ୍‌ସ୍ୱୀପର ପିଏନ୍‌ଏସ୍ ମୁହାଫିଜକୁ ଏକ ମିସାଇଲ ସହ ଉଡ଼ାଇ ଦେଇଥିଲା, ଯାହା ତୁରନ୍ତ ବୁଡ଼ିଯାଇଥିଲା।

Comments are closed.