Latest Odisha News

BREAKING NEWS

ତତଲା କଢ଼େଇରେ ଭାଜି ହେଉଛି ଓଡ଼ିଶା, ଦିନ ତାପମାତ୍ରା ୪୩ ଡିଗ୍ରୀ ପାର୍

ଭୁବନେଶ୍ୱର: ତାତିରେ ଜଳୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଉପକୂଳରେ ଭୀଷଣ ଗୁଳୁଗୁଳି ହେଉଛି। ଆକାଶରୁ ନିଆଁ ବର୍ଷୁଛି। କଲବଲ ହେଉଛନ୍ତି ସାଧାରଣ ଲୋକେ। ପାରଦ ୪୩ ଡିଗ୍ରୀ ମୁହାଁ ହେଲାଣି। ୨୧ ପର୍ଯ୍ୟନ୍ତ ଆଶ୍ବସ୍ତି ନାହିଁ । ପୁଣି ଥରେ ତତଲାଗଡ଼ ପାଲଟିଛି ଟିଟିଲାଗଡ଼ । ବଲାଙ୍ଗିର ଓ ସମ୍ବଲପୁର ସମେତ ପଶ୍ଚିମଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ସାଙ୍ଗକୁ ଗୁଳୁଗୁଳି ରହିବ । ଦିନର ତାପମାତ୍ରା ୪୦ରୁ ୪୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ।

ତାତି ୪୫ ଡିଗ୍ରି ସେଲସିୟସ ଛୁଇଁବ। ଗତକାଲି ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଅନ୍ୟ ୧୦ଟି ସ୍ଥାନରେ ୪୦ ଉପରେ ରହିଛି ଦିନ ତାପମାତ୍ରା। ୨୨ ତାରିଖ ଯାଏ ନିସ୍ତାର ନାହିଁ। ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ। ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ । ମାତ୍ର ସୀମିତ ଅଞ୍ଚଳରେ ବା କାଁ ଭାଁ । ବଡ଼ ବର୍ଷା ସମ୍ଭାବନା ଏବେ କମ୍ ।

ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ବର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ଯାଏ ରହିବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳରେ ୪୦ ରୁ ୪୫ ଡିଗ୍ରୀ ସେଲସିୟସ ଯାଏ ରହିପାରେ । ୧୮ ଓ ୧୯ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ଉପକୂଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବ। ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ରେଡ୍ ୱାର୍ଣ୍ଣଂ ଜାରି ହୋଇଛି ।

Leave A Reply

Your email address will not be published.