ମୁମ୍ବାଇ/ଭୁବନେଶ୍ୱର: ଆଗରେ ବସିଥିଲେ ବଲିଉଡ୍ ଟଲିଉଡର ଦିଗଗଜ୍
ଏକାସାଙ୍ଗରେ ୪ ଆୱାର୍ଡ଼ ହାତେଇଲା ଓଡ଼ିଆ ସିନେମା
ମାୟାନଗରୀରେ ଓଡ଼ିଆ ସିନେମାର ବଡ଼ ବିଜୟ
ସମସ୍ତଙ୍କ ମୁହଁରେ ଥିଲା ଜୟ ଜଗନ୍ନାଥ
ନୂଆ ଚମକଦାର ସକାଳ ଦେଖୁଛି ଓଡ଼ିଆ ସିନେମା। ଦମନ ପରେ ପୁଣି ଆଉ ଏକ ସିନେମା ଜାତୀୟ ମଞ୍ଚରେ ଚହଳ ସୃଷ୍ଟି କରିଛି। ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ପ୍ରେଷ୍ଟିଜିଅସ୍ INCA ଆୱାର୍ଡ୍ରେ ଏବେ ସବୁଠୁ ବେଶି ଚର୍ଚ୍ଚାରେ ରହିଛି ଓଡ଼ିଆ ଫିଲ୍ମ “ବୋଉ ବୁଟୁ ଭୂତ”। ହଁ, ଏହି ଫିଲ୍ମ କେବଳ ଓଡ଼ିଶା ନୁହେଁ, ସମସ୍ତ ଦେଶର ଦର୍ଶକଙ୍କ ମନ ଜିତିନେଇଛି। ଯାହାର ଝଲକ ଜାତୀୟ ମଞ୍ଚରେ ଦେଖିବାକୁ ମିଳିଛି। ପୁଣି ସଫଳତାର ସ୍ୱାଦ ଚାଖୁଛି ଓଡ଼ିଆ ସିନେମା। ଶ୍ରେଷ୍ଠ ଓଡ଼ିଆ ସିନେମା ପୁରସ୍କାର ହାତେଇଛି “ବୋଉ ବୁଟୁ ଭୂତ”। ଏହି ଆୱାର୍ଡ଼କୁ ଗ୍ରହଣ କରିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଆତ୍ମବିଭୋର ହୋଇଉଠିଥିଲେ। କିପରି ଜଣେ ଶିକ୍ଷୟତ୍ରୀରୁ ନିଜ ସ୍ୱାମୀଙ୍କ ସହ ସିନେମା ଜଗତରେ ପଦ ଥାପିଥିଲେ ତାହା ବଖାଣିବା ସହ ଓଡ଼ିଆ ଦର୍ଶକଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଆଉ ନିଜର ଦମଦାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତାର ଆୱାର୍ଡ଼ ଗ୍ରହଣ ବେଳେ ବାବୁସାନ୍ ମହାନ୍ତି ତାଙ୍କର ଖୁସି ବ୍ୟକ୍ତ କରିବା ସହ ଓଡ଼ିଶାବାସୀଙ୍କୁ ଏହାର ଶ୍ରେୟ ଦେଇଥିଲେ। ସେହିପରି ଏହି ସିନେମାରେ ଭଲ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଅର୍ଚ୍ଚିତା ସାହୁ। ଓଡ଼ିଆ ସିନେମାର ଏଭଳି ସଫଳତା ସହିତ ସେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଜାତୀୟ ମଞ୍ଚରେ ରିପ୍ରେଜେଣ୍ଟ କରିବା ପାଇଁ ଗର୍ବ ଅନୁଭବ କରିଥିଲେ ଏବଂ ଜୟ ଜଗନ୍ନାଥ କହି ଏହାକୁ ପ୍ରତିଧ୍ୱନିତ କରାଇଥିଲେ। ସେହିପରି ସିନେମା ‘ଅନନ୍ତା’ ପାଇଁ ସବ୍ୟସାଚୀ ମହାପାତ୍ରଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର।
ତେବେ ଏହି ସଫଳତା କେବଳ ଅଭିନୟ ପାଇଁ ନୁହେଁ…ବରଂ ଫିଲ୍ମର ଜବରଦସ୍ତ କାହାଣୀ, ଦମଦାର ଡାଏଲଗ୍ ଓ ଏକ ଇଲେକ୍ଟ୍ରିଫାଇଂ ସଙ୍ଗ ସିକ୍ୱେନ୍ସ ସମସ୍ତଙ୍କୁ ମୋହିତ କରିଥିଲା। ପ୍ରଥମ ଥର ଓଡ଼ିଆ ସିନେମାରେ ଏପରି ଏକ ହରର ଫିଲ୍ମ ଚହଳ ସୃଷ୍ଟି କରିଥିଲା। ସିନେମାଟି କେବଳ ଓଡ଼ିଶାରେ ନୁହେଁ ବରଂ ଓଡିଶା ବାହାରେ ବେଶ୍ ଆଦୃତ ହୋଇଥିଲା। ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଥିଲା। ଖାଲି ସେତିକି ନୁହେଁ, ବାବୁସାନ୍ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଏବେ ଧର୍ମା ପ୍ରଡକ୍ସନ ରିମେକ୍ କରିବାକୁ ଯୋଜନା କରୁଛି।
ତେବେ ମୁମ୍ବାଇରେ ଆୟୋଜିତ ଏହି ଗ୍ରାଣ୍ଡ ଇଭେଣ୍ଟକୁ ହୋଷ୍ଟ କରିଥିଲେ ରାଣା ଡଗୁବତୀ ଓ କରନ ଜୋହର। ଯେଉଁଠାରେ ଦେଶର ଟପ୍ ଫିଲ୍ମମେକର୍ସ, ଆକ୍ଟର୍ସ ଓ ପ୍ରୋଡ୍ୟୁସର୍ସ ଉପସ୍ଥିତ ଥିଲେ। ଏହି ଆଚିଭମେଣ୍ଟ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଯାହା ପ୍ରମାଣ କରୁଛି, ଟାଲେଣ୍ଟ ଥିଲେ ଭାଷା କେବେ ବାଧା ହୁଏ ନାହିଁ।