Latest Odisha News

BREAKING NEWS

କୋହଳ ହେଲା ଭାରତ: ଏଇ ବାଟ ଦେଇ ଏବେବି ଦେଶ ଫେରିପାରିବେ ପାକିସ୍ତାନୀ…

ନୂଆଦିଲ୍ଲୀ: ପୁଣି ଉଦାରତା ଦେଖାଇଛି ଭାରତ। ଭାରତରେ ବସବାସ କରୁଥିବା କିମ୍ବା ଫସିରହିଥିବା ପର୍ଯ୍ୟଟକଙ୍କୁ ଦେଇଛି ବଡ଼ ଆଶ୍ୱସ୍ତି। ପାକିସ୍ତାନୀଙ୍କୁ ଏପ୍ରିଲ ୩୦ ଭିତରେ ଦେଶ ଛାଡ଼ିବାକୁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏପ୍ରିଲ ୩୦ ପରେ ବି ନିଜ ଦେଶକୁ ଫେରିପାଇବେ ପାକିସ୍ତାନୀ।ପାକିସ୍ତାନୀମାନଙ୍କୁ ଅଟାରୀ ସୀମା ଦେଇ ଛାଡିବାକୁ ଭାରତ ଅନୁମତି ଦେଇଛି। ଏପ୍ରିଲ ୩୦ ତାରିଖର ସମୟସୀମା ଆଦେଶକୁ ସଂଶୋଧନ କରି କିଛି ଏପରି ନିର୍ଦ୍ଦେଶ ଦେଇଛି ଭାରତ।

ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ(ଯେଉଁଥିରେ ପାକିସ୍ତାନୀ ଆତଙ୍କବାଦୀ ପ୍ରାୟ ୨୮ ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଥିଲେ) ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ନିଜ ନିଜ ଦେଶ ଫେରୁଛନ୍ତି ଦୁଇ ଦେଶରେ ଥିବା ପ୍ରବାସୀ। ଭାରତ ମଧ୍ୟ ଦେଶରେ ଥିବା ସମସ୍ତ ପାକିସ୍ତାନୀମାନଙ୍କୁ ଏପ୍ରିଲ ୩୦ ଭିତରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ହେଲେ ଏହାକୁ ଏବେ ସେ କୋହଳ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାକିସ୍ତାନୀ ଦେଶ ଛାଡ଼ି ପାରିବେ।

ସେପଟେ ପୂର୍ବରୁ ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଥିବା ବେଳେ ଏବେ ଭାରତ ମଧ୍ୟ ପ୍ରତିବଦଳରେ ପାକିସ୍ତାନୀ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଛି। ପାକିସ୍ତାନ ତାର ଏୟାରସ୍ପେସ ବନ୍ଦ କରିବା ପରେ, ଭାରତୀୟ ଲଢ଼ୁଆ ବିମାନଗୁଡ଼ିକ ଯେପରି ପାକିସ୍ତାନ ଏୟାରସ୍ପେସରେ ପ୍ରବେଶ କରିପାରିବେ ନାହିଁ, ସେଥିପାଇଁ ପାକିସ୍ତାନ ସେଠାରେ ଜାମର ଲଗାଇଛି। ନିୟନ୍ତ୍ରଣ ରେଖା, ଏଲଓସିରେ ଗୁଳିବିନିମୟ ମଧ୍ୟରେ, ପାକିସ୍ତାନ ଚୀନ୍ ନିର୍ମିତ ବିମାନ ପ୍ରତିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀର ମୁତୟନ ବୃଦ୍ଧି କରିଛି। ପାକିସ୍ତାନ ଚୀନ୍ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ନିୟୋଜିତ କରିଛି।

ଭାରତ ବୁଧବାର ଦିନ ପାକିସ୍ତାନ ମାଲିକାନା ଏବଂ ପରିଚାଳିତ ବିମାନ ପାଇଁ ଏହାର ଆକାଶ ସୀମାକୁ ମେ ୨୩ ପର୍ଯ୍ୟନ୍ତ ବନ୍ଦ କରିବାର ଘୋଷଣା କରିଛି। କିଛି ଦିନ ପୂର୍ବରୁ, ଇସଲାମାବାଦ ଭାରତୀୟ ବିମାନ କମ୍ପାନୀ ଦ୍ୱାରା ମାଲିକାନା ଏବଂ ପରିଚାଳିତ ସମସ୍ତ ବିମାନ ପାଇଁ ଏହାର ଆକାଶ ସୀମାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଏହି ସମ୍ପର୍କରେ ନୋଟମ୍ (NOTAM), ବିମାନ କର୍ମଚାରୀଙ୍କୁ ନୋଟିସ୍ ଜାରି କରିଛି, ଯାହା ଅନୁଯାୟୀ ପାକିସ୍ତାନୀ ବିମାନଗୁଡ଼ିକୁ ମେ ୨୩ ପର୍ଯ୍ୟନ୍ତ ଭାରତୀୟ ବାୟୁସୀମାରେ ପ୍ରବେଶ କରିବାକୁ ବାରଣ କରାଯାଇଛି।

ନୋଟମ୍ ଅନୁଯାୟୀ, ଏହି ପ୍ରତିବନ୍ଧକ ଏପ୍ରିଲ ୩୦ ରୁ ମେ ୨୩ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ସମୟରେ, କୌଣସି ପାକିସ୍ତାନୀ ବିମାନକୁ ଭାରତୀୟ ଆକାଶରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

ଅନ୍ୟପଟେ ଲଗାତାର ସପ୍ତମ ଦିନ ପାଇଁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ପାକିସ୍ତାନୀ ସେନା ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖା ଉପରେ ଗୁଳି ଚଳାଇଛି। ଭାରତୀୟ ସେନା ବିଳମ୍ବ ନକରି ଏହି ଗୁଳିମାଡ଼ର ଜବାବ ଦେଇଛି। ଗତ ଶୁକ୍ରବାରଠାରୁ ପାକିସ୍ତାନୀ ସେନା ପ୍ରତିଦିନ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରୁଛି। ସେନା କହିବା ଅନୁଯାୟୀ, ୩୦ ଏପ୍ରିଲ ତଥା ମେ ୧ ରାତିରେ, ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ ଜମ୍ମୁ ଏବଂ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର କୁପୱାଡା, ଉରି ଏବଂ ଅଖନୁରରେ ନିୟନ୍ତ୍ରଣ ରେଖା ପାର କରି ଗୁଳିଚାଳନା କରିଥିଲେ। ପ୍ରତିଦିନ ପରି, ଏହି ଗୁଳିକାଣ୍ଡ କୌଣସି ଉତ୍ତେଜନା ବିନା କରାଯାଇଥିଲା। ଯାହାର ଜବାବ ଦେଇଛନ୍ତି ଭାରତୀୟ ସେନା।

Comments are closed.