Latest Odisha News

ରାଜଧାନୀରେ ଚାଞ୍ଚଲ୍ୟ: ସ୍କୁଲ ଖେଳପଡ଼ିଆରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ଏବେ ଦିନକୁ ଦିନ ଅପମୃତ୍ୟୁ ଓ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳେ ନୟାପଲ୍ଲୀର ଆଇ.ଆର.ସି ଭିଲେଜ ହାଇସ୍କୁଲ ପରିସରରେ ଥିବା ଖେଳପଡ଼ିଆରୁ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି ।

ମିଳିଥିବା ସୂଚନାରୁ ପ୍ରକାଶ, ପ୍ରଥମେ କିଛି ସ୍ଥାନୀୟ ଲୋକେ ହାଇସ୍କୁଲ ପରିସରରେ ଥିବା ଖେଳପଡ଼ିଆରେ ମୃତଦେହ ପଡ଼ିଥିବାର ଦେଖି ପୋଲିସକୁ ତୁରନ୍ତ ଜଣାଇଥିଲେ ।

ଘଟଣା ସମ୍ପର୍କରେ ଖବରପାଇ ନୟାପଲ୍ଲୀ ଥାନା ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ପୋଲସ ସାଇଣ୍ଟିଫିକ୍ ଟିମ୍ ର ବିଶେଷଜ୍ଞ ଘଟଣାସ୍ଥଳରେ ଛାନଭିନ କରିବା ସହିତ ତଦନ୍ତ ଜାରି ରଖିଛନ୍ତି ।

ତେବେ ମୃତଦେହକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ ବୋଲି ନୟାପଲ୍ଲୀ ଥାନା ପକ୍ଷରୁ ଜଣାଯାଇଛି । ମୃତଦେହ ନିକଟରୁ ଏକ ଭଙ୍ଗା ମୋବାଇଲ୍ ଫୋନ ପୋଲିସ ଜବତ କରିଛି ।

ମୃତଦେହର ଏକାଧିକ ସ୍ଥାନରେ ଧାରୁଆ ଅସ୍ତ୍ର ଦ୍ୱାରା କ୍ଷତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ କୌଣସି ଦୁର୍ବୃତ୍ତ ହତ୍ୟା କରି ଏହି ବ୍ୟକ୍ତିଙ୍କୁ ଏଠାରେ ପକାଇ ଦେଇଥିବାର ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ ଏବଂ ପୋଲସ ।

Leave A Reply

Your email address will not be published.