ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇମରାନ ଖାନଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏକ ପ୍ରେସ ରିଲିଜର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି ଯେ ଇମରାନ ଖାନଙ୍କର ମୃତ୍ୟୁ ହୋଇଛି। ତେବେ, ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେଲରେ ବନ୍ଦୀ ଥିବା ଇମରାନ ଖାନଙ୍କ ମୃତ୍ୟୁ ଖବରକୁ ମିଛ ଏବଂ ଗୁଜବ ବୋଲି କହିଛି।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବୟାନରେ ଦାବି କରାଯାଇଥିଲା ଯେ, ଇମରାନ ଖାନଙ୍କ ମୃତ୍ୟୁ ନ୍ୟାୟିକ ହେପାଜତରେ ହୋଇଛି। ଏହା ସହ, ତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି କୁହାଯାଇଥିଲା। ବୟାନରେ ଆହୁରି ଦାବି କରାଯାଇଥିଲା ଯେ, ସରକାର ଏହି ଘଟଣାର ଗମ୍ଭୀରତାକୁ ସ୍ୱୀକାର କରିଛି ଏବଂ ଘଟଣାର କାରଣ ଜାଣିବା ଓ ଦାୟୀ ବ୍ୟକ୍ତିଙ୍କୁ ଜବାବଦେହୀ କରାଇବା ଦିଗରେ କାର୍ଯ୍ୟାନୁଷ୍ଠାନ କରୁଛି। କିନ୍ତୁ ପାକିସ୍ତାନ ସୂଚନା ମନ୍ତ୍ରଣାଳୟ ଏହି ଦାବିକୁ ଖଣ୍ଡନ କରି ଏହାକୁ ମିଛ ବୋଲି କହିଛି।
ଶୁକ୍ରବାର ଇମରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (PTI) ତାଙ୍କ ମୁକ୍ତି ପାଇଁ ଇସଲାମାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଦଳ ଦାବି କରିଥିଲା ଯେ, ଦୀର୍ଘ ସମୟ ଧରି ହିରାସତରେ ରହିବା ଯୋଗୁ ଇମରାନ ଖାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ଏବଂ ଭାରତ ସହ ବର୍ତ୍ତମାନର ସଂଘର୍ଷମୟ ପରିସ୍ଥିତି ଯୋଗୁ ତାଙ୍କ ଜୀବନ ଉପରେ ବିପଦ ରହିଛି।
ଇମରାନ ଖାନଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନରେ ବିଭିନ୍ନ ପ୍ରତିକ୍ରିୟା ଦେଖାଦେଇଛି। ଅନେକ ସମର୍ଥକ ଏହି ଖବର ଶୁଣି ଆତଙ୍କିତ ହୋଇଥିବା ବେଳେ ପାକିସ୍ତାନ ସରକାରର ଖଣ୍ଡନ ପରେ ସ୍ଥିତି କିଛି ସ୍ପଷ୍ଟ ହୋଇଛି। ଇସଲାମାବାଦର ଜଣେ ନାଗରିକ ଟୁଇଟରରେ ଲେଖିଛନ୍ତି, “ଇମରାନ ଖାନଙ୍କ ମୃତ୍ୟୁ ଖବର ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ, କିନ୍ତୁ ସରକାର ଏହାକୁ ମିଛ ବୋଲି କହିଛି। ଏହା ଏକ ଷଡ଼ଯନ୍ତ୍ର ହୋଇପାରେ।” ତେବେ ଏହି ଘଟଣା ଏମିତି ସମୟରେ ଘଟିଛି ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପାକ-ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା, ଯାହା ପରେ ପାକିସ୍ତାନ ପକ୍ଷରୁ ମିସାଇଲ ଓ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଇମରାନ ଖାନଙ୍କ ଦଳ ତାଙ୍କ ଜୀବନ ଉପରେ ବିପଦ ଥିବା ଦାବି କରି ମୁକ୍ତି ଦାବି କରିଛି।
Comments are closed.