Latest Odisha News

BREAKING NEWS

ଚିନାବ ନଦୀରେ ଥିବା ଡ୍ୟାମର ଖୋଲିଲା ଗେଟ୍, ପାକିସ୍ତାନରେ ବନ୍ୟା !

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିଲା। ଏହି ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଡ଼ା ନିଷ୍ପତ୍ତି ନେଇଥିଲା, ଯେଉଁଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଜଳ ସମ୍ପଦ ଉପରେ ନିଷେଧାଜ୍ଞା ଏବଂ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ। ‘ଅପରେସନ ସିନ୍ଦୂର’ ପରେ ଏହି ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା। ତେବେ ୧୦ ମେ’ ସନ୍ଧ୍ୟା ୫ଟାରେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି (ସିଜଫାୟାର) ଘୋଷଣା କରିଥିଲେ। ଏହାରି ମଧ୍ୟରେ ଆଜି ଅର୍ଥାତ୍‌ ୧୧ ମେ’ରେ ଚିନାବ ନଦୀ ଉପରେ ନିର୍ମିତ ଡ୍ୟାମରୁ ଜଳ ଛାଡ଼ି ଦିଆଯାଇଛି।

ସିନ୍ଧୁ ଜଳ ସନ୍ଧି ସ୍ଥଗିତ ଓ ପାକିସ୍ତାନରେ ଜଳ ସଙ୍କଟ
ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିଥିଲା। ଏହା ଅଧୀନରେ ଭାରତ ଚିନାବ ନଦୀ ଉପରେ ନିର୍ମିତ ଦୁଇଟି ଡ୍ୟାମ ମାଧ୍ୟମରେ ଜଳପ୍ରବାହକୁ ଅଟକାଇ ଦେଇଥିଲା। ଫଳରେ ପାକିସ୍ତାନରେ ଚିନାବ ନଦୀର ଜଳସ୍ତର ହ୍ରାସ ପାଇ ନଦୀ ଶୁଖିବାକୁ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଜଳ ଅଟକାଇ ଦିଆଯିବା ଯୋଗୁ ପାକିସ୍ତାନକୁ ବଡ଼ ଧରଣର କ୍ଷତି ହୋଇଥିଲା। ଚିନାବ ନଦୀ ଉପରେ ନିର୍ମିତ ସଲାଲ ଓ ବାଗଲିହାର ଡ୍ୟାମର ଅନେକ ଗେଟ୍‌ ଏବେ ଭାରତ ଖୋଲି ଦେଇଛି। ଏହା ଫଳରେ ପାକିସ୍ତାନରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଭାରତ ପକ୍ଷରୁ ଗେଟ୍‌ ଖୋଲିବା ପରେ ଯେଉଁ ସ୍ଥାନ ଶୁଖିଲା ପଡ଼ିଥିଲା, ସେଠାରେ ଏବେ ଜଳ ହିଁ ଜଳ ଦେଖାଯାଉଛି। ଯଦିଓ ଭାରତ ଓ ପାକିସ୍ତାନ ମଧ୍ୟରେ ସିଜଫାୟାର ଘୋଷଣା ହୋଇଛି, ତଥାପି ସିନ୍ଧୁ ଜଳ ସନ୍ଧି ଏବେ ମଧ୍ୟ ସ୍ଥଗିତ ରହିଛି।

ଗତ ସପ୍ତାହରେ ଭାରତ ଚିନାବ ନଦୀର ଜଳପ୍ରବାହକୁ ଅଟକାଇ ଦେଇଥିଲା। ପ୍ରଥମେ ବାଗଲିହାର ଡ୍ୟାମ ଏବଂ ପରେ ସଲାଲ ଡ୍ୟାମ ବନ୍ଦ କରି ଜଳ ଅଟକାଯାଇଥିଲା। ଅନୁମାନ କରାଯାଉଛି ଯେ, ଜମ୍ମୁ-କଶ୍ମୀରରେ ଗତ କିଛି ଦିନ ହେବ ହୋଇଥିବା ବର୍ଷା ଯୋଗୁ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିଲା। ଆଉ ଏଥିପାଇଁ ଡ୍ୟାମ ଗେଟ୍‌ ଖୋଲିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଗେଟ୍‌ ଖୋଲିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଅନ୍ୟପଟେ ଚିନାବ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପାକିସ୍ତାନରେ ବନ୍ୟା ଆଶଙ୍କା ଦେଖାଦେଇଛି। ପୂର୍ବରୁ ଜଳ ଅଭାବ ଯୋଗୁଁ ପାକିସ୍ତାନର ଅନେକ ଅଞ୍ଚଳ, ବିଶେଷ କରି ପଞ୍ଜାବ ପ୍ରଦେଶ କୃଷି କ୍ଷେତ୍ରରେ ବହୁତ କ୍ଷତି ସହିଥିଲା। ଏବେ ଜଳ ଛାଡ଼ି ଦିଆଯିବା ପରେ ସେଠାରେ ବନ୍ୟା ହେବାର ସମ୍ଭାବନା ରହିଛି, ଯାହା ପାକିସ୍ତାନ ପାଇଁ ଆହୁରି ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ।

Comments are closed.