Latest Odisha News

BREAKING NEWS

ବିଦାୟ ୨୦୧୯: ବିବାଦୀୟ ସାବରିମାଳା ମନ୍ଦିର ଓ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

କେରଳ: ୨୦୧୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟ କେରଳର ବହୁ ଚର୍ଚ୍ଚିତ ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶକୁ ନେଇଥିବା ବିବାଦର ଅନ୍ତ ଘଟାଇଥିଲେ । ଏହି ବିବାଦ ୨୦୧୯ ମସିହାର ସବୁଠୁ ବିବାଦୀୟ ଓ ଚର୍ଚ୍ଚିତ ଘଟଣାବଳୀ ମଧ୍ୟରୁ ଅନ୍ୟତମ।

ଜାଣନ୍ତୁ, କେବେଠୁ ଆରମ୍ଭ ହୋଇଥିଲା ସାବରିମାଳା ବିବାଦ ଓ କ’ଣଥିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ?

ବିବାଦ ଓ ଉତ୍ତେଜନା

ମନ୍ଦିରର ମୁଖ୍ୟ ଜ୍ୟୋତିଷ ପରପ୍ପନଗଡି ଉନିକୃଷ୍ଣନ୍ନ ୨୦୦୬ ମସିହାରେ କହିଥିଲେ, ଅୟପ୍ପା ସ୍ୱାମୀ ନିଜର ଶକ୍ତି ହରାଉଛନ୍ତି । ବୋଧହୁଏ କେହି ମହିଳା ତାଙ୍କୁ ସ୍ପର୍ଶ କରିଛନ୍ତି । ପରେ କନ୍ନଡ ଅଭିନେତା ପ୍ରଭାକରଙ୍କ ପତ୍ନୀ ଦାବି କରିଥିଲେ, ୧୯୮୭ ମସିହାରେ ସ୍ୱାମୀଙ୍କ ସହ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ଠେଲାପେଲା ଯୋଗୁଁ ଭୁଲବଶତଃ ଭଗବାନଙ୍କୁ ଛୁଇଁଦେଇଥିଲେ । ଏଥିପାଇଁ ସେ ପ୍ରାୟଶ୍ଚିତ କରିବାକୁ ଚାହାଁନ୍ତି ।

ଏହାପରେ ସେହିବର୍ଷ ରାଜ୍ୟର ୟଙ୍ଗ ଲୟର୍ସ ଆସୋସିଏସନ ପକ୍ଷରୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରାଯାଇଥିଲା ବେଳେ ପ୍ରାୟ ୧୦ ବର୍ଷ ଯାଏଁ ଏହି ମାମଲା କୋର୍ଟରେ ଝୁଲି ରହିଥିଲା ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଅୟପ୍ପାଙ୍କ ଦର୍ଶନ ପାଇଁ ହିନ୍ଦୁ ଐକ୍ୟବେଦିର ନେତ୍ରୀ କେ ପି ଶଶିକଳା ଉଦ୍ୟମ କରି ଗିରଫ ହୋଇଥିଲେ । ଏହାକୁ ନେଇ କେରଳରେ ବନ୍ଦ ଡାକରା ଦିଆଯାଇଥିଲା ।

ସେହିପରି ଦର୍ଶନ ପାଇଁ ଆସିଥିବା ସମାଜିକ କର୍ମୀ ତୃପ୍ତି ଦେଶାଇଙ୍କୁ ମଧ୍ୟ ବିରୋଧ କରାଯାଇଥିଲା । ପୂର୍ବରୁ କନକ ଦୁର୍ଗା ଓ ବିନ୍ଦୁ ନାମ୍ନୀ ୨ମହିଳା ମନ୍ଦିରରେ ପ୍ରବେଶ କରିଥିବା ଯୋଗୁଁ ଭକ୍ତଙ୍କ ଗହଣରେ ହଇଚଇ ସୃଷ୍ଟି ହୋଇଥିଲା । ଫଳରେ ବିନ୍ଦୁଙ୍କୁ ତାଙ୍କ ପରିବାରବର୍ଗ ପାପୀ କହିବା ସହ ମାଡମାରି ଘରୁ ତଡି ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଓ ଐତିହାସିକ ରାୟ

୨୦୦୬ ମସିହାରେ ଦାଏର ହୋଇଥିବା ଯାଚିକାକୁ ନେଇ ସୁପ୍ରିମକୋର୍ଟ ମନ୍ଦିରର ଟ୍ରଷ୍ଟ ତ୍ରାବଣକୋର ଦେବାସମ ବୋର୍ଡକୁ ମହିଳାଙ୍କୁ କାହିଁକି ପ୍ରବେଶ ଅନୁମତି ନାହିଁ, ସେନେଇ ଜବାବ ମାଗିଥିଲେ ।

ଏହି ମାମଲାକୁ ୨୦୧୭ ମସିହାରେ ସୁପ୍ରିମକୋର୍ଟ ସାମ୍ବିଧାନିକ ପୀଠକୁ ହସ୍ତାନ୍ତର କରିଥିଲେ ।

୨୦୧୮ ମସିହାରେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଖନବିଲକର, ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସମେତ ଜଷ୍ଟୀସ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ ନରୀମନଙ୍କ ଦ୍ୱାରା ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ।

ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମନୁହଁନ୍ତି । ଗୋଟିଏ ପଟେ ମହିଳାଙ୍କୁ ପୂଜା କରାଯାଉଥିବା ବେଳେ ଅନ୍ୟପଟେ ମାନସିକ ଅଭିଜ୍ଞତାକୁ ଆଧାରକରି ସେମାନଙ୍କର ମନ୍ଦିରକୁ ପ୍ରବେଶ ନେଇ କାହିଁକି କଟକଣା ଲଗାଯାଉଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।

ଭଗବାନଙ୍କ ସହ ଭକ୍ତରସମ୍ବନ୍ଧକୁ ଜୈବିକ କିମ୍ବା ଶାରୀରିକ ଦୃଷ୍ଟିରୁ ମାପ କରିବା ଅନୁଚିତ । ଏହା ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ ହୋଇଥିôବାବେଳେ ଏଠାରେ ପ୍ରବେଶ ନେଇଥିôବା କଟକଣା ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବଚାରପତି ଦୀପକ ମିଶ୍ର କହିଥିଲେ ।

କାହିଁକି ମହିଳାଙ୍କୁ ବାରଣ

କେରଳର ପଠନାମାଥିଟ୍ଟ ଜିଲ୍ଲାରେ ଭଗବାନ ଅୟପ୍ପା ସ୍ୱାମୀଙ୍କ ମନ୍ଦିର । ଧାର୍ମିକ ବିଶ୍ୱାସଅନୁଯାୟୀ ଅୟପ୍ପା ସ୍ୱାମୀ ଆଜୀବନ ବ୍ରହ୍ମଚାରୀ ଥିଲେ । ମହିଳାଙ୍କ ଋତୁସ୍ରାବ କାରଣ ଯୋଗୁଁ ସେମାନେ ଶୁଦ୍ଧ ହୋଇରୁହନ୍ତି ନାହିଁ ଏବଂ ବିନା ଶୁଦ୍ଧିରେ ଭଗବାନଙ୍କୁ ଦର୍ଶନ କରାଯାଇପାରେ ନାହିଁ । ଏଭଳି ମାନ୍ୟତା ଯୋଗୁଁ ମନ୍ଦିର ମଧ୍ୟକୁ ୧୦ ରୁ ୫୦ ବର୍ଷର ମହିଳାଙ୍କୁ ପ୍ରବେଶ ଅନୁମତି ନାହିଁ ।

Leave A Reply

Your email address will not be published.