Latest Odisha News

BREAKING NEWS

ଜଳେଶ୍ୱର ଏସଡିପିଓଙ୍କ ଆତ୍ମହତ୍ୟା ଧମକ, ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଭିଯୋଗ 

ବାଲେଶ୍ୱର: ବାଲେଶ୍ୱରରେ ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ତଥା ଜଳେଶ୍ୱରର ଏସଡିପିଓ ଭାବରେ ଅତିରିକ୍ତ ଦାୟିତ୍ୱରେ କାର୍ଯ୍ୟରତ ଥିବା ଆଦିବାସୀ ଅଧିକାରୀ ବ୍ରଜମୋହନ ପ୍ରଧାନ (୫୮) ଆତ୍ମହତ୍ୟା ଧମକ ଦେଇଛନ୍ତି।

ସେ ପୂର୍ବାଞ୍ଚଳ ରେଞ୍ଜର ପୋଲିସ ଆଇଜିଙ୍କୁ ଚିଠି ଲେଖି  ଅଭିଯୋଗ କରିଛନ୍ତି ଯେ ସେ ବରିଷ୍ଠ ଅଧିକାରୀଙ୍କ ଦ୍ବାରା  ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର ହେଉଛନ୍ତି।

ସେ ତାଙ୍କର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରୁଥିଲେ ମଧ୍ୟ  କାର୍ଯ୍ୟାଳୟରୁ ତାଙ୍କୁ କୌଣସି ପ୍ରକାର ସମର୍ଥନ ମିଳୁନାହିଁ। ଏକା ସମୟରେ ବାଲେଶ୍ୱର ଏବଂ ଜଳେଶ୍ୱର ଉଭୟ ଜାଗାରେ କାର୍ଯ୍ୟ ଦାୟିତ୍ୱ ତାଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

ଜଳେଶ୍ୱର ଏସଡିପିଓ ଭାବେ ଅତିରିକ୍ତ ଦାୟିତ୍ୱକୁ ପ୍ରତ୍ୟାହାର କରିବାକୁ ସେ ଅନୁରୋଧ କରିଛନ୍ତି। ଏପରିକି ଦାବି ପୂରଣ ନ ହେଲେ ସେ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଛନ୍ତି। ଏସବୁ ମଧ୍ୟରେ ବ୍ରଜମୋହନ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜଳେଶ୍ୱରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣା ପରେ ପୂର୍ବାଞ୍ଚଳ ରେଞ୍ଜର ଡିଆଇଜି ସତ୍ୟଜିତ ନାଏକ ହସ୍ପିଟାଲକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ତେବେ ଏହା ପୂର୍ବରୁ ମଧ୍ୟ ସେ ବାଲେଶ୍ୱର ଏସ୍ପିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ।

 

Comments are closed.