ବିଡ଼ିଓମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍: କହିଲେ-ମୋ ସରଳତା ମୋ ଦୁର୍ବଳତା ନୁହେଁ, ମୁଁ ବି ନେଇପାରେ ହାର୍ଡ ନିଷ୍ପତ୍ତି
ଭୁବନେଶ୍ୱର: ବିଡ଼ିଓମାନଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ, ମୋ ଛୋଟିଆ ବ୍ରେନ୍ରେ ସବୁ ସେଭ୍ ଅଛି। ସେକାଳ ପଖାଳ ଆଉ ନାହିଁ। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କ୍ଷମା ଦେବିନି, ଆମ ଲାଇନ୍ରେ ସେଟଅପ୍ ହେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ। ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁ ନାହାନ୍ତି। ଏପରି କଲେ ହାର୍ଡ ନିଷ୍ପତ୍ତି ନିଆଯିବ।
ଗୁରୁବାର ଏଭଳି କିଛି କଥା କହିବା ସହିତ ବିଡିଓଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି। ଆଦିବାସୀ ବର୍ଗରୁ ପ୍ରତିନିଧିତ୍ଵ କରୁଛି। କିନ୍ତୁ ମୁଁ ବହୁତ ବଡ଼ ନିଷ୍ପତ୍ତି ନେଇପାରେ। ମୋ ପାଖରେ ସବୁ ରିପୋର୍ଟ ରହିଛି। ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ। ଯିଏ କାମ ନକରିବ କ୍ଷମା ନାହିଁ। କୌଣସି ରାଜନୈତିକ ଚାପରେ ବଶବର୍ତ୍ତୀ ନହୋଇ କାମ କରିବାକୁ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହାସହ ବର୍ତ୍ତମାନ ଜିଏ ବିଭାଗର ଅତିରିକ୍ତ ସଚିବ ଥିବା ମନୋଜ କୁମାର ମହାନ୍ତି ବିଡିଓ ଥିବା ବେଳେ ଭଲ କାମ କରିଥିବା କହି ଉଦାହରଣ ଦେଇଛନ୍ତି। ଏହାସହ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମନରେଗାରେ ମେସିନରେ କାମ ବନ୍ଦ କର। ମେସିନ୍ ନଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ଆଗାମୀ ଦିନରେ ଗାଇଡଲାଇନ୍ ଆସିବ। ମନରେଗାରେ ଲେବର୍ ଲଗାଇ କାମ ନକରି ମେସିନରେ କାମ ହେଉଛି। ମଷ୍ଟର ରୋଲରେ ବିଭିନ୍ନ ଲୋକଙ୍କ ନା ପକାଇ କାମ ହେଉଛି। ଯାହାର ନା ମଷ୍ଟର ରୋଲରେ ଅଛି, ସେ ମହାବିଦ୍ୟାଳୟର ଲେକ୍ଚର ତ ଆଉ କେଉଁଠି ମେଡିସିନ୍ ଡାକ୍ତର ବୋଲି କହିବା ସହିତ ତୁରନ୍ତ ଶ୍ରମିକଙ୍କୁ ନିଯୁକ୍ତି କରି କାମ କରିବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Comments are closed.