ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଭାରତର ସାମରିକ ପ୍ରତିକ୍ରିୟା ‘ଅପରେସନ ସିନ୍ଦୁର’ ପୂର୍ବରୁ ପାକିସ୍ତାନରେ ଏକ ହାଇ-ପ୍ରୋଫାଇଲ କ୍ରିପ୍ଟୋ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ବର୍ତ୍ତମାନ ଭାରତ ଓ ଆମେରିକାରେ ତଦନ୍ତର ଆଲୋଚନାରେ ରହିଛି, କାରଣ ଏଥିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାର ଓ ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନୀରଙ୍କ ସମ୍ପୃକ୍ତିର ଖବର ସାମ୍ନାକୁ ଆସିଛି। ଏହି ଚୁକ୍ତି ଆମେରିକୀୟ କ୍ରିପ୍ଟୋ ଫାର୍ମ ଓ୍ଵାର୍ଲ୍ଡ ଲିବର୍ଟୀ ଫାଇନାନ୍ସିଆଲ ଓ ପାକିସ୍ତାନର ନୂଆ ଗଠିତ Bilateral Agreement ମଧ୍ୟରେ ହୋଇଥିଲା। ଚୁକ୍ତିର ତଥ୍ୟ ପ୍ରକାଶ ପାଇବା ପରେ ରାଜନୈତିକ ଓ ସୁରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ଗଭୀର ଚିନ୍ତା ଦେଖାଦେଇଛି।
ଓ୍ଵାର୍ଲ୍ଡ ଲିବର୍ଟୀ ଫାଇନାନ୍ସିଆଲ ଓ ଟ୍ରମ୍ପ ପରିବାର
ଓ୍ଵାର୍ଲ୍ଡ ଲିବର୍ଟୀ ଫାଇନାନ୍ସିଆଲ ହେଉଛି ଏକ ଆମେରିକୀୟ କ୍ରିପ୍ଟୋ ଓ ଫିନଟେକ କମ୍ପାନୀ, ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁତ୍ର ଏରିକ ଟ୍ରମ୍ପ, ଡୋନାଲ୍ଡ ଟ୍ରମ୍ପ ଜୁନିଅର ଓ ତାଙ୍କ ଜାମାତା ଜାରେଡ କୁଶନରଙ୍କର ମିଳିତ ଭାବେ ୬୦ ପ୍ରତିଶତ ଅଂଶୀଦାରୀ ରହିଛି। ଏହି ଫାର୍ମ ଏପ୍ରିଲ ୨୦୨୫ରେ ପାକିସ୍ତାନ ସହ ଏକ ବ୍ଲକଚେନ ଆଧାରିତ ସହଭାଗୀତା ପାଇଁ ରାଜି ହୋଇଥିଲା। ଏହି ସହମତି ପାକିସ୍ତାନର ନୂଆ ଗଠିତ ପାକିସ୍ତାନ କ୍ରିପ୍ଟୋ କାଉନସିଲ ସହ ହୋଇଥିଲା। ଏହି କାଉନସିଲ ନିଜର ବିଶ୍ୱସନୀୟତା ବୃଦ୍ଧି ପାଇଁ ବିନାନ୍ସ ଏକ୍ସଚେଞ୍ଜର ପ୍ରତିଷ୍ଠାତା ଚାଙ୍ଗପେଙ୍ଗ ଝାଓଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି।
ଆମେରିକୀୟ ପ୍ରତିନିଧିମଣ୍ଡଳର ପାକିସ୍ତାନ ଗସ୍ତ
ଏହି ଚୁକ୍ତିରେ ସ୍ୱାକ୍ଷର କରିବା ପାଇଁ ଆମେରିକାରୁ ଏକ ପ୍ରତିନିଧିମଣ୍ଡଳ ପାକିସ୍ତାନ ଗସ୍ତ କରିଥିଲା, ଯେଉଁଥିରେ ଫାର୍ମର ପ୍ରତିଷ୍ଠାତା ଜାଚାରୀ ଓ୍ଵିଟକଫ ମଧ୍ୟ ସାମିଲ ଥିଲେ। ଜାଚାରୀ ହେଉଛନ୍ତି ସ୍ଟିଭ ଓ୍ଵିଟକଫଙ୍କ ପୁତ୍ର, ଯିଏ ଟ୍ରମ୍ପଙ୍କ ପୁରୁଣା ବ୍ୟବସାୟୀ ସହଯୋଗୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର ନିଜେ ଏହି ଟିମକୁ ସ୍ୱାଗତ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ ଏକ ବନ୍ଦ କୋଠରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ବନ୍ଦ କୋଠରୀ ବୈଠକ ଏବଂ ସେନା ମୁଖ୍ୟଙ୍କ ସାମିଲ ହେବା ଏହି ଚୁକ୍ତିକୁ ଏକ ସାଧାରଣ ବାଣିଜ୍ୟିକ ଚୁକ୍ତିଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରୂପ ଦେଇଛି।
ଚୁକ୍ତିର ସମୟକୁ ନେଇ ସନ୍ଦେହ
ପାକିସ୍ତାନ କ୍ରିପ୍ଟୋ କାଉନସିଲ ଏବଂ ଓ୍ଵାର୍ଲ୍ଡ ଲିବର୍ଟୀ ଫାଇନାନ୍ସିଆଲ ଏହି ଚୁକ୍ତିକୁ ଏକ ବୈଷୟିକ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ପାକିସ୍ତାନରେ ଆର୍ଥିକ ସମାବେଶ ଏବଂ ଡିଜିଟାଲ ରୂପାନ୍ତରଣକୁ ପ୍ରୋତ୍ସାହନ ଦେବା। ଏହା ଅଧୀନରେ ବ୍ଲକଚେନ ଟେକ୍ନୋଲୋଜିକୁ ସରକାରୀ ଅନୁଷ୍ଠାନମାନଙ୍କରେ ସଂଯୋଜନ କରିବା, ସ୍ଟେବଲକଏନ ବିକାଶ କରିବା ଏବଂ କ୍ରିପ୍ଟୋ ଆଧାରିତ ପାଇଲଟ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବାର ଯୋଜନା ରହିଛି। କିନ୍ତୁ ଚୁକ୍ତିର ସମୟ ଏବଂ ଏଥିରେ ସାମିଲ ବ୍ୟକ୍ତିଙ୍କ ପୃଷ୍ଠଭୂମି ଏହାକୁ ଏକ ସାଧାରଣ ନିବେଶରୁ ଅଧିକ ଏକ ରଣନୀତିକ ଚୁକ୍ତି ରୂପେ ଦେଖାଯାଉଛି।
ଭାରତରେ ଅନେକ ରଣନୀତିକ ବିଶେଷଜ୍ଞ ଏବଂ ସୁରକ୍ଷା ବିଶ୍ଳେଷକ ଏହି ଚୁକ୍ତି ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ଏହି ଚୁକ୍ତି ପାକିସ୍ତାନର ଆତଙ୍କବାଦୀ ଅର୍ଥଯୋଗାଣ ଢାଞ୍ଚାକୁ ଲୁଚାଇବା ଏବଂ ଆର୍ଥିକ ହେରଫେର ପାଇଁ ବ୍ୟବହାର ହୋଇପାରେ। ବିଶେଷକରି ଯେତେବେଳେ ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନରେ ଆତଙ୍କବାଦୀ ଢାଞ୍ଚାକୁ ବଡ଼ ଧରଣର କ୍ଷତି ପହଞ୍ଚିଛି। ଚୁକ୍ତିର ସମୟ ଏବଂ ଏଥିରେ ସାମିଲ ବ୍ୟକ୍ତିଙ୍କ ଭୂମିକା ଉପରେ ସନ୍ଦେହ ଉଠୁଛି। ଅନ୍ୟପଟେ ଆମେରିକାରେ ଏପର୍ଯ୍ୟନ୍ତ ଟ୍ରମ୍ପ ପରିବାର କିମ୍ବା ହ୍ୱାଇଟ ହାଉସ ପକ୍ଷରୁ କୌଣସି ବୟାନ ଆସିନାହିଁ। ଓ୍ଵାର୍ଲ୍ଡ ଲିବର୍ଟୀ ଫାଇନାନ୍ସିଆଲ କହିଛି ଯେ, ଏହି ଚୁକ୍ତି ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। କିନ୍ତୁ ରଣନୀତିକ ବିଶ୍ଳେଷକମାନେ ମାନୁଛନ୍ତି ଯେ, ଏପରି ପାରଦର୍ଶିତା ବିହୀନ ଚୁକ୍ତି ଭବିଷ୍ୟତରେ ବଡ଼ ଭୂ-ରାଜନୈତିକ ସଙ୍କଟର କାରଣ ହୋଇପାରେ।
ପହଲଗାମ ଆକ୍ରମଣ ଓ ‘ଅପରେସନ ସିନ୍ଦୁର’ ଭଳି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଏହି ଚୁକ୍ତି ସାମ୍ନାକୁ ଆସିବା ଭାରତ-ଆମେରିକା-ପାକିସ୍ତାନ ସମ୍ପର୍କରେ ଏକ ନୂଆ ଓ ଜଟିଳ ଅଧ୍ୟାୟ ଯୋଡ଼ୁଛି। ଏହା ସ୍ପଷ୍ଟ ହେଉଛି ଯେ, ଭବିଷ୍ୟତର ରଣନୀତିକ ଲଢ଼େଇ କେବଳ ଅସ୍ତ୍ରଶସ୍ତ୍ର ଦ୍ୱାରା ନୁହେଁ, ବରଂ ଆର୍ଥିକ ଏବଂ ବୈଷୟିକ ମେଣ୍ଟ ମାଧ୍ୟମରେ ମଧ୍ୟ ଲଢ଼ାଯିବ। ଯେପର୍ଯ୍ୟନ୍ତ ଏହି ଚୁକ୍ତିର ପୂର୍ଣ୍ଣ ସତ୍ୟତା ସାମ୍ନାକୁ ଆସିନାହିଁ, ସେ ଯାଏ ଏହି ପ୍ରଶ୍ନ ଉଠିବ ଯେ, ଏହା କ’ଣ ବୈଷୟିକ ବିକାଶ ପାଇଁ ଥିଲା, ନା ଏହା ପଛରେ କିଛି ଲୁଚି ରହିଥିବା ରାଜନୈତିକ ଓ ସୁରକ୍ଷା ଏଜେଣ୍ଡା ରହିଛି?
Comments are closed.