Latest Odisha News

BREAKING NEWS

ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ଏସଟିଏଫକୁ ଦାୟିତ୍ଵ

ଭୁବନେଶ୍ୱର: ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓଡ଼ିଶା ସରକାର ସୋମବାର ଦିନ ରାଜ୍ୟରେ ଏପରି ଅଣ ନାଗରିକଙ୍କୁ ଚିହ୍ନଟ  ପାଇଁ ପଦକ୍ଷେପ ନେଇଛନ୍ତି। ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍)କୁ ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। “ବୈଧ କାଗଜପତ୍ର ବିନା କୌଣସି ବିଦେଶୀ ନାଗରିକଙ୍କୁ ଓଡ଼ିଶାରେ ରହିବାକୁ ଅନୁମତି ଦିଆଯିବ ନାହିଁ। ନିଯୁକ୍ତି ସଂସ୍ଥାଗୁଡ଼ିକ ଯେପରି ବାଂଲାଦେଶୀ କିମ୍ବା ବିଦେଶୀ ନାଗରିକଙ୍କୁ ନିୟୋଜିତ ନକରନ୍ତି ତାହା ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଇଞ୍ଜିନିୟରିଂ ବିଭାଗକୁ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସମସ୍ତ ଜିଲ୍ଲା କଲେକ୍ଟର, ଉପକୂଳ ସୁରକ୍ଷା ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଚିହ୍ନଟ ପ୍ରକ୍ରିୟା ସମନ୍ୱୟ ପାଇଁ ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ ଗଠନ କରାଯାଇଛି।

ରିପୋର୍ଟ ଅନୁସାରେ, ଏସଟିଏଫ୍ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଏପରି ବହୁ ସଂଖ୍ୟକ ଅବୈଧ ବସତି ଚିହ୍ନଟ କରିଛି।

ତେବେ ଏସଟିଏଫ୍ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସମ୍ପ୍ରତି, ଆମେ ୧୦ ଜଣ ଅବୈଧ ବାଂଲାଦେଶୀ ପ୍ରବାସୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛୁ। ଯେହେତୁ ଆମର ଏକ ଲମ୍ବା ଉପକୂଳ ଅଛି। ସେଥିପାଇଁ ଆମେ ବେଆଇନ ବାଂଲାଦେଶୀ ପ୍ରବାସୀଙ୍କୁ ଚିହ୍ନଟ କରିବା ଲାଗି ସାମୁଦ୍ରିକ ଏବଂ ଉପକୂଳ ପୋଲିସ ସମେତ ଅନେକ ଏଜେନ୍ସି ସହିତ ସମନ୍ୱୟ ରଖିଛୁ ବୋଲି ଗଣମାଧ୍ୟମକୁ କହିଛନ୍ତି ଡିଆଇଜି ସ୍ପେଶାଲ୍ ଟାସ୍କ ଫୋର୍ସ ପିନାକ ମିଶ୍ର। ସେ ଆହୁରି କହିଛନ୍ତି ଯେ ଏପରି ଅବୈଧ ପ୍ରବାସୀ ଜଳପଥ ଦେଇ କିମ୍ବା ପଶ୍ଚିମବଙ୍ଗ ସୀମାନ୍ତରୁ ଓଡ଼ିଶାରେ ପ୍ରବେଶ କରିପାରନ୍ତି। ଆମେ ଚିହ୍ନଟ ହୋଇଥିବା ହଟସ୍ପଟ୍ ଉପରେ କଡ଼ା ନଜର ରଖିଛୁ।

 

Comments are closed.