ପୁରୀ: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ହରିୟାଣାର ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ । ଏହି ସମୟରେ ସେ ତାଙ୍କ ବାନ୍ଧବୀ ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ଶ୍ରୀମନ୍ଦିର ଓ ପୁରୀ ବେଳାଭୂମି ଆଦି ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥିଲେ । ତେବେ ଏହି ସମୟରେ ସେ ବୁଲିବା ସହ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି ।
ତେବେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଅଟକ ରହିଥିଲେ ଜ୍ୟୋତି । ହେଲେ ବାନ୍ଧବୀ ପ୍ରିୟଙ୍କାଙ୍କ ଅନୁରୋଧ କ୍ରମେ ଜ୍ୟୋତିଙ୍କୁ ଛାଡ଼ିଥିଲା ପୁରୀ ପୋଲିସ । ତେବେ ଡ୍ରୋନ୍ ଉଡାଇବା ସହ ପୁରୀ ବେଳାଭୂମି ବୁଲି ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ଆଉ ଏହି ଭିଡିଓ ଓ ଫଟୋକୁ ସେ ତାଙ୍କ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଅପଲୋଡ କରିଥିଲେ ।
ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଆଇଏସଆଇ ପାଇଁ ଗୁପ୍ତଚର ଭାବେ କାମ କରୁଥିବାରୁ ଏବେ ଏହି ଘଟଣା ପଛରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ରହିଛି ନା ନାହିଁ ସେନେଇ ଖୋଳତାଡ ଆରମ୍ଭ ହୋଇଛି । ଅନ୍ୟପଟେ, ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀ ଯୁବତୀ ପ୍ରିୟଙ୍କା ସେନାପତି । ତାଙ୍କୁ ପୁଣି ଥରେ ଜେରା କରାଯାଉଥିବା ସୂଚନା ମିଳିଛି ।
ଜ୍ୟୋତିଙ୍କ ସହ ଲିଙ୍କ୍ ଥିବାରୁ ପୁଲିସ ବିଭିନ୍ନ ଦିଗକୁ ନେଇ ଜେରା କରୁଥିବା ପୁରୀ ଏସପି ଭିନିତ ଅଗ୍ରଓ୍ବାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Comments are closed.