ନୂଆଦିଲ୍ଲୀ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଲାଣି ୟୁକ୍ରେନ୍ । ଗୋଟେପଟେ ସେନା ବଳ ଆଉ ଅନ୍ୟପଟେ ଏବେ ମନୋବଳ ସବୁ ଭାଙ୍ଗିବାକୁ ବସିଲାଣି । ଯାହାକୁ ନେଇ ଏବେ ଚାପାଗ୍ରସ୍ତ ରହିଛି ୟୁକ୍ରେନ୍ । ଯୁଦ୍ଧ ବିରତି ନେଇ ସବୁ ପ୍ରୟାସ ଜାରି ରଖିଛି । ହେଲେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି । କିନ୍ତୁ ସାଢେ ୩ ବର୍ଷ ଧରି ଚାଳଇଥିବା ଏ ଯୁଦ୍ଧରେ ଏବେ ଜବନିକା ପଡିବା ନେଇ ଆଶା କରାଯାଉଛି । ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଆସିବା ମାତ୍ରେ ସେ ସମସ୍ତ ଦଙ୍ଗା ବନ୍ଦ କରିବେ ବୋଲି ଘୋଷଣା କରିଥିବା ବେଳେ, ଏନେଇ ରୁଷ ୟୁକ୍ରେନ ସହ ଅନେକ ଆଲୋଚନା କରିଛନ୍ତି ଟ୍ରମ୍ପ । ପ୍ରତ୍ୟେକ ଯୁଦ୍ଧରତ ଦେଶରେ ଶାନ୍ତି ସ୍ଥାପନକାରୀ ପାଲଟିଥିବା ଡୋନାଲ୍ଡ ଟ୍ରମ୍ପ୍ ରୁଷ-ୟୁକ୍ରେନ ପ୍ରସଙ୍ଗରେ ବିଶେଷ କିଛି କରିପାରୁ ନାହାଁନ୍ତି। ଏହାରି ଭିତରେ ନିଜେ ରୁଷ ୟୁକ୍ରେନ ସହ ଯୁଦ୍ଧବିରତି ନେଇ ଆଲୋଚନା କରିବାକୁ ମଙ୍ଗିଥିବା ବେଳେ ୟୁକ୍ରେନ ଆଗରେ ବଡ ସର୍ତ୍ତ ରଖିଛି । ଯାହା ଶୁଣି ଏବେ ମୁଣ୍ଡରେ ହାତ ଦେଇଛି ୟୁକ୍ରେନ । କ’ଣ କରିବ ବଡ ଦ୍ବିବିଧାରେ ପଡିଛି ।
କ’ଣ ରହିଛି ସର୍ତ୍ତ?
ରୁଷ ୟୁକ୍ରେନ ସହିତ ଆଲୋଚନା ପାଇଁ ରଖିଥିବା ସର୍ତ୍ତ ଅନୁଯାୟୀ, ୟୁକ୍ରେନୀୟ ସେନାକୁ ପାଞ୍ଚଟି ରାଜ୍ୟ ଖାଲି କରିବାକୁ ପଡିବ । ତାହା ହେଉଛି, ଡେନେଟସ୍କ, ଲୁହାନସ୍କ, ଖେରସଁନ, ଜାପୋରିଝିଆ ଏବଂ ଖାରକିଭ। ଯୁଦ୍ଧ ପୂର୍ବରୁ, ଏହି ରାଜ୍ୟଗୁଡ଼ିକରେ ଦଶ ନିୟୁତରୁ ଅଧିକ ୟୁକ୍ରେନୀୟ ବାସ କରୁଥିଲେ । କିନ୍ତୁ ଏବେ ଯୁଦ୍ଧ ପରେ ଏହା ରୁଷ ଅକ୍ତିଆରରେ ରହିଛି । ଆଉ ରୁଷ ଚାହୁଁଛି ଅକ୍ତିଆର କରିଥିବା ରାଜ୍ୟ ଏବେ ତା ଅଧିନରେ ରହିବ । ଏଥିସହିତ ୟୁକ୍ରେନକୁ ଆଇନଗତ ଭାବରେ କ୍ରିମିଆକୁ ରୁଷକୁ ହସ୍ତାନ୍ତର କରିବାକୁ ପଡିବ । ଆଉ ନାଟୋରୁ ୟୁକ୍ରୋନକୁ ଓହରିବାକୁ ପଡିବ । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଶାନ୍ତିର ଏହି ବ୍ଲୁପ୍ରିଣ୍ଟ ଉପରେ ଆମେରିକାର ବିଶେଷ ଆପତ୍ତି ନାହିଁ। ଯାହାକୁ ନେଇ ଚିନ୍ତାରେ ୟୁକ୍ରେନ୍ ।
କାହିଁକି ରୁଷ ଚାହୁଁଛି ଏହି ୫ ଜାଗା ?
ଡେନେଟସ୍କ ଅଞ୍ଚଳରେ ରୁଷିଆନ ଭାଷାଭାଷୀଙ୍କ ସଂଖ୍ୟା ଅଧିକ, ଯେଉଁମାନେ ନିଜକୁ ରୁଷର ନିକଟତର ବୋଲି ଭାବନ୍ତି। ଗତ ଜନଗଣନା ଅନୁସାରେ, ଡେନେଟସ୍କର ପ୍ରାୟ ୭୫ ପ୍ରତିଶତ ଜନସଂଖ୍ୟା ରୁଷୀୟ ଭାଷା କହନ୍ତି। ସେମାନେ ସାଂସ୍କୃତିକ ଭାବରେ ରୁଷ ସହିତ ମଧ୍ୟ ଜଡିତ। ୨୦୧୪ ମସିହାରେ ରୁଷ-ୟୁକ୍ରେନ ବିବାଦ ପୂର୍ବରୁ, ଏଠାକାର ଲୋକମାନେ ରୁଷ ସହିତ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ସମର୍ଥନ କରିଆସୁଥିଲେ। ୨୦୧୪ ମସିହାରେ କ୍ରିମିଆ ଋଷ ସହିତ ମିଶ୍ରଣ ହେବା ପରେ, ଏଠାକାର ଲୋକମାନେ ଖୋଲାଖୋଲି ଭାବରେ ମସ୍କୋକୁ ସମର୍ଥନ କରିବା ଆରମ୍ଭ କରିଥିଲେ। ୟୁକ୍ରେନୀୟ ସେନା ଏବଂ ରୁଷ ସମର୍ଥକଙ୍କ ମଧ୍ୟରେ ଏଥିପାଇଁ ପ୍ରବଳ ସଂଘର୍ଷ ହୋଇଛି। ଲୁହାନସ୍କ ମଧ୍ୟ ରୁଷ ସମର୍ଥକ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ପରିପୂର୍ଣ୍ଣ। ଏହି ଅଞ୍ଚଳର ବିଚ୍ଛିନ୍ନତାବାଦୀମାନେ ମଧ୍ୟ ୟୁକ୍ରେନରୁ ଅଲଗା ହେବା ଘୋଷଣା କରିଥିଲେ। ଆଉ ଜାପୋରିଝିଆ ଏବଂ ଖେରସନର ଅନେକ ଅଂଶ ୨୦୨୨ ମସିହାରେ ହିଁ ରୁଷ ଦ୍ୱାରା କବଜା କରାଯାଇଥିଲା। ତଥାପି, ୟୁକ୍ରେନୀୟ ସୈନ୍ୟମାନେ ଖେରସନ ସହର ଭଳି କିଛି ଅଂଶକୁ ପୁନର୍ବାର ଦଖଲ କରିଥିଲେ। ଆଉ ଏବେ ମସ୍କୋ ସେହି ସମାନ ଅଞ୍ଚଳଗୁଡ଼ିକୁ ଖାଲି କରିବାକୁ ଚାହୁଁଛି।
ରୁଷର କ୍ରିମିଆ ଅଧିକାର
ଶାନ୍ତି ଆଲୋଚନା ପାଇଁ ଯେଉଁ ସର୍ତ୍ତ ଉପରେ ରୁଷ ବେଶୀ ଗୁରୁତ୍ବ ଦେଇଛି, ତାହା ହେଲା ୟୁକ୍ରେନ ସବୁଦିନ ପାଇଁ କ୍ରିମିଆରୁ ଦୂରେଇ ଯିବ । କାରଣ ୨୦୧୪ ମସିହାରେ, ୟୁକ୍ରେନରେ ରାଜନୈତିକ ଅସ୍ଥିରତା ମଧ୍ୟରେ, ରୁଷ କ୍ରିମିଆକୁ ତାର ସେନା ପଠାଇଥିଲା ଏବଂ ସେଠାରେ ଏକ ଜନମତ ସଂଗ୍ରହ ପରେ, ଦାବି କରିଥିଲା ଯେ କ୍ରିମିଆର ଲୋକମାନେ ରୁଷରେ ମିଶିବାକୁ ଚାହୁଁଛନ୍ତି। ଏହା ପରେ, ରୁଷ କ୍ରିମିଆକୁ ନିଜର ଅଂଶ ଭାବରେ ବିଚାର କରିବା ଆରମ୍ଭ କରିଥିଲା । ଏମିତିକି ସେଠାରେ ଏବେ ରୁଷୀୟ ଆଇନ ଏବଂ ରୁଷ ପ୍ରଶାସନ ବି ଚାଲୁଛି । କିନ୍ତୁ ୟୁକ୍ରେନ୍ ଏହାକୁ ଏକ ପ୍ରତାରଣା ବୋଲି ବିବେଚନା କରି ଏବେ ବି କ୍ରିମିଆ ଉପରେ ନିଜର ଜୋର୍ ବଜାୟ ରଖିଛି ।
କାହିଁକି ଏତେ କଠୋର ସର୍ତ୍ତ?
ରୁଷ ଏହି ଅଞ୍ଚଳଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଛି ଯାହା ଦ୍ଵାରା ସେ ସେଠାରେ ନିଜର ସରକାର ଚଳାଇପାରିବ ଏବଂ ୟୁକ୍ରେନୀୟ ହସ୍ତକ୍ଷେପକୁ ସମାପ୍ତ କରିପାରିବ । ଏହି ଅଞ୍ଚଳଗୁଡ଼ିକୁ ଦଖଲ କରି, ରୁଷ ୟୁକ୍ରେନ ଏବଂ ନାଟୋ ମଧ୍ୟରେ ଏକ ବଫର ଜୋନ୍ ବି ସୃଷ୍ଟି କରିବାକୁ ଚାହୁଁଛି ଯାହା ଦ୍ଵାରା ସେ ହଠାତ୍ ଯେପରି କୌଣସି ବିପଦର ସମ୍ମୁଖୀନ ନ ହୁଏ । ଯାହାକୁ ନେଇ ରୁଷ ଦାବି କରୁଛି ଯେ ଏହି ଅଞ୍ଚଳର ଲୋକମାନେ ରୁଷରେ ସାମିଲ ହେବାକୁ ଚାହୁଁଛନ୍ତି। ତଥାପି, ଆନ୍ତର୍ଜାତୀୟ ସ୍ତରରେ ଏହି ଦାବିଗୁଡ଼ିକୁ ଫମ୍ପା ବୋଲି ବିବେଚନା କରାଯାଇଛି।
Comments are closed.