Latest Odisha News

BREAKING NEWS

ଓଡ଼ିଆ ପୁଅ ହେଲେ ଭାରତୀୟ ଜୁନିଅର ପୁରୁଷ ହକି ଦଳର ସହାୟକ ପ୍ରଶିକ୍ଷକ; ଲକ୍ଷ୍ୟ ନିର୍ଭୀକ ଦଳ ଗଠନ

ନୂଆଦିଲ୍ଲୀ: ଆଗାମୀ FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ୨୦୨୫ ପୂର୍ବରୁ, ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଭାରତୀୟ ଜୁନିଅର ପୁରୁଷ ହକି ଦଳରେ ସହାୟକ ପ୍ରଶିକ୍ଷକ ଭାବରେ ଯୋଗ ଦେଇଛନ୍ତି। ୩୫ ବର୍ଷୀୟ ଅଭିଜ୍ଞ ଡିଫେଣ୍ଡର କିମ୍ବଦନ୍ତୀ ଗୋଲକିପର ପିଆର ଶ୍ରୀଜେଶଙ୍କ ସହିତ କାର୍ଯ୍ୟ କରିବେ । ଶ୍ରୀଜେଶ ବର୍ତ୍ତମାନ ଦଳର ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି।

୨୮ ନଭେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମାଦୁରାଇରେ FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ୨୦୨୫ ଆୟୋଜିତ ହେବ ।

ତାଙ୍କର ନୂତନ ଦାୟିତ୍ବ ବିଷୟରେ ବିରେନ୍ଦ୍ର ଲାକ୍ରା କହିଛନ୍ତି, “ଏତେ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତୀୟ ଜୁନିଅର ପୁରୁଷ ଦଳର ଅଂଶ ହେବା ଏକ ବଡ଼ ସମ୍ମାନର କଥା। ମୁଁ ଜାଣେ ଯେ ଭାରତ ଜର୍ସି ପିନ୍ଧିବା ପାଇଁ କ’ଣ ଆବଶ୍ୟକ, ଏବଂ ବର୍ତ୍ତମାନ ମୁଁ ପରବର୍ତ୍ତୀ ପିଢ଼ିର ଖେଳାଳିମାନଙ୍କୁ ବଡ଼ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବି। ସାଥୀ ଖେଳାଳି୍ ଶ୍ରୀଜେଶଙ୍କ ସହିତ କାମ କରିବା ଏକ ରୋମାଞ୍ଚକର ଚ୍ୟାଲେଞ୍ଜ। ଆମେ ଆଗାମୀ ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ଏକ ନିର୍ଭୀକ ଏବଂ ଭଲ ଭାବରେ ପ୍ରସ୍ତୁତ ଦଳ ଗଠନ କରିବାକୁ ପ୍ରତିବଦ୍ଧ । ବିଶେଷକରି ଏହି ବର୍ଷ ଶେଷରେ ହେବାକୁ ଥିବା ଜୁନିଅର ବିଶ୍ୱକପ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଭାରତୀୟ ଜୁନିଅର ପୁରୁଷ ଦଳର ପ୍ରଶିକ୍ଷକ ପିଆର ଶ୍ରୀଜେଶ ଏହି ଯୋଗଦାନ ବିଷୟରେ ତାଙ୍କର ଉତ୍ସାହ ପ୍ରକାଶ କରି କହିଛନ୍ତି, “ବୀରେନ୍ଦ୍ର ଆମ ସହିତ ଯୋଗ ଦେବା ନେଇ ବେଶ୍ ଉତ୍ସାହିତ। ସେ ଅଭିଜ୍ଞତା, କୌଶଳଗତ ବୁଦ୍ଧିମତା ଏବଂ ଶାନ୍ତ ନେତୃତ୍ୱର ଏକ ଭଣ୍ଡାର , ଯାହା ଏହି ଯୁବ ଖେଳାଳିମାନଙ୍କ ପାଇଁ ଅମୂଲ୍ୟ ହେବ। ମୁଁ ନିଶ୍ଚିତ ଯେ ଆମେ ପ୍ରଶିକ୍ଷକ ଭାବରେ ଏହି ନୂତନ ଅଧ୍ୟାୟରେ ସମାନ ସମନ୍ୱୟ ଏବଂ ପ୍ରତିବଦ୍ଧତା ଆଣିବୁ। ଏକାଠି ଆମେ ଏକ ଏପରି ଦଳକୁ ଗଠନ କରିବାକୁ ଚାହୁଁ ଯିଏ ଦେଶକୁ ଗର୍ବିତ କରିପାରିବ।”

ଅଭିଜ୍ଞ ଆନ୍ତର୍ଜାତୀୟ ଖେଳାଳି ବୀରେନ୍ଦ୍ର ଲାକ୍ରା ୨୦୧୦ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଓଡିଆ ପୁଅ ଲାକ୍ରା ଖୁବ ଶୀଘ୍ର ଦଳର ସବୁଠୁ ନିର୍ଭରଯୋଗ୍ୟ ଡିଫେଣ୍ଡର ପାଲଟି ଯାଇଥିଲେ। ସେ ଦୁଇଟି ଅଲିମ୍ପିକ୍ ଗେମ୍ସ – ଲଣ୍ଡନ 2012 ଏବଂ ଟୋକିଓ 2020 ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ; ଯେଉଁଥିରେ ଭାରତ ଏକ ଐତିହାସିକ କାଂସ୍ୟ ପଦକ ଜିତିଥିଲା। ଏକ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ଏକ ଚମତ୍କାର କ୍ୟାରିୟରରେ ଲାକ୍ରା ବିଶ୍ୱକପ୍, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ନିକଟରେ ଡିଫେଣ୍ଡର ବୀରେନ୍ଦ୍ର ହିରୋ ହକି ଇଣ୍ଡିଆ ଲିଗ୍ 2024-25ରେ ଟିମ୍ ଗୋନାସିକା ପାଇଁ ଖେଳି ତାଙ୍କର ଫିଟନେସ୍ ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ । ଯାହା ଭାରତୀୟ ହକି ପ୍ରତି ତାଙ୍କର ସ୍ଥାୟୀ ପ୍ରତିବଦ୍ଧତାକୁ ଆହୁରି ସ୍ପଷ୍ଟ କରିଥିଲା।

Comments are closed.