Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୪୮: ବିଷାଦ ଗ୍ରସ୍ତ ଅର୍ଜୁନଙ୍କୁ ମୁକ୍ତି ଦେବା ପାଇଁ ଶ୍ରୀକୃଷ୍ଣ ଦେଇଥିବା ଉପଦେଶରୁ ଉଦ୍ଭବ ଶ୍ରୀ ଭାଗବତ ଗୀତା

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଉତ୍ପନ୍ନ କାହାଣୀ ଅତ୍ୟନ୍ତ ଭାବଉଦୀପକ ଆମେ ଜାଣିଛେ। ଶ୍ରୀ ଭାଗବତ ଗୀତା ଅର୍ଜୁନଙ୍କ ବିଷାଦ ଯୋଗ ବା ବିଷାଦ ଗ୍ରସ୍ତ ଅର୍ଜୁନଙ୍କୁ ସେଥିରୁ ମୁକ୍ତି ଦେବା ପାଇଁ ଭଗବାନ ଶ୍ରୀକୃଷ୍ଣ ଦେଇଥିବା ଉପଦେଶରୁ ଉଦ୍ଭବ ହୋଇଛି। ସେହିଭଳି କଳିପୀଡିତ ମାୟାବଦ୍ଧ ଜୀବମାନଙ୍କୁ ମୋକ୍ଷ ପ୍ରଦାନ ଅବା ଜନ୍ମ ମରଣ ଚକ୍ରରୁ ମୁକ୍ତି ଦେବା ପାଇଁ ଶ୍ରୀକୃଷ୍ଣଙ୍କ ନାମ ଓ ଲୀଳାରେ ରସାନୀତ ହୋଇ ଭଗବାନଙ୍କ ଏକ ମାତ୍ର ଆଶ୍ରୟ ତତ୍ୱର ପ୍ରସାର ପାଇଁ ଶ୍ରୀମଦ ଭାଗବତଙ୍କ ଅବିର୍ଭାଵ ଘଟିଛି।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-47-know-the-basic-idea-of-the-composition-of-the-bhagwat-gita/

କୁହାଯାଏ ସତ୍ୟ ଯୁଗରେ ମୁକ୍ତିର ପଥ ଥିଲା ପ୍ରଭୁଙ୍କର ଧ୍ୟାନ। ତ୍ରେତୟାରେ ଜୀବଙ୍କର ମୁକ୍ତିର ପଥ ହେଲା ଯଜ୍ଞାନୁଷ୍ଠାନ। ଦ୍ୱାପର ଯୁଗରେ ଭଗବାନଙ୍କ ଉତ୍ତମ ପୂଜାର ବିଧାନ ଅନୁଷ୍ଠିତ କରି ଜୀବ ମୁକ୍ତି ପଥର ଯାତ୍ରୀ ହୋଇପାରୁଥିଲା। କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ ଗୋଲକଧାମକୁ ଫେରିବା ପରେ କଳି ଜଗତରେ ପ୍ରବେଶ କଲା ଓ ଜୀବ ମାନଙ୍କୁ ନାନା ପାପତାପ ଜନିତ ପୀଡା ଦେଲା। ତେଣୁ ପାପତାପତାପିତ କଳିହତ ଜୀବର ଉଦ୍ଧାର ପାଇଁ ଶ୍ରୀମଦ ଭାଗବତରେ କେବଳ ଶ୍ରୀକୃଷ୍ଣଙ୍କ ନାମ ଓ ଲୀଳାର ଅବତାରଣା କରାଗଲା। ସେଥିପାଇଁ ସଂକ୍ଷେପରେ କହନ୍ତି କଳିରେ ନାମ ଶ୍ରୀ ଜଗନ୍ନାଥ ଦାସଙ୍କ ଭାଷାରେ
ସତ୍ୟଯୁଗର ଧ୍ୟାନ ଫଳ।
ତ୍ରେତାରେ ଯଜ୍ଞାଦି ସକଳ।।
ଦ୍ୱାପରେ ପୂଜାର ବିଧାନ।
କଳିରେ ନାମ ସଂକୀର୍ତନ।।
ସତରେ ପ୍ରଭୁଙ୍କର ଏଭଳି ବିଧାନ ଆମକୁ ଆଶ୍ଚର୍ଯ୍ୟ କରିଥାଏ, କାରଣ ଯଦି କେବଳ ନାମ ସଂକୀର୍ତନ ଦ୍ୱାରା ଜୀବ ମୁକ୍ତି ଲାଭ କରିପାରିବ ତେବେ ସତ୍ୟ, ତ୍ରେତୟା ଓ ଦ୍ୱାପରରେ ଧ୍ୟାନ, ଯଜ୍ଞ ଓ ପୂଜା ବିଧାନ ପାଳିବାର ଵିଧି କାହିଁକି? ଏହାର ଏକମାତ୍ର ଉତ୍ତର ଯାହା ମିଳୁଛି ତାହା ହେଲା ସତ୍ୟ, ତ୍ରେତୟା ଓ ଦ୍ୱାପର ଯୁଗର ପ୍ରଜାଗଣ ସ୍ୱୟଂ ପୁନଶ୍ଚ କଳିରେ ଜନ୍ମ ନେବାର ଅଭିଳାଷ ବ୍ୟକ୍ତ କରିବା କାରଣରୁ
ପ୍ରଜାଏ ସତ୍ୟ ଯୁଗ ଆଦି।
ଭବିଷ୍ୟ କଥା କୁ ସମ୍ପାଦି।।
ଚିତ୍ତେ କଳ୍ପନ୍ତି ଅନୁରାଗେ।
ଆମେ ଜନ୍ମିବୁ କଳି ଯୁଗେ।।
ଯେ ଯୁଗେ ନାମ ସଂକୀର୍ତନ।
କରି ତରିବେ ସର୍ବ ଜନ।।
ତାହାଙ୍କ ମଧ୍ୟେ ଆମ୍ଭେ ଥାଇ।
ତୁଣ୍ଡେ ଗୋବିନ୍ଦ ନାମ ଗାଇ।।
ଗୋବିନ୍ଦ ଚରଣାରବିନ୍ଦ।
ସ୍ବାଦୁ ସୁଗନ୍ଧ ମକରନ୍ଦ।।
ମନ ଭ୍ରମ ରେ କରି ପାନ।
ଯେ ଅବା ଥିବେ ସାଧୁ ଜନ।।
ତାହାଙ୍କ ସଙ୍ଗେ ମିତ୍ର ପଣେ।
ସେବିବୁ କୃଷ୍ଣ ର ଚରଣେ।।
ଏମନ୍ତ ଚିତ୍ତେ କରି ଆଶା।
କଳି କି କରନ୍ତି ପ୍ରଶଂସା।।
କଳିରେ ବିଷ୍ଣୁ ପରାୟଣ।
ହୋଇ କରିବେ ନାମ ଗାନ।।
ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତରେ ଏହା ବର୍ଣିତ ହୋଇଛି। ଏହି କଳି ଯୁଗ ତିନି ପାଦ ପାପ ଓ ଏକ ପାଦ ଧର୍ମ ର ଅଧିକାରୀ ହୋଇଥିଲେ ମଧ୍ୟ, ଏହି ଯୁଗର ମୂଖ୍ୟ ବିଶେଷତ୍ୱ ହେଉଛି କଳିରେ ପ୍ରଜାଗଣ ନାରାୟଣ ପରାୟଣ ହେବେ। ତେଣୁ ଏହି କଳି ଯୁଗର ମହାନ ଗ୍ରନ୍ଥ ହିସାବରେ ଶ୍ରୀମଦ ଭାଗବତଙ୍କର ଉତ୍ପନ ହେବା ସମ୍ପୂର୍ଣ ଭଗବାନଙ୍କ ଇଚ୍ଛା କୃତ ଓ ତାହାର ଶରଣ ନେବା ଆମର କର୍ତ୍ତବ୍ୟ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.