Latest Odisha News

BREAKING NEWS

ଲକ୍ଷ ଲକ୍ଷ Android ୟୁଜର୍ସଙ୍କ ପାଇଁ ବିପଦ ! ଭାରତ ସରକାର ଜାରିକଲେ ଚେତାବନୀ

ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ କ୍ୱାଲକମ୍‌ ଚିପସେଟ୍‌ରେ ଚାଲୁଥିବା ଡିଭାଇସଗୁଡ଼ିକ ପାଇଁ। ଭାରତୀୟ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍‌ (CERT-In) ଏହି ଚେତାବନୀ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ଏହି ଡିଭାଇସଗୁଡ଼ିକରେ ଗମ୍ଭୀର ସୁରକ୍ଷା ତ୍ରୁଟି ଚିହ୍ନଟ ହୋଇଛି। ଏହି ତ୍ରୁଟିଗୁଡ଼ିକ ବିଷୟରେ ପ୍ରଥମେ ଗୁଗଲ୍‌ର ଥ୍ରେଟ୍‌ ଆନାଲିସିସ୍‌ ଗ୍ରୁପ୍‌ ସୂଚନା ଦେଇଥିଲା।

CERT-In ଅନୁସାରେ, ଏହି ସୁରକ୍ଷା ତ୍ରୁଟିଗୁଡ଼ିକର ଫାଇଦା ଉଠାଇ ସାଇବର ଅପରାଧୀମାନେ ଆପଣଙ୍କ ଡିଭାଇସରୁ ସମ୍ବେଦନଶୀଳ ତଥ୍ୟ ଚୋରି କରିପାରନ୍ତି ଏବଂ ମନଇଚ୍ଛା କୋଡିଂ ମାଧ୍ୟମରେ ଫୋନକୁ ହ୍ୟାକ୍‌ କରିପାରନ୍ତି। ଏହି ମାସର ସୁରକ୍ଷା ବୁଲେଟିନକୁ ‘ହାଇ ରିସ୍କ’ ଶ୍ରେଣୀରେ ରଖାଯାଇଛି। ଏଥିରେ କୁହାଯାଇଛି ଯେ କ୍ୱାଲକମ୍‌ର ଅନେକ ଜନପ୍ରିୟ ଚିପସେଟ୍‌, GPU ଏବଂ Wi-Fi ମୋଡେମ୍‌ରେ ଏକାସାଙ୍ଗରେ ଅନେକ ଗମ୍ଭୀର ତ୍ରୁଟି ଚିହ୍ନଟ ହୋଇଛି। ବୁଲେଟିନ ଅନୁସାରେ, Snapdragon 480+ 5G, Snapdragon 662, Snapdragon 8 Gen 2 ଏବଂ ଏପରିକି ୨୦୨୪ର ଫ୍ଲାଗଶିପ ଚିପ୍‌ Snapdragon 8 Gen 3 ମଧ୍ୟ ଏହି ତ୍ରୁଟିରୁ ପ୍ରଭାବିତ। କ୍ୱାଲକମ୍‌ ଏହି ବିପଦକୁ ଦେଖି ତାଙ୍କର ସମସ୍ତ ପାର୍ଟନର, ବ୍ୟବହାରକାରୀ ଏବଂ ବ୍ୟବସାୟିକ ଗ୍ରାହକଙ୍କୁ ସତର୍କ କରିଦେଇଛି।

CERT-In ଅନୁସାରେ, କ୍ୱାଲକମ୍‌କୁ ଏହି ବିପଦ ବିଷୟରେ ସୂଚନା ରହିଛି ଏବଂ ଏହା ଆଶଙ୍କା କରାଯାଉଛି ଯେ ଏହି ତ୍ରୁଟିଗୁଡ଼ିକର ଫାଇଦା ସାଇବର ଅପରାଧୀମାନେ ଆଗରୁ ଉଠାଇ ଥାଇପାରନ୍ତି। ଯଦି ଆପଣଙ୍କ ଫୋନ୍‌ କ୍ୱାଲକମ୍‌ ଚିପସେଟ୍‌ରେ ଚାଲୁଛି, ତେବେ ତୁରନ୍ତ ମେ’ ୨୦୨୫ ଆଣ୍ଡ୍ରଏଡ୍‌ ସୁରକ୍ଷା ପ୍ୟାଚ୍‌ ଇନଷ୍ଟଲ କରନ୍ତୁ। ଏହା ଆପଣଙ୍କ ଡିଭାଇସକୁ ଏହି ବିପଦରୁ ସୁରକ୍ଷା ଦେଇପାରିବ।

କିପରି କରିବେ ଅପଡେଟ୍‌?

  • ଫୋନ୍‌ର Settings ମେନୁକୁ ଯାଆନ୍ତୁ।
  • ନିମ୍ନକୁ ସ୍କ୍ରୋଲ କରି System Updates ବାଛନ୍ତୁ।
  • Check for update ଉପରେ ଟ୍ୟାପ୍‌ କରନ୍ତୁ।
  • ନୂଆ ଅପଡେଟ୍‌ ମିଳିଲେ Install କରନ୍ତୁ।
  • ଫୋନକୁ Reboot କରନ୍ତୁ।

ଏହା ପରେ ଆପଣଙ୍କ ଫୋନ୍‌ ଲେଟେଷ୍ଟ ସୁରକ୍ଷା ଅପଡେଟ୍‌ ସହିତ ସୁରକ୍ଷିତ ହୋଇଯିବ।

Comments are closed.