ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କ ମୁହାଁମୁହିଁ । ଉଭୟଙ୍କ ମଧ୍ୟରେ ଚାଲିଥିବା ବୟାନ ଯୁଦ୍ଧ ଧୀରେ ଧୀରେ ରାଜନୈତିକ ଟକ୍କରରେ ବଦଳିବାରେ ଲାଗିଛି । ଏହି ସମୟରେ ମସ୍କଙ୍କୁ ବମ୍ପର ଅଫର ଦେଇଛନ୍ତି ଋଷର ବରିଷ୍ଠ ସାଂସଦ । ଋଷର ଅନ୍ତର୍ଜାତୀୟ ମାମଲା ସଂପର୍କିତ ଡ୍ୟୁମା କମିଟିର ପ୍ରଥମ ଉପାଧ୍ୟକ୍ଷ ରହିଥିବା ଡିମିଟ୍ରି ନୋଭିକୋଭ ମସ୍କଙ୍କୁ ରାଜନୈତିକ ଶରଣ ନେଇ ଅଫର ଦେଇଛନ୍ତି । ଋଷର ସରକାରୀ ନ୍ୟୁଜ ଏଜେନ୍ସି ଟାସ ସହ ଆଲୋଚନା କରିବା ବେଳେ ନୋଭିକୋଭ କହିଛନ୍ତି, ମସ୍କଙ୍କ ଖେଳ ସଂପୂର୍ଣ୍ଣ ଭିନ୍ନ । ତାଙ୍କୁ କୌଣସି ରାଜନୈତିକ ଶରଣର ଆବଶ୍ୟକତା ପଡିବନି । ତେବେ ମସ୍କ ଚାହିଁଲେ ତାଙ୍କୁ ରାଜନୈତିକ ଶରଣ ଦେବା ନେଇ ଋଷ ବିଚାର କରିପାରେ ବୋଲି ସେ କହିଛନ୍ତି । ନିଜ ବୟାନରେ ଏଡଓ୍ବାର୍ଡ ସ୍ନୋଡନଙ୍କୁ ଦିଆଯାଇଥିବା ଶରଣ କଥା କହିଛନ୍ତି ନୋଭିକୋଭ ।
ବିବାଦରେ ଏଲନ ମସ୍କ
ଟ୍ରମ୍ପ ଓ ମସ୍କ ମୁହାଁମୁହିଁକୁ ନେଇ ସରଗରମ ହୋଇଛି ଆମେରିକା ରାଜନୀତି । ଟ୍ରମ୍ପଙ୍କ ପୂର୍ବତନ ଉପଦେଷ୍ଟା ଷ୍ଟିଭ ବେନନ ମସ୍କଙ୍କୁ ଅବୈଧ ପ୍ରବାସୀ କହିବା ସହ ତାଙ୍କୁ ନିର୍ବାସିତ କରିବାକୁ କହିଛନ୍ତି । ଏହାସହ ଆମେରିକା ସରକାର ସ୍ପେସେକ୍ସକୁ ଜବତ କରିବାକୁ ସେ ଦାବି କରିଛନ୍ତି। ନିକଟରେ ମସ୍କ ଡ୍ରାଗନ ସ୍ପେସକ୍ରାଫ୍ଟ ବନ୍ଦ କରିବାକୁ ଧମକ ଦେଇଥିବା ବେଳେ ଏହା ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ନେଇ ଚିନ୍ତା ବଢାଇଛି । ଏହାପରେ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି । ମସ୍କଙ୍କ ନିଷ୍ପତି ଦେଶ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ । ତେଣୁ ଟ୍ରମ୍ପ ତୁରନ୍ତ ସ୍ପେସେକ୍ସ ଦଖଲ କରିବା ପାଇଁ ଆଇନ ଅନୁଯାୟୀ ଆଦେଶ ଉପରେ ସ୍ବାକ୍ଷର କରିବାକୁ ଷ୍ଟିଭ ବେନନ ଦାବି କରିଛନ୍ତି । ଏହି ସମୟରେ ଡିମିଟ୍ରି ନୋଭିକୋଭ ମସ୍କଙ୍କୁ ରାଜନୈତିକ ଶରଣ ନେଇ ବୟାନ ଦେଇଛନ୍ତି ।
ଆମେରିକାର ଆଭ୍ୟନ୍ତରୀଣ ମାମଲା
ଡିମିଟ୍ରି ନୋଭିକୋଭ ରାଜନୈତିକ ଶରଣ ନେଇ ଅଫର ଦେଇଥିବା ବେଳେ, ଟ୍ରମ୍ପ ଓ ମସ୍କଙ୍କ ବିବାଦରୁ ଋଷକୁ ଦୂରେଇ ରଖିଛନ୍ତି କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସକୋଭ । ଏହା ଆମେରିକାର ଆଭ୍ୟନ୍ତରୀଣ ମାମଲା, ଏଥିରେ ଋଷ ହସ୍ତକ୍ଷେପ କରିବନି । ଆମେରିକା ରାଷ୍ଟ୍ରପତି ସ୍ଥିତିର ମୁକାବିଲା କରିପାରିବେ ବୋଲି ସେ ବିଶ୍ବାସ ଦେଖାଇଛନ୍ତି । ତେବେ ଋଷର ଇତିହାସ ଭିନ୍ନ ରହିଛି । ପୂର୍ବରୁ ଏଡଓ୍ବର୍ଡ ସ୍ନୋଡନଙ୍କ ସହ ବ୍ରିଟିଶ ବ୍ଲଗର ଗ୍ରାହାମ ଫିଲିପ୍ସଙ୍କ ଭଳି ପଶ୍ଚିମ ଦେଶର ସମାଲୋଚକଙ୍କୁ ଦେଶରେ ଶରଣ ଦେଇସାରିଛି ଋଷ । ତେଣୁ ଏଲନ ମସ୍କଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ନକହିଥିଲେ ମଧ୍ୟ ରାଜନୈତିକ ଶରଣର ସମ୍ଭାବନାକୁ ଏଡାଇ ଦିଆ ଯାଇପାରିବନି ।
ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ପୂର୍ବତନ ଋଷ ରାଷ୍ଟ୍ରପତି ଡିମିଟ୍ରି ମେଡଭେଡେଭ୍ ଶାନ୍ତି ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଷ୍ଟାରଲିଙ୍କ ସେୟାରକୁ ପାଉଣା ଭାବେ ନେଇ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତାବ ଦେବା ସହ ପରସ୍ପର ମଧ୍ୟରେ ନଲଢିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଆମେରିକାରେ ସମସ୍ୟାର ସାମନା କରୁଥିଲେ ମସ୍କଙ୍କୁ ଋଷ ଆସିବାକୁ ପ୍ରସ୍ତାବ ଦେଇଛନ୍ତି ଅନ୍ୟ ଜଣେ ଋଷ ସିନେଟର ଡିମିଟ୍ରି ରୋଗୋଜିନ । ଟ୍ରମ୍ପଙ୍କ ୨୦୨୪ କ୍ୟାମ୍ପେନ ପାଇଁ ସର୍ବାଧିକ ଅର୍ଥ ଦେଇଥିଲେ ମସ୍କ । କ୍ୟାମ୍ପେନିଂରୁ ଶପଥ ଗ୍ରହଣ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ସହ ରହିଥିଲେ ମସ୍କ । ତେବେ କିଛି ମାସ ମଧ୍ୟରେ ହିଁ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଟ୍ରମ୍ପ ପ୍ରଶାସନରୁ ବିଦାୟ ନେବା ପରେ ଏହି ବିବାଦ ବଡ ରୂପ ନେଇଛି । ଖୋଲାଖୋଲି ପରସ୍ପରକୁ ଟାର୍ଗେଟ୍ କରିଛନ୍ତି ମସ୍କ ଓ ଟ୍ରମ୍ପ।
Comments are closed.