Latest Odisha News

BREAKING NEWS

ମ୍ୟାଟ୍ରିକ ସାର୍ଟିଫିକେଟରେ ରହିବ ଆଧାର ନମ୍ବର !

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବାକୁ ରାଜ୍ୟ ସରକାର ଅନେକ ନୀତି ଅବଲମ୍ବନ କରିବା ସହିତ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଶିକ୍ଷାର ଗୁଣାତ୍ମକମାନର ଅଭିବୃଦ୍ଧି ନିମନ୍ତେ ୫-ଟି ପଦ୍ଧତିକୁ ଆପଣେଇ ନେଇଛନ୍ତି ଓଡ଼ିଶା ସରକାର ।

ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ଶିକ୍ଷାବ୍ୟବସ୍ଥାରେ ସ୍ୱଚ୍ଛତା ଆଣଇବା ପାଇଁ ମାଟ୍ରିକ ସାର୍ଟିଫିକେଟ୍ରେ ଆଧାର ନମ୍ବରକୁ ସ୍ଥାନ ଦେବାକୁ ଯାଉଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯୋଜନା ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ପୂର୍ବରୁ ଯୁ୍କ୍ତଦୁଇ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ୟାକେଟ୍ରେ ବାରକୋର୍ଡ ରଖିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଏଥର ମାଟ୍ରିକ ସାର୍ଟିଫିକେଟରେ ଆଧାର ନମ୍ବର ରଖିବା ନିଷ୍ପତ୍ତିକୁ ସବୁ ସ୍ତରରେ ସ୍ୱାଗତ କରାଯାଉଛି । ସ୍ୱଚ୍ଛତା ଏବଂ ସୁରକ୍ଷା ଦୃଷ୍ଟିରୁ ଏଭଳି ବ୍ୟବସ୍ଥା ଲାଗୁ କରାଯିବା ଉଚିତ୍ ବୋଲି ଅନେକ ଶିକ୍ଷାବିତ୍ ମତ ଦେଇଛନ୍ତି ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ସଂସ୍କାର ଅଣାଯାଇଛି । ୨୦୨୦ ମାଟ୍ରିକ ପରୀକ୍ଷା ଲାଗି ଚଳିତବର୍ଷ ସର୍ବାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶ୍ନପତ୍ରର ସୁରକ୍ଷା ଲାଗି ଡିଜିଟାଲ ଲକର ବ୍ୟବସ୍ଥା ହୋଇଥିବା ବେଳେ ପିଲାଙ୍କୁ ଅନଉଲାଇନ୍ରେ ଉତ୍ତରଖାତା ଯୋଗାଇବା ଲାଗି ଯୋଜନା ରହିଛି । ମାତ୍ର ଅନ୍ଲାଇନ୍ରେ ଉତ୍ତରଖାତା ଏଥର ପ୍ରଦାନ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ୨୦୨୧ରୁ ମାଟ୍ରିକ ସାଟିଫିକେର୍ଟରେ ପିଲାଙ୍କ ଆଧାର ନମ୍ବର ବାଧ୍ୟତାମୂଳକ କରାଯିବ । ତେଣୁ ୨୦୨୧ ମାଟ୍ରିକ ପରୀକ୍ଷା ଫର୍ମପୂରଣ ସମୟରେ ପିଲାଙ୍କର ଆଧାର ନମ୍ବର ଦାଖଲ କରାଯିବ । ରାଜ୍ୟରେ ନକଲି କର୍ମଚାରି ଏବଂ ନକଲି ସାର୍ଟିଫିକେଟକୁ ରୋକ୍ ଲଗାଇବା ଲାଗି ଏଭଳି ଅଭନବ ବ୍ୟବସ୍ଥା ଆରମ୍ଭ କରାଯିବ ।

ବିଭାଗୀୟ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ପରୀକ୍ଷା ଏବଂ ସାର୍ଟିଫିକେଟ୍ରେ ଯେପରି ସ୍ୱଚ୍ଛତା ରହିବ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଜାଲ ସାର୍ଟିଫିକେଟ୍ ରୋକିବା ଲାଗି ସବୁ ସ୍ତରରେ ଉଦ୍ୟମ ହେଉଥିବା ବେଳେ ଏହା ସଫଳ ହେଉନାହିଁ । ଏପରିକି ରାଜ୍ୟରେ ବିଭିନ୍ନ ଘରୋଇ ସଂସ୍ଥାରେ ଯେତିକି କର୍ମଚାରୀ କାର୍ଯ୍ୟରତ ଅଛନ୍ତି ସେମାନଙ୍କର ସାର୍ଟିଫିକେଟ୍ ଠିକ୍ ଭାବେ ଯାଞ୍ଚ କରାଯାଉ ନାହିଁ ।

ଏପରିକି ପ୍ରାୟ ୩୫ପ୍ରତିଶତ ସାର୍ଟିଫିକେଟ୍ରେ ତାଳମେଳ ନଥିବା ଅନୁମାନ କରାଯାଉଛି । ଯଦି ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରାଯାଉଥିବା ବେଳେ ବହୁବାର ସାର୍ଟିଫିକେଟ୍ ଯାଞ୍ଚ କରି ମଧ୍ୟ ନକଲି ଶିକ୍ଷକ ଧରାଡୁଛନ୍ତି ତେବେ ଯେଉଁ ସବୁ ସଂସ୍ଥାରେ ସାର୍ଟିଫିକେଟ୍କୁ ସଠିକ ଭାବେ ଯାଞ୍ଚ କରାଯାଉନଥିବ ସେଠାରେ ଏକାଧିକ ନକଲି ସାର୍ଟିଫିକେଟ୍ଧାରୀ ଚାକିରି କରୁଥିବା ଅନୁମାନ କରାଯାଉଛି । ଦେଶର ଅନେକ ରାଜ୍ୟରେ ସାର୍ଟିଫିକେଟ୍ରେ ବାରକୋଡ କିମ୍ବା କ୍ୟୁଆର୍କୋଡ ଥିବା ବେଳେ ଓଡ଼ିଶାରେ ଓଡ଼ିଆ ମାଧ୍ୟମ ପିଲାଙ୍କ ସାର୍ଟିଫିକେଟ୍ରେ କେବଳ ରୋଲନମ୍ବର ରହୁଛି । ଫଳରେ ଏହି ସାର୍ଟିଫିକେଟ୍କୁ ସହଜରେ ନକଲ କରାଯାଉଛି । ଯଦି ଆଧାର ନମ୍ବର ରହିବ ତେବେ ନକଲି ସାର୍ଟିଫିକେଟ୍ ଧାରୀ ସହଜରେ ଧରାପଡ଼ିଯିବେ । ଏଥିପାଇଁ ପିଲାଙ୍କ ଠାରୁ କୌଣସି ଅଧିକ ଅର୍ଥ ଆଦାୟ କରାଯିବ ନାହିଁ ।

ତେବେ ଯେଉଁ ପିଲାଙ୍କର ଆଧାର ନମ୍ବର ନାହିଁ ସେମାନେ ଆଧାର କାର୍ଡ ସଂଗ୍ରହ କରିବାକୁ ସ୍କୁଲରେ ବାଧ୍ୟ କରାଯିବ । ପ୍ରତ୍ୟେକ ପିଲାଙ୍କ ଆଧାର ନମ୍ବର ପାଇବା ଲାଗି ସ୍କୁଲର ପ୍ରଧାନ ଶିକ୍ଷକ ନଜର ଦେବେ । ଏପରିକି ଯେଉଁ ପିଲାଙ୍କର ଆଧାର ନମ୍ବର ନଥିବ ତାହାର ଜିଲ୍ଲାଓ୍ବାରି ତାଲିକା ପ୍ରସ୍ତୁତ କରାଯିବ । ସେହି ତାଲିକା ଅନୁଯାୟି ପିଲାଙ୍କୁ ଆଧାର କାର୍ଡ ଦେବା ଲାଗି ମଧ୍ୟ ବ୍ୟବସ୍ଥା କରାଯିବ । ୨୦୧୮ ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୩.୨% ପିଲାଙ୍କର ଆଧାର ନମ୍ବର ସ୍କୁଲରେ ଦାଖଲ କରାଯାଇଥିବା ବେଳେ ନବମରେ ବର୍ତ୍ତମାନସୁଦ୍ଧା ୩୫% ପିଲାଙ୍କ ଆଧାର ନମ୍ବର ଦାଖଲ କରାଯାଇ ନାହିଁ ।

ସେହିପରି ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ପ୍ରାୟ ୨୭% ପିଲାଙ୍କ ଆଧାର ନମ୍ବର ସ୍କୁଲରେ ଦିଆଯାଇନାହିଁ । ତେଣୁ ୨୦୨୧ ପରୀକ୍ଷା ପୂର୍ବରୁ ଯେପରି ସବୁ ପିଲାଙ୍କର ଆଧାର ନମ୍ବର ସ୍କୁଲରେ ଦାଖଲ କରାଯିବ ସେଥିଲାଗି ସବୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିବଆଯିବ ବୋଲି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.