ନୂଆଦିଲ୍ଲୀ:ହକି ଇଣ୍ଡିଆର ବାରମ୍ବାର ଅନୁରୋଧ ପରେ କ୍ରୀଡ଼ା ମନ୍ତ୍ରଣାଳୟ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ଜାତୀୟ ଶିବିର ପାଇଁ ମନୋନୀତ ଖେଳାଳିମାନଙ୍କ ପାଇଁ ପ୍ରତିମାସ ୨୫,୦୦୦ଟଙ୍କାର ଭତ୍ତା ମଞ୍ଜୁର କରିଛି। ଫଳରେ ପ୍ରଥମଥର ପାଇଁ ହକି ଖେଳାଳି ଭତ୍ତା ପାଇବାକୁ ଯାଉଛନ୍ତି ।
ଟାର୍ଗେଟ ଅଲିମ୍ପିକ୍ ପୋଡିୟମ୍ ସ୍କିମ (TOPS)ର ବିକାଶମୂଳକ ଗୋଷ୍ଠୀରେ ଖେଳାଳିମାନଙ୍କୁ ଦିଆଯାଉଥିବା ଭତ୍ତାରୁ ୮୦ ଜଣ ଖେଳାଳି (୪୦ ପୁରୁଷ ଏବଂ ୪୦ ମହିଳା) ଉପକୃତ ହେବେ। ଗୁରୁବାର ଅନୁଷ୍ଠିତ ମିଶନ ଅଲିମ୍ପିକ୍ ସେଲ୍ (MOC)ର ମାସିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ଭତ୍ତା ପାଇଁ ସରକାରଙ୍କୁ ପ୍ରତି ମାସରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କୋର ଗ୍ରୁପ୍ ରେ ଥିବା ଖେଳାଳିମାନେ ପ୍ରତି ମାସରେ ୫୦,୦୦୦ ଲେଖାଏଁ ଟଙ୍କା ପାଇବେ । ଭତ୍ତା ପାଇବାକୁ ଥିବା ଯୋଗ୍ୟ ଖେଳାଳିଙ୍କ ନାମ ତାଲିକା ହକି ଇଣ୍ଡିଆ ସରକାରଙ୍କୁ ପ୍ରତି ମାସରେ ପ୍ରଦାନ କରିବ ।
ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ ଏହା ଆଗାମୀ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖେଳାଳିମାନଙ୍କ ମନୋବଳକୁ ଆହୁରି ବୃଦ୍ଧି କରିବ।
ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ହକିର ଗ୍ରାଫ୍ ଉପରକୁ ଉଠିଛି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ, ଭାରତ ୪୧ବର୍ଷ ପରେ କାଂସ୍ୟ ପଦକ ଜିତିଥିଲା । ମହିଳା ଦଳ ଐତିହାସିକ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ବଜାୟ ରଖିଥିଲା।
ବର୍ତ୍ତମାନ ହକି ଖେଳାଳିମାନେ ଯେଉଁ ବିଭାଗ ଏବଂ ସଂଗଠନରେ ନିଯୁକ୍ତି ପାଆନ୍ତି ସେମାନଙ୍କଠାରୁ ଦରମା ପାଆନ୍ତି । ହକି ଇଣ୍ଡିଆ ଦ୍ୱାରା ଏକ ଗ୍ରେଡେଡ୍ କଣ୍ଟ୍ରାକ୍ଟ ସିଷ୍ଟମ୍ ପାଇଁ ଏକ ପ୍ରସ୍ତାବ ଗତ କିଛି ବର୍ଷ ଧରି ଆଲୋଚନାରେ ରହିଛି। ଏହା ବ୍ୟତୀତ ଅଲିମ୍ପିକ୍ସ ଏବଂ ଏସୀୟ କ୍ରୀଡ଼ା ସମେତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ରାଶି ପ୍ରଦାନ କରାଯାଏ।
Comments are closed.