Latest Odisha News

BREAKING NEWS

ଡାଇରିଆ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ;ଚିକିତ୍ସା ସେବାକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଶନିବାର ଲୋକସେବା ଭବନରେ ବୈଠକରେ କହିଛନ୍ତି ଯେ,ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ସହ ସଂକ୍ରମଣ ହ୍ରାସ ପାଇଛି । ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ କେଉଁଝର ଭଳି ଜିଲ୍ଲାଗୁଡ଼ିକରେ ମାମଲା ହ୍ରାସ ପାଇଛି ।

ବର୍ତ୍ତମାନ ସୁଦ୍ଧା, ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୩,୮୯୨ ଜଣ ଆକ୍ରାନ୍ତ ହୋଇଛନ୍ତି,୩,୫୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୪ଜଣ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ନିରନ୍ତର ନିୟନ୍ତ୍ରଣ ସୁନିଶ୍ଚିତ କରିବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ଚିକିତ୍ସା ସେବାର ସୁଗମ ସମନ୍ୱୟ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନଥିବା ଅଞ୍ଚଳଗୁଡ଼ିକରେ ପ୍ରତିରୋଧୀ ପଦକ୍ଷେପଗୁଡ଼ିକୁ ତୀବ୍ରତର କରାଯିବାକୁ କୁହାଯାଇଛି। ଦଶହରା ଯାଏଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି ।

ଏଥିସହ ବୈଠକରେ ସମସ୍ତ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ବିଶୋଧନ ପାଇଁ ଚାଲିଥିବା ପ୍ରୟାସ ଉପରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ସ୍କୁଲ ଏବଂ କଲେଜଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସୁରକ୍ଷା ପ୍ରୋଟୋକଲ ଏବଂ ପ୍ରତିଷେଧକ ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଷ୍ଟ୍ରିଟ୍ ଫୁଡ୍‌ କଡ଼ାକଡ଼ି ଯାଞ୍ଚ ଏବଂ ସଂପୃକ୍ତ ଅଞ୍ଚଳଗୁଡ଼ିକର ବିଶୋଧନ ବ୍ୟବସ୍ଥା କରିବାକୁ ଆହ୍ୱାନ ଦେଇଥିଲେ। ଗ୍ରାମ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ନଳକୂପଗୁଡ଼ିକର ବିଶୋଧନ ଏବଂ ପାନୀୟ ଜଳର ନିୟମିତ ପରୀକ୍ଷା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ସଚିବ ମନୋଜ ଆହୁଜା, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଅଶ୍ୱତୀ ଏସ୍.ଙ୍କ ସମେତ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗୃହ ଏବଂ ନଗର ଉନ୍ନୟନ, ମହିଳା ଏବଂ ଶିଶୁ ସୁରକ୍ଷା ଏବଂ ସାର୍ବଜନୀନ ଶିକ୍ଷା ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

Comments are closed.