Latest Odisha News

BREAKING NEWS

ଶସ୍ତାରେ ହୋଟେଲ ବୁକିଂ ନାଁରେ ଠକେଇ; ୧୫ ନକଲି ୱେବସାଇଟ ବ୍ଲକ…

ଭୁବନେଶ୍ବର: କ୍ରାଇମ୍ ବ୍ରାଞ୍ଚ ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଯାବତ୍ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେଥିମଧ୍ୟରୁ ୧୫ଟି ୱେବସାଇଟକୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ସମୟରେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ପ୍ରସ୍ତୁତ କରିଥିଲେ। ସାଧାରଣ ଲୋକଙ୍କୁ ଅନଲାଇନ୍ ବୁକିଂ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିବା ନାଁରେ ଠକୁଛନ୍ତି। ଫଳରେ ଅସୁବିଧା ସମୟରେ ଏବଂ କମ ଟଙ୍କାରେ ହୋଟେଲ ଖୋଜୁଥିବା ପର୍ଯ୍ୟଟକମାନେ ଏହି ନକଲି ସାଇଟ୍‌ଗୁଡ଼ିକର ଶିକାର ହେଉଛନ୍ତି। ଏହି ନକଲି ୱେବସାଇଟ୍ ପେଜଗୁଡିକ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ଅବିକଳ ଅସଲି ୱେବସାଇଟ୍ ପରି ଦୃଶ୍ୟମାନ ହୋଇଥାଏ। ଯାହାଫଳରେ କି ସାଧାରଣ ଲୋକଟି ପାଇଁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇପଡ଼େ।

ଠକମାନେ ବିଭିନ୍ନ ପ୍ରତିଷ୍ଠିତ ହୋଟେଲର ନକଲି ୱେବ ସାଇଟ୍ ପ୍ରସ୍ତୁତ କରିବା ସହ କମ ଟଙ୍କା, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସିଥାଏ। ଏହି ଠକମାନେ ପ୍ରାୟତଃ ଗୁଗୁଲ୍ ସର୍ଚ୍ଚର ଶୀର୍ଷରେ ନକଲି ୱେବସାଇଟ୍ ରଖନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅତୀତରେ ଘଟିଥିବା ଘଟଣା ଯୋଗୁଁ ଚଳିତ ବର୍ଷ ଓଡ଼ିଶାରେ କ୍ରାଇମବ୍ରାଞ୍ଚର ସୋସିଆଲ ମିଡିଆ ଟିମ୍ ସତର୍କ ରହିଛି। ଏହି ବର୍ଷ ଟିମ୍ ୨୨ ଜୁନ୍ ୨୦୨୫ରୁ ଆଜି ପର୍ଯ୍ୟନ୍ତ ନକଲି ହୋଟେଲ ସାଇଟ୍ ଖୋଜିବା, ସେଗୁଡ଼ିକୁ ରିପୋର୍ଟ କରିବା ଏବଂ ଯଥାଶୀଘ୍ର ସତର୍କତା ପଠାଇବା ପାଇଁ ଦିନରାତି କାମ କରୁଛି। ଚଳିତବର୍ଷ ସୁନାବେଶ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ।

ଲୋକଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ପାଇଁ ଆମର ଅଫିସିଆଲ୍ ସାଇବର ସୁରକ୍ଷା ପେଜ ମାଧ୍ୟମରେ ଏହି ଠକେଇ ବିଷୟରେ ନିୟମିତ ସତର୍କତା ଏବଂ ସଚେତନତା ବାର୍ତ୍ତା ମଧ୍ୟ ସେୟାର କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ସୁରକ୍ଷା ଟିପ୍ସ ଏବଂ ରିଅଲ୍-ଟାଇମ୍ ଚେତାବନୀ ପାଇଁ ନାଗରିକମାନଙ୍କୁ ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ @cybercopodisha କୁ ଅନୁସରଣ କରିବାକୁ ସୂଚନା ପ୍ରଦାନ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ୍ ପକ୍ଷରୁ କୁହାଯାଇଛି।

ଏହାବ୍ୟତୀତ, MakeMyTrip, Goibibo, Booking.com, Trivago, ଇତ୍ୟାଦି ସ୍ୱୀକୃତି ପ୍ରାପ୍ତ ୱେବସାଇଟ୍ ମାଧ୍ୟମରେ ବୁକିଂ କରିବାକୁ ବିଭାଗ ପକ୍ଷରୁ ସଚେତନ କରାଯାଇଛି। ସେହିପରି Google Maps ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ୍‌ଚେକ୍ କରନ୍ତୁ। ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପଇଠ କରନ୍ତୁ ନାହିଁ। ସୁରକ୍ଷିତ ପେମେଣ୍ଟ ଗେଟୱେ ବ୍ୟବହାର କରନ୍ତୁ।

ବୈଧ ଇନଭଏସ୍ କିମ୍ବା ବୁକିଂ ଆଇଡି ସହ ଇମେଲ୍ ବା SMS ମାଧ୍ୟମରେ ନିଶ୍ଚିତ ପାଆନ୍ତୁ। ରଥଯାତ୍ରା ସମୟରେ ଅପେକ୍ଷାକୃତ କମ ଦର ଦେଖି ବୁକିଂ କରନ୍ତୁ ନାହିଁ। ବୁକିଂ ବେଳେ ଆପଣ ଯଦି ଠକାମିର ଶିକାର ହୁଅନ୍ତି ତେବେ ତୁରନ୍ତ ୧୯୩୦ରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।

 

Comments are closed.