ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ତିନି ରଥ । ପବିତ୍ର ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶେଷ ହୋଇଛି । ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡ଼ି ଆସିଛନ୍ତି। ଆଜି ଅପରାହ୍ନ ୩ଟାରେ ରଥ ଟଣା କାର୍ଯ୍ୟ ହୋଇଥିଲା। ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ପ୍ରଥମେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ । ପରେ ଆସିଲେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିଛି । ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ , ସୋମବାର ଅଧରପଣା ନୀତି ସଂପନ୍ନ ହେବ । ଆସନ୍ତା ଆସନ୍ତା ୮ ତାରିଖରେ ନୀଳାଦ୍ରି ବିଜେ ଦିନ ମହାବାହୁ ରତ୍ନବେଦୀକୁ ବିଜେ କରିବେ।
ସିଂହଦ୍ବାରରେ ପହଞ୍ଚିବା ପୂର୍ବରୁ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା। ଏହା ପୂର୍ବରୁ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହୋଇଥିଲା।
ଶନିବାର ପାଗ ଅନୁକୁଳ ଥିବା ଯୋଗୁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୨ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ଆସନ୍ତାକାଲି (ରବିବାର) ମହାପ୍ରଭୁଙ୍କ ଦୁର୍ଲଭ ବେଶ ସୁନାବେଶ ରଥ ଉପରେ ଆୟୋଜନ ହେବ।
ଆସନ୍ତାକାଲି ରଥ ଉପରେ ଅନନ୍ୟ ନୀତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବ । ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁରମାନଙ୍କୁ ସୁନାବେଶରେ ସଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ମଧ୍ୟ ପ୍ରଶାସନ ନିଷ୍ପତ୍ତି ନେଇଛି। ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ଼ ହେବ।
ସୁନାବେଶରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନର ସମନ୍ବୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାର୍କେଟ ଛକରୁ ଵ୍ୟାରିକେଡ଼ କରାଯାଇଛି। ଲୋକମାନେ ମାର୍କେଟ ଛକରୁ ବ୍ୟାରିକେଡ଼ରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି।
Comments are closed.