ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସସ୍ଥିତ ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୭ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରର ବେସମେଣ୍ଟସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରିଦିଅଁ ମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଏହା ପରେ ଦିନ ୪ଟା ବେଳେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଏବଂ ଶଙ୍ଖ ଧ୍ଵନି ତଥା ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଚାରି ଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡ଼ି ପହଣ୍ଡି କରି ମନ୍ଦିର ସାମ୍ନା ସ୍ଥିତ ବଡ଼ଦାଣ୍ଡରେ ଦଣ୍ଡାୟମାନ ଥିବା ସୁନ୍ଦର, ସୁଶୋଭିତ ରଥ ଉପରକୁ ଆଣିଥିଲେ।
ଅପରାହ୍ନ ସାଢେ ୪ଟା ସମୟରେ ବିଶିଷ୍ଟ ଅତିଥି ଦିଲ୍ଲୀ ସରକାରର ମନ୍ତ୍ରୀ କପିଳ ମିଶ୍ର ଏବଂ ସୁପ୍ରିମ କୋର୍ଟର ପୂର୍ବତନ ଜଜ ଜଷ୍ଟିସ ଅରିଜିତ ପଶାୟତ ପାରମ୍ପାରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ସେମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ।
ଏଠାରେ ସନ୍ଧ୍ୟା ୫ଟା ବେଳେ ରଥଟଣାର ଶୁଭାରମ୍ଭ ହୋଇଥିଲା। ହାଉଜଖାସ ଭିଲେଜ ସ୍ଥିତ ଶ୍ରୀ ଜଗନ୍ନାଥ ମାର୍ଗରେ ଅରବିନ୍ଦ ପ୍ଲେସ ମାର୍କେଟ ପର୍ଯ୍ୟନ୍ତ ରଥଟିକୁ ଟଣାଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା।
ଦିଲ୍ଲୀର ରାଜରାସ୍ତାରେ ରାଜକୀୟ ରଥ ଉପରେ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଏବଂ ଜନଗହଳି ମଧ୍ୟରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଚକ୍ଷୁ ମିଳନର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ମନ୍ଦିର ଅଗଣାକୁ ଫେରିବା ପରେ ରଥ ଉପରେ ବିଦ୍ୟମାନ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ପ୍ରଦାନ କରିଥିଲେ।
ପୁଣି ସାହିରୋଷଣୀ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରୁ ନିଆଯାଇ ନାଟ୍ୟ ମଣ୍ଡପଠାରେ ଆସୀନ କରାଯାଇଥିଲା। ମହାପ୍ରଭୁ ନାଟ୍ୟମଣ୍ଡପ ଠାରେ ଆସନ୍ତା ୮ ତାରିଖ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ମନ୍ଦିର ପରିଚାଳନା କମିଟି ପ୍ରକାଶ କରିଛି ।
ବାହୁଡ଼ା ଯାତ୍ରା ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏମଧ୍ୟରେ ପ୍ରଖ୍ୟାତ ନୃତ୍ୟ ସଂରଚକ ଶାଶ୍ୱତ ଯୋଶୀ ଏବଂ ସାଥି ଙ୍କର ମନଲୋଭା ନୃତ୍ୟ,ସମ୍ବଲପୁରର ଟ୍ରାଇବାଲ ଏଣ୍ଡ ଫୋକ ଆର୍ଟ ସେଣ୍ଟରର କଳାକାର ମାନଙ୍କ ଦ୍ୱାରା ଦମଦାର ସମ୍ବଲପୁରୀ ଲୋକ ନୃତ୍ୟ ଓ ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି, ସୌରଭ ଭରଦ୍ୱାଜ ଏବଂ ଦିପ୍ତିମୟୀ ଦାସ ଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ ଆଦି ଅନ୍ତର୍ଭୁକ୍ତ ଥିଲା । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ସ୍ଵର୍ଣପ୍ରଭା ପତି ସୂଚାରୁ ରୂପେ ସଞ୍ଚାଳନା କରିଥିଲେ।
ବାହୁଡ଼ା ଯାତ୍ରାକୁ ଦକ୍ଷତାର ସହିତ ଆୟୋଜନ ଏବଂ ସଫଳତା ସହିତ ସମାପନ କରାଯିବାରେ ମନ୍ଦିର ପରିଚାଳନା କମିଟି ନୀଳାଚଳ ସେବାସଙ୍ଘର ସୁଦକ୍ଷ ସଙ୍ଗଠକ ବୃନ୍ଦ ଯଥା ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଅନ୍ୟ ସଦସ୍ୟ ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।
Comments are closed.