ଭୁବନେଶ୍ଵର: କୃଷି ଭବନଠାରେ ଛାତ ଉପରେ ଉଦ୍ୟାନ ଓ ସହରାଞ୍ଚଳ ଉଦ୍ୟାନକୃଷି ରଥର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ l ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଆଜିର ସମୟରେ ରାଜ୍ୟର ସହରଗୁଡ଼ିକରେ ସବୁଜ ସ୍ଥାନ ହ୍ରାସ, କଂକ୍ରିଟ୍ କୋଠା ନିର୍ମାଣ, ରାଜ୍ୟବ୍ୟାପୀ ସହରାଞ୍ଚଳ ବୃଦ୍ଧି ପାଉଛି । ସରକାର ପାର୍କ ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରି ସହରଗୁଡ଼ିକରେ ସବୁଜୀକରଣ ବୃଦ୍ଧି ପାଇଁ ସମସ୍ତ ପ୍ରୟାସ କରୁଛନ୍ତି ।
ଏହି ସଚେତନତା ରଥର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ସହରାଞ୍ଚଳ ଜୀବନଯାପନ ଏବଂ ଖାଦ୍ୟ ସୁରକ୍ଷା ସହିତ ସମନ୍ୱୟ ରଖି ଘର ଛାତ ଉପରେ ଉଦ୍ୟାନ ଏବଂ ସହରାଞ୍ଚଳ ଉଦ୍ୟାନର ଗୁରୁତ୍ୱ, କୌଶଳ ଓ ଲାଭ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା । ସହରାଞ୍ଚଳବାସୀଙ୍କ ମଧ୍ୟରେ ସ୍ଥାୟୀ ସୁସ୍ଥ ସହରୀ ଜୀବନଯାପନ ପାଇଁ ସଚେତନତା ସୃଷ୍ଟି କରିବା ସହିତ ସହରୀ ଉତ୍ତାପ ପ୍ରଭାବକୁ ହ୍ରାସ କରି ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଅନୁକୂଳ ପରିବେଶ ସୃଷ୍ଟି କରିବା l
ଏଥିପାଇଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶାର କିଛି ମନୋନୀତ ସହରଗୁଡ଼ିକରେ ସୌନ୍ଦର୍ଯ୍ୟ, ପୁଷ୍ଟି ଓ ସୁସ୍ଥ ପରିବେଶ ପାଇଁ ଛାତ ଉପରେ ଉଦ୍ୟାନ ଏବଂ ସହରୀ ଉଦ୍ୟାନ କୃଷି ନିମନ୍ତେ ଅଭିନବ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏକ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଉଛି, ଯାହା କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର (ICAR-IIHR), ଭୁବନେଶ୍ୱର ଦ୍ୱାରା କାର୍ଯ୍ୟକାରୀ କରାଯିବ। ଏହି ଅଭିନବ ପ୍ରୟାସ ମାଧ୍ୟମରେ ଓଡ଼ିଶାର ପାଞ୍ଚଟି ପ୍ରମୁଖ ସହର ଯଥା କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ ଆବାସିକ ଏବଂ ଅନୁଷ୍ଠାନିକ କୋଠାରେ ସହରବାସୀଙ୍କୁ ଶିକ୍ଷା ଏବଂ ତାଲିମ ଦେଇ ଛାତ ଉପରେ ଓ ଘରେ ଉଦ୍ୟାନ ମାଧ୍ୟମରେ ସବୁଜିମାକୁ ବୃଦ୍ଧି କରାଯିବ ।
ଏହି ଅଭିଯାନ ଅଧୀନରେ ସଚେତନତା ରଥ ଏକ ମାସରୁ ଅଧିକ ସମୟ ଧରି ଭୁବନେଶ୍ୱର ଓ କଟକର ବିଭିନ୍ନ ସହରାଞ୍ଚଳର ଆବାସିକ, ଶିକ୍ଷାନୁଷ୍ଠାନ, ବାସିନ୍ଦା କଲ୍ୟାଣ ସଂଘ, ଅନ୍ୟାନ୍ୟ ସହର-ଭିତ୍ତିକ ସଂଗଠନ ଏବଂ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ। ଏହି ରଥରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଅଡିଓ-ଭିଜୁଆଲ୍ ଶିକ୍ଷା ସାମଗ୍ରୀ, ଅଭିନବ ବୈଷୟିକ ପ୍ରଦର୍ଶନ, ବୈଷୟିକ ପୁସ୍ତିକା ଏବଂ ସହରାଞ୍ଚଳ ନାଗରିକମାନଙ୍କ ସହ ଆଲୋଚନା ଓ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ ବ୍ୟବସ୍ଥା ରହିଛି ।
ପ୍ରଥମ ପର୍ଯ୍ୟାୟରେ ଏହି ଅଭିଯାନ ରଥ ଭୁବନେଶ୍ୱର ଏବଂ କଟକର ପ୍ରମୁଖ ଅଞ୍ଚଳଗୁଡ଼ିକରେ କାର୍ଯ୍ୟ କରିବ ଏବଂ ପରେ ଓଡ଼ିଶାର ଅନ୍ୟାନ୍ୟ ସହରଗୁଡ଼ିକରେ ମଧ୍ୟ ସଚେତନତା ସୃଷ୍ଟି କରିବ । ଏହି ଅଭିଯାନ ଛାତ ଏବଂ ଘର ବଗିଚା, ଭବିଷ୍ୟତର ସାମୁଦାୟିକ ସମ୍ପର୍କ କାର୍ଯ୍ୟକ୍ରମ, ବିଶେଷଜ୍ଞ ଆଲୋଚନାକୁ ପ୍ରୋତ୍ସାହିତ କରିବ ଏବଂ ନିକଟ ଭବିଷ୍ୟତରେ ବାର୍ଷିକ ଛାତ ବଗିଚା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସହରର ଲୋକ ମାନଙ୍କୁ ଉତ୍ସାହିତ କରିବ ।
Comments are closed.