Latest Odisha News

BREAKING NEWS

ସିଗାରେଟ୍ ଭଳି ସିଙ୍ଗଡ଼ା ଓ ଜିଲାପି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ

ନୂଆଦିଲ୍ଲୀ: ସିଗାରେଟ୍ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ। ଏହି ଲେଖା ପ୍ରାୟ ଆପଣ ସିଗାରେଟର ପ୍ୟାକେଟ ଉପରେ ଦେଖିଥିବେ। କିନ୍ତୁ ଖୁବ୍ ଶୀଘ୍ର ସିଙ୍ଗଡ଼ା, ଜିଲାପି ଏବଂ ଚା ବିସ୍କୁଟ ଦୋକାନ ମାନଙ୍କ ନିକଟରେ ମଧ୍ୟ ଏହିପରି ଚେତାବନୀ ଥିବା ବୋର୍ଡ ଦେଖିବାକୁ ମିଳିବ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ପ୍ରତିଷ୍ଠାନ, ଯେପରିକି ଏମ୍ସ ନାଗପୁରକୁ ‘ତେଲ ଏବଂ ଚିନି ବୋର୍ଡ’ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଏହି ଶବ୍ଦ ଗୁଡ଼ିକ ସ୍ପଷ୍ଟ ଭାବରେ ଦେଖାଯିବା ସହ ଏହି ଖାଦ୍ୟ ଗୁଡିକରେ କେତେ ପରିମାଣରେ ଫ୍ୟାଟ ଅର୍ଥାତ୍ ଚର୍ବି ଏବଂ ଚିନି ରହିଅଛି ତାହା ମଧ୍ୟ ସୂଚିତ କରିବ। ଏହାକୁ ନେଇ ଏମ୍ସ ନାଗପୁରର ଅଧିକାରୀମାନେ କହିଛନ୍ତି ଯେ ସମସ୍ତ କ୍ୟାଣ୍ଟିନ୍ ଏବଂ ସାର୍ବଜନୀନ ସ୍ଥାନରେ ଏହି ବୋର୍ଡ ଗୁଡ଼ିକ ଲଗାଯିବାର ଯୋଜନା ଚାଲିଛି।

ତେବେ କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ନାଗପୁର ଶାଖାର ସଭାପତି ଡକ୍ଟର ଅମର ଆମଲେ କହିଛନ୍ତି ଯେ ବର୍ଷ ବର୍ଷ ଧରି ଖାଇ ଆସୁଥିବା ଏହି ଖାଦ୍ୟ ସବୁ ସିଗାରେଟ ଟାଣିବା ସହ ସମାନ। ଏହି ଚିନି ଜାତୀୟ ଖାଦ୍ୟ ଏବଂ ଟ୍ରାନ୍ସ ଫ୍ୟାଟ୍ ମଣିଷ ଶରୀରକୁ ଅନେକ ପ୍ରକାରର କ୍ଷତି ପହଞ୍ଚାଇଥାଏ। ଲୋକମାନେ କ’ଣ ଖାଉଛନ୍ତି ତାହା ଜାଣିବାର ଅଧିକାର ସେମାନଙ୍କର ଅଛି ବୋଲି ମଧ୍ୟ ସେ କହିଥିଲେ।

ଏକ ସର୍ଭେରୁ ଜଣାପଡ଼ିଛି ଯେ ୨୦୫୦ ସୁଦ୍ଧା ୪୪୯ ନିୟୁତରୁ ଅଧିକ ଭାରତୀୟ ଓଜନ କିମ୍ବା ମେଦବହୁଳତାର ଶିକାର ହେବା ସହ ଭାରତ ଏଥିରେ ସାରା ବିଶ୍ବରେ ଦ୍ଵିତୀୟ ସ୍ଥାନରେ ରହିବ। ତେବେ ସହରଗୁଡ଼ିକରେ ପ୍ରତି ପାଞ୍ଚ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ମେଦବହୁଳତାର ଶିକାର ହେଉଛନ୍ତି। ତେବେ ଏହା କେବଳ ବୟସ୍କ କିମ୍ବା ଯୁବ ବର୍ଗମାନଙ୍କରେ ଦେଖାଯାଉଛି ତାହା ନୁହେଁ ବର୍ତ୍ତମାନ୍ ଏହା ପିଲାମାନଙ୍କ ମଧ୍ୟରେ ବି ଦେଖାଗଲାଣି।ଯାହାକି ଚିନ୍ତାର ବିଷୟ ପାଲଟିଛି। ଯାହା କେବଳ ଖରାପ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ହେଉଛି।

 

Comments are closed.