Latest Odisha News

BREAKING NEWS

ସୌମ୍ୟାଶ୍ରୀ ଝଡ଼…ପଡ଼ିଲାଣି ଚାପ !

ଭୁବନେଶ୍ୱର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲାକୁ ନେଇ ହୁଲୁସ୍ତୁଲୁ ପୂରା ରାଜ୍ୟ । ବୁଧବାର ବିଜେଡି ତ ଗୁରୁବାର ଗର୍ଜିବ କଂଗ୍ରେସ । ବଢୁଛି ପଛେ ଥମିବାର ନାଁ ନେଉନି ସୌମ୍ୟାଶ୍ରୀ ଝଡ଼ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା। କୁହାଯାଉଛି, ବିରୋଧ, ବିକ୍ଷୋଭକୁ ନେଇ ପ୍ରବଳ ଚାପରେ ରାଜ୍ୟ ସରକାର । ଆଗକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ସରକାର ପ୍ରସ୍ତୁତି କରୁଥିବା ବେଳେ ସୌମ୍ୟାଶ୍ରୀ ମୃତ୍ୟୁ ମାମଲା ବଡ ଟୁଇଷ୍ଟ ଆଣିଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରହିଥିବା ସୂର୍ଯ୍ୟବଂଶୀ ସୁରଜଙ୍କ ଅଡୁଆ ବଢିପାରେ । ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାପ ପଡିପାରେ ବୋଲି ବି ଚର୍ଚ୍ଚା ହେଉଛି ।

ସୌମ୍ୟାଶ୍ରୀ ମାମଲା…ପ୍ରବଳ ଚାପ !

ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଉଭୟ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ଜୋରଦାର ବିରୋଧ ପ୍ରଦର୍ଶନ କରୁଛନ୍ତି । ବୁଧବାର ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଲୋକସେବା ଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହି ହୋଇଥିଲେ ବିଜେଡି ନେତା । ପୋଲିସର ଲୁହବୁହା ଗ୍ୟାସ ଓ ପାଣିମାଡରେ ଅନେକ ନେତା ଆହତ ବି ହୋଇଛନ୍ତି । ଗୁରୁବାର ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହାପୂର୍ବରୁ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରିବା ସହ ଅଣ୍ଡା ମାଡ କରାଯାଇଥିଲା । ବିରୋଧୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏନେଇ ସରକାର ମଧ୍ୟ ଚାପରେ ଥିବା କୁହାଯାଉଛି ।

ପ୍ରଭାବଶାଳୀ ଗୋଷ୍ଠୀର ନେତା…ବଢିବ ଅଡୁଆ

ନିର୍ବାଚନ ପ୍ରଚାର ବେଳଠୁ ହିଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ମୁଣ୍ଡ ଉପରେ ବିଜେପିର ପ୍ରଭାବଶାଳୀ ଗୋଷ୍ଠୀର ନେତାଙ୍କ ହାତ ଥିବା ଦେଖିବାକୁ ମିଳିଛି । ଆଉ ସମାନ ଗୋଷ୍ଠୀର ଲବି ଯୋଗୁଁ ହିଁ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମିଳିଥିବା ଚର୍ଚ୍ଚା ହୋଇଥିଲା । ହେଲେ ଏବେ ସମୟ ବଦଳିଛି, ରାଜ୍ୟ ବିଜେପିର ସମୀକରଣ ବି ବଦଳିଛି । ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ହେବା ପରେ ସଂପୃକ୍ତ ପ୍ରଭାବଶାଳୀ ଗୋଷ୍ଠୀର ପକ୍ଷଛେଦନ ନେଇ ଯୋଜନା କରାଯାଉଥିବା କୁହାଯାଉଛି । ଏପରିକି ନିଜେ ରାଜ୍ୟ ସଭାପତି ମଧ୍ୟ ସୂର୍ଯ୍ୟବଂଶୀଙ୍କୁ ସୁରକ୍ଷା ଦେବାକୁ ଆଗ୍ରହ ଦେଖାଉନଥିବା ବି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ସୌମ୍ୟାଶ୍ରୀ ମୃତ୍ୟୁ ମାମଲା ସୂର୍ଯ୍ୟବଂଶୀଙ୍କ ଅଡୁଆ ବଢାଇପାରେ ବୋଲି ଆକଳନ କରାଯାଉଛି ।

ସୌମ୍ୟାଶ୍ରୀ ମାମଲା… ଚିନ୍ତାରେ ସରକାର

ରଥଯାତ୍ରା ଓ ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣା ନେଇ କାଠଗଡାକୁ ଆସିଥିବା ବିଜେପି ସରକାର ସୌମ୍ୟାଶ୍ରୀ ମୃତ୍ୟୁ ମାମଲାକୁ ନେଇ ବ୍ୟାକଫୁଟକୁ ଆସିଛି । ରାହୁଲ ଗାନ୍ଧୀଙ୍କ ପରି ଜାତୀୟ ସ୍ତରର ନେତା ମାମଲାରେ ପ୍ରତିକ୍ରିୟା ରଖିବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ଗୋଟିଏ କଥା ସ୍ପଷ୍ଟ, ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ବିନା ଏ ଆକ୍ରୋଶର ନିଆଁ ଥମିବନି । କାରଣ ନିର୍ଯାତନା ନେଇ ଆତ୍ମାହୁତି କରିବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ସବୁସ୍ତରରେ ନିବେଦନ କରିଥିଲେ । ହେଲେ କେହି ନଶୁଣିବାରୁ ଶେଷ ରାସ୍ତା ବାଛିଥିଲେ । ଏଭଳି ସ୍ଥିତିରେ ବିରୋଧୀ ସରକାରଙ୍କୁ କାଠଗଡାକୁ ଟାଣିବା ସ୍ବାଭାବିକ କଥା ।

ଆଗକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଥିବା ବେଳେ ପୂର୍ବରୁ ହିଁ ସୂର୍ଯ୍ୟବଂଶୀଙ୍କର ବର୍ଷକର ପ୍ରଦର୍ଶନକୁ ନେଇ ବି ପ୍ରଶ୍ନ କରିଥିଲେ ବିରୋଧୀ । ଓଡିଆ ଅସ୍ମିତା କଥା କହି ବିଜେପି କ୍ଷମତାକୁ ଆସିଥିବା ବେଳେ ଗତ ବର୍ଷକ ମଧ୍ୟରେ ସେଭଳି ପଦକ୍ଷେପ ନେଇନାହାନ୍ତି ସରକାର। ସୂର୍ଯ୍ୟବଂଶୀ ସଂସ୍କୃତି ମନ୍ତ୍ରୀ ଦାୟିତ୍ବରେ ରହିଥିବାରୁ ତାଙ୍କ ନାଁ ଟଣା ହୋଇଛି । ସେହିପରି କଳିଙ୍ଗ ଷ୍ଟାଡିୟମ ଦୌଡ ଟ୍ରାକରେ ଗାଡି ଚଲାଇ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ଏବେ ଏଫଏମ କଲେଜରେ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ଉଚ୍ଚଶିକ୍ଷା ବିଭାଗରେ ରହିଥିବା ବ୍ୟବସ୍ଥାଗତ ତ୍ରୁଟିକୁ ପଦାରେ ପକାଇଛି । ତେଣୁ ସୂର୍ଯ୍ୟବଂଶୀଙ୍କ ମୁଣ୍ଡରେ ଡେମୋକ୍ଲିସ ଖଣ୍ଡା ଝୁଲୁଥିବା ଚର୍ଚ୍ଚା ହେଉଛି ।

 

 

Comments are closed.