Latest Odisha News

BREAKING NEWS

କାହିଁକି ବୁଲା କୁକୁରଙ୍କ ପ୍ରତି କଠୋର ହେଲେ ସୁପ୍ରିମକୋର୍ଟ?, ଏତିକି ଜୀବନ ନେଲାଣି ରାବିଜ୍….

ନୂଆଦିଲ୍ଲୀ:  ଏବେ ଦିଲ୍ଲୀରୁ ପଲ୍ଲୀ ସବୁଠି ଗୋଟିଏ ଚର୍ଚ୍ଚା ବୁଲା କୁକୁରଙ୍କ ସ୍ଥାନାନ୍ତରଣ । ସୁପ୍ରିମକୋର୍ଟ ଗତ ୧୧ ତାରିଖରେ ବୁଲା କୁକୁରଙ୍କୁ ହଟାଇବା ନିର୍ଦ୍ଦେଶ ଦେବା ପରେ ଏକ ନୂତନ ବିବାଦ ମୁଣ୍ଡ ଟେକିଛି । ଦିନକୁ ଦିନ କୁକୁରଙ୍କ ଆତଙ୍କ ବଢୁଥିବା ବେଳେ ଏହାକୁ ନେଇ ସୁପ୍ରିମକୋର୍ଟ କଠୋରତା ଦେଖାଇଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି କୁକୁର ପ୍ରେମୀ । ଯାହାକୁ ନେଇ ଗୁରୁବାର ପୁଣି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଯଦିଓ ପୂର୍ବ ରାୟକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିନାହାନ୍ତି ତଥାପି ବର୍ତ୍ତମାନ ରାୟ ସଂରକ୍ଷିତ ରଖି ଆଜିର ପରିସ୍ଥିତି ପାଇଁ ପୂର୍ବରୁ ଥିବା ନିୟମକୁ ନପାଳନ କରିବାରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି କୋର୍ଟ ।

କାହିଁକି କୁକୁରଙ୍କ ପ୍ରତି କଠୋର ହେଲେ କୋର୍ଟ?

ଭାରତରେ ବୁଲା କୁକୁର ଏକ ଗମ୍ଭୀର ସମସ୍ୟା ପାଲଟିଛି । ୨୦୧୯ର ୨୦ତମ ପଶୁ ଗଣନା ଅନୁଯାୟୀ, ଭାରତରେ ୧କୋଟି ୫୩ ଲକ୍ଷ ବୁଲା କୁକୁର ରେକର୍ଡ କରାଯାଇଥିଲା । ଦିଲ୍ଲୀରେ ୬୦ ହଜାର ୪୭୨ କୁକୁର ଥିବା ଆକଳନ କରାଯାଇଥିଲା । ଆଉ ବର୍ତ୍ତମାନ ଏହାର ଆକଳନ ଢେର୍ ଅଧିକ ହୋଇପାରେ । ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ସର୍ବାଧିକ। କିନ୍ତୁ ବିଗତ ଦିନ ମାନଙ୍କରେ ବୁଲା କୁକୁର ଚିନ୍ତାର କାରଣ ପାଲଟିଛନ୍ତି । ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ରହିଛି ଯେଉଁଥିରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବୁଲା କୁକୁରଙ୍କ ଆକ୍ରମଣରେ ଜୀବନ ହାରିଛନ୍ତି ନହେଲେ ଗଭୀର ଆହତ ହୋଇଛନ୍ତି । ଭାରତରେ ୨୦୨୪ ମସିହାରେ ୩୭ ଲକ୍ଷ ୧୫ ହଜାର ୭୧୩ କୁକୁର କାମୁଡ଼ା ମାମଲା ରିପୋର୍ଟ କରାଯାଇଥିଲା। କେବଳ ରାଜଧାନୀ ଦିଲ୍ଲୀରେ ଏହି ବର୍ଷ ଜାନୁଆରୀରେ ୩ ହଜାର ୧୯୬, ଅର୍ଥାତ୍ ଦିନକୁ ପ୍ରାୟ ୧୦୩ ଜଣ କୁକୁର ଆକ୍ରମଣର ଶିକାର ହୋଇଛନ୍ତି । ଦିଲ୍ଲୀରେ ୨୦୨୪ ମସିହାରେ ୨୫ ହଜାର ୨୧୦ (ପ୍ରତିଦିନ ପ୍ରାୟ ୬୯), ୨୦୨୩ରେ ୧୭ ହଜାର ୮୭୪ (ପ୍ରତିଦିନ ପ୍ରାୟ ୪୯), ୨୦୨୨ ମସିହାରେ ୬ ହଜାର ୬୯୧ (ପ୍ରତିଦିନ ପ୍ରାୟ ୧୮) ମାମଲା ରିପୋର୍ଟ ହୋଇଛି । ଯାହାକୁ ନେଇ କୋର୍‌ଟ ନିଜ ଆଡୁ ମାମଲା ଆବେଦନ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭାରତରେ ରାବିଜ୍ ଯୋଗୁଁ ମୃତ୍ୟୁ

ରାବିଜ୍ ଏକ ଶତ ପ୍ରତିଶତ ମାରାତ୍ମକ ରୋଗ । ଗତ କିଛି ମାସ ମଧ୍ୟରେ, ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ରାସ୍ତାରେ ଯାଉଥିବା ଛୋଟ ଝିଅ ଠାରୁ କବାଡି ଖେଳାଳି ପର୍ଯ୍ୟନ୍ତ କୁକୁର କାମୁଡ଼ା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ପ୍ରାୟ ୩୦୦ ଲୋକ ରାବିଜ୍ ଯୋଗୁଁ ମୃତ୍ୟୁବରଣ କରନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଡବ୍ଲୁଏଚଓ ତ କହୁଛି ଯେ ପ୍ରତିବର୍ଷ ଭାରତରେ ୧୮ ହଜାରରୁ ୨୦ ହଜାର ଲୋକ ରାବିଜ୍ ଯୋଗୁଁ ମୃତ୍ୟୁବରଣ କରନ୍ତି। ଏଥି ମଧ୍ୟରୁ ଅଧିକାଂଶ ମାମଲା ରିପୋର୍ଟ ବି ହୁଏ ନାହିଁ। ରିପୋର୍ଟ କହୁଛି ଭାରତରେ ୨୦୨୪ ମସିହାରେ ଭାରତରେ ପ୍ରାୟ ୩୭ ଲକ୍ଷ ୧୬ ହଜାର କୁକୁର କାମୁଡ଼ା ମାମଲା ରିପୋର୍ଟ ହୋଇଥିଲା। ୨୦୨୪ରେ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ ଏବଂ ବିହାରରୁ ସର୍ବାଧିକ ମାମଲା ରିପୋର୍ଟ ହୋଇଥିଲା। ୨୦୨୩ରେ ଭାରତରେ ପ୍ରାୟ ୩୦.୫୩ ଲକ୍ଷ, ୨୦୨୨ରେ ପ୍ରାୟ ୨୧.୯ ଲକ୍ଷ, ୨୦୨୧ରେ ୧୭ ଲକ୍ଷରୁ ଅଧିକ ଏବଂ ୨୦୨୦ ମସିହାରେ ୪୬ ଲକ୍ଷରୁ ଅଧିକ କୁକୁର କାମୁଡା ମାମଲା ସାମ୍ନାକୁ ଆସିଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୨୦୩୦ ସୁଦ୍ଧା ଭାରତରୁ କୁକୁର ରାବିଜ୍ ନିରାକରଣ ପାଇଁ ଏକ ଜାତୀୟ କାର୍ଯ୍ୟ ଯୋଜନା ଆରମ୍ଭ କରିଛି। ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ବୁଲା କୁକୁର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଗୁ କରାଯିବା ପାଇଁ, ପଶୁ ଜନ୍ମ ନିୟନ୍ତ୍ରଣ (କୁକୁର) ନିୟମ, ୨୦୦୧ ପ୍ରଣୟନ କରିଛି । ଯାହା ୨୦୧୦ରେ ସଂଶୋଧିତ ମଧ୍ୟ ହୋଇଥିଲା । ଏହି ନିୟମ ଅନୁଯାୟୀ, ପ୍ରତିବର୍ଷ ବୁଲା କୁକୁରମାନଙ୍କର ରାବିଜ୍ ପ୍ରତିରୋଧୀ ଟୀକାକରଣ ଏବଂ ଜନସଂଖ୍ୟା ନିୟନ୍ତ୍ରଣର ଏକ ଉପାୟ ଭାବରେ ବୁଲା କୁକୁରମାନଙ୍କର ବନ୍ଧ୍ୟାକରଣ କରାଯିବ । ଯାହାକୁ ଠିକ୍ ଭାବେ ପାଳନ ହୋଇନଥିବାରୁ ଆଜି ଏଭଳି ସମସ୍ୟା ଉପୁଜିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଭତ୍ସନା କରିଛନ୍ତି କୋର୍ଟ ।

ଏହି ସମସ୍ୟାର ସମାଧାନ ପାଇଁ, ସୁପ୍ରିମକୋର୍ଟ ଗତ ୧୧ରେ ଦିଲ୍ଲୀ-ଏନସିଆରରେ ସମସ୍ତ ବୁଲା କୁକୁରଙ୍କୁ ରାସ୍ତାରୁ ହଟାଇ ୬-୮ ସପ୍ତାହ ମଧ୍ୟରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଏକ ଊଷ୍ମ ବିବାଦ ସୃଷ୍ଟି କରିଥିଲା। ପ୍ରାଣୀ କଲ୍ୟାଣ ସଂଗଠନଗୁଡ଼ିକ ଏହି ନିର୍ଦ୍ଦେଶକୁ ଅବ୍ୟବହାରିକ ଏବଂ ଅଣ-ବୈଜ୍ଞାନିକ ବୋଲି କହିଥିଲେ । କାରଣ ଏତେ ସଂଖ୍ୟକ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳର ଅଭାବ ରହିଛି ।

Comments are closed.