Latest Odisha News

BREAKING NEWS

UP woman English: ସାଧାରଣ ଗୃହିଣୀଙ୍କ ମୁହଁରେ ଅନର୍ଗଳ ଇଂରାଜୀ! ପ୍ରିୟଙ୍କା ଚୋପ୍ରା କଲେ ବାଃ ବାଃ…ହେଲେ ଭିଡିଓ ପାଇଁ ସ୍ୱାମୀ ଦେଲେ ଗାଳି

ଲକ୍ଷ୍ନୌ: ସାଧାରଣ ଗାଁର ଗୃହିଣୀଟିଏ। ସକାଳୁ ଉଠି ଘର କାମ, ତା’ପରେ ବିଲକୁ ଯାଇ ଚାଷ କାମ। ହେଲେ ଏହି ଦେହାତୀ ମହିଳା ଯେତେବେଳେ ଇଂରାଜୀ କହନ୍ତି, ପାଟିରେ ବାଟୁଳି ବାଜେନି । ଫଟାଫଟ୍ ଏବଂ ଅତି ସ୍ପଷ୍ଟ ଓ ନିଖୁଣ ଇଂରାଜୀ କୁହନ୍ତି । କେଉଁଠି ଅଟକନ୍ତି ନାହିଁ କି ଡରନ୍ତି ନାହିଁ। ଆଉ ତାଙ୍କର ଏହି ଇଂରାଜୀ ଏବେ ଏତେ ଭାଇରାଲ୍ ହୋଇଛି ଯେ, ବଲିଉଡ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ବି ଏହାର ପ୍ରଶଂସା କରିଛନ୍ତି ।

ଏ ହେଉଛନ୍ତି ଉତ୍ତରପ୍ରଦେଶର ଯଶୋଦା ଲୋଧି। ସୋସିଆଲ ମିଡିଆରେ ‘ଇଂଲିଶ୍ ୱିଥ୍ ଦେହାତୀ ମ୍ୟାଡାମ୍’ ନାମରେ ସେ ବେଶ୍ ପରିଚିତ। ଗାଁରେ ରହି ସେ ଲୋକଙ୍କୁ ଇଂରାଜୀ କହିବା ଶିଖାନ୍ତି ଏବଂ ନିଜ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।

କିନ୍ତୁ ନିକଟରେ ଭିଡିଓ ତିଆରି କରିବା ତାଙ୍କ ପାଇଁ ଟିକେ ଭାରି ପଡ଼ିଥିଲା। ବିଲରେ କାମ କରୁଥିବା ବେଳେ ଯଶୋଦା ଏକ ଭିଡିଓ ରେକର୍ଡ କରୁଥିଲେ। ଏହା ଦେଖି ତାଙ୍କ ସ୍ୱାମୀ ତାଙ୍କୁ ତାଗିଦ୍ କରିଥିଲେ। ହେଲେ ସ୍ୱାମୀଙ୍କ କଥାରେ ଅଟକି ଯାଇନଥିଲେ ଯଶୋଦା। ଭିଡିଓ ସମ୍ପୂର୍ଣ୍ଣ କରି ପୋଷ୍ଟ କରିଦେଲେ। ଆଉ ତା’ପରେ ଯାହା ହେଲା, ତାହା ଯଶୋଦା ବି ଭାବିନଥିଲେ। ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସେହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରିଦେଲେ। ପ୍ରିୟଙ୍କାଙ୍କ ଏହି ପ୍ରଶଂସାରେ ଯଶୋଦା ଖୁସିରେ ଆତ୍ମହରା ହୋଇଯାଇଛନ୍ତି।

ଯଶୋଦା କହିଛନ୍ତି, ପ୍ରିୟଙ୍କା ତାଙ୍କ ଭିଡିଓ ସେୟାର କରି ତାଙ୍କ ଦିନକୁ ସ୍ୱତନ୍ତ୍ର କରିଦେଇଛନ୍ତି। ତାଙ୍କ ଇଂରାଜୀ କହିବାକୁ ଅଭିନେତ୍ରୀ ମୃଣାଳ ଠାକୁର ମଧ୍ୟ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରି ପ୍ରଶଂସା କରିଛନ୍ତି। ମୃଣାଳ କହିଛନ୍ତି, “ଆପଣ ଜାଣିନାହାନ୍ତି ଏମିତି ସ୍ପଷ୍ଟ ଇଂରାଜୀ କହିବା କେତେ ଲୋକଙ୍କ ସ୍ବପ୍ନ । ତୁମେ ଲୋକଙ୍‌କ ପାଇଁ ପ୍ରେରଣା ମୋର ଲଭଲି” ।

ଯଶୋଦା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୪ ଲକ୍ଷରୁ ଅଧିକ ଫଲୋଅର୍ ଥିବା ବେଳେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ ସଂଖ୍ୟା ୫.୭୭ ଲକ୍ଷରୁ ଅଧିକ। ଯଶୋଦାଙ୍କ ଘରେ ଟିଭି ମଧ୍ୟ ନାହିଁ। ତେଣୁ କେଉଁ ସେଲିବ୍ରିଟି ତାଙ୍କ ଭିଡିଓକୁ ପ୍ରଶଂସା କଲେ, ସେକଥା ସେ ପଢାଉଥିବା ପିଲାଙ୍କ ଠାରୁ ଜାଣିଥିଲେ ।

ଘରେ ଟିଭି ନାହିଁ, ସେଲିବ୍ରିଟିଙ୍କ ଦୁନିଆଠାରୁ ଦୂରରେ ରହନ୍ତି। ହେଲେ ତାଙ୍କ ଇଂରାଜୀ ଏବେ ପହଞ୍ଚିଛି ବଲିଉଡ୍ ଷ୍ଟାରଙ୍କ ପାଖରେ। ଏବେ ଯଶୋଦା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Leave A Reply

Your email address will not be published.