Latest Odisha News

BREAKING NEWS

Cm Meets Naveen Patnaik: ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ନବୀନ ନିବାସରେ ପହଞ୍ଚି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଖାଲି ମୁଖ୍ୟମନ୍ତ୍ରୀ ନୁହନ୍ତି ମେଡିକାଲରୁ ଆସିବା ପରେ ଅନେକ ନେତା ମନ୍ତ୍ରୀ ମାନେ ମଧ୍ୟ ନବୀନଙ୍କୁ ସାକ୍ଷାତ କରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେସନ୍‌ ଯୋଗୁଁ ଅସୁସ୍ଥ ହୋଇ ସମ୍‌ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ବୁଧବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

ବିରୋଧୀ ଦଳ ନେତାଙ୍କୁ ଭେଟିବା ପରେ ଏକ୍ସ ରେ ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଲେଖିଛନ୍ତି ଯେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିବା ସହ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି ।

ଗତକଲି ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ନବୀନ ନିବାସ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ନବୀନଙ୍କ ସାକ୍ଷାତ ସମୟରେ ବଡ଼ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିବାର ସୂଚନା ରହିଛି ।

Comments are closed.