Latest Odisha News

BREAKING NEWS

Biju Patnaik Sports Award: ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ବର: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟପାଳ ହରିବାବୁ କମ୍ଭମପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ସେହିପରି, ଶ୍ରେଷ୍ଠ ପାରା ଆଥଲେଟ ଭାବେ ଅନ୍ତର୍ଜାତୀୟ ହ୍ବିଲଚେୟାର ଫେନସର ରାଖାଲ କୁମାର ସେଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ୯ ବର୍ଷରୁ କମ ବୟସ ବର୍ଗରେ ଦୁଇ ଥର ବିଶ୍ୱ ପଦକ ବିଜେତା ଚେସ ଖେଳାଳି ସାତ୍ତ୍ବିକ ସ୍ବାଇଁଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି ।

କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ଭାବେ ବିମଳ କୁମାର ରାଉଳଙ୍କୁ ସମ୍ମାନିତ କରାଯାଇଛି । ଜୁଡୋ ପ୍ରଶିକ୍ଷକ ସୁଷମା ନନ୍ଦଙ୍କୁ ଶ୍ରେଷ୍ଠ କୋଚ, ଡାକ୍ତର ସୁଜିତ ଶତପଥୀଙ୍କୁ ଶ୍ରେଷ୍ଠ ବୈଷୟିକ କ୍ରୀଡା ଅଧିକାରୀ, ୧୯୮୧ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ବିଜୟ କୁମାର ଶତପଥୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ଚିତ୍ତରଞ୍ଜନ ପ୍ରଧାନ ଏବଂ ଜୀବନ କୁମାର ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି ।

ପୁରସ୍କାର ବିଜେତାଙ୍କୁ ଟ୍ରଫି, ମାନପତ୍ର ଏବଂ ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଜୀବନବ୍ୟାପୀ ସେବା ପୁରସ୍କାର ପାଇଁ ୪ ଲକ୍ଷ, ଶ୍ରେଷ୍ଠ କ୍ରୀଡାବିତଙ୍କୁ ୩ ଲକ୍ଷ, ଶ୍ରେଷ୍ଠ ପାରା କ୍ରୀଡ଼ାବିତ, ଉଦୀୟମାନ ଖେଳାଳି, ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

 

Comments are closed.