ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଆଗକୁ ବଙ୍ଗୋପସାଗରରେ ଆଉ ୨ଟି ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଥିବାରୁ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୩ ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିହେବ। ଏହାର ପ୍ରଭାବରେ ରବିବାର ତଥା ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ ।
ଆଜି ସାରା ରାଜ୍ୟ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ ।
ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ । ୪ ତାରିଖ ଯାଏଁ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେପଟେ, ଶନିବାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି । ଆଉ କିଛି ସ୍ଥାନରେ ଖରା ଓ ଗୁଳୁଗୁଳି ସହ ହାଲୁକା ବର୍ଷା ହୋଇଛି । ପାରାଦ୍ବୀପରେ ୩୦.୫ମିମି., ଭୁବନେଶ୍ବର ୨୨.୧, ଜଗତସିଂହପୁର ୭.୩, ନୂଆପଡ଼ାରେ ୬.୨ମିମି ବର୍ଷା ହୋଇଛି । କେନ୍ଦ୍ରାପଡ଼ା, ବାଲେଶ୍ବର, ଚାନ୍ଦବାଲି ଝାରସୁଗୁଡ଼ା ଏବଂ କେନ୍ଦୁଝରରେ ମଧ୍ୟ ବର୍ଷା ହୋଇଛି ।
Comments are closed.