Latest Odisha News

BREAKING NEWS

ଆସନ୍ତୁ ଜାଣିବା ହ୍ୟାଟ୍ରିକ ନେବାରେ କେଉଁ ଦେଶର ବୋଲର ଆଗରେ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଜଣେ ବୋଲର ହ୍ୟାଟ୍ରିକ ନେବାକୁ ଏକ ବଡ ସଫଳତା ଭାବେ ଗଣନା କରାଯାଇଥାଏ । ଏହା ଦ୍ୱାରା ମ୍ୟାଚର ଗତିପଥ ବଦଳି ଯାଇଥାଏ । ଶ୍ରୀଲଙ୍କାର ଯୁବ ବୋଲର ଦିଲଶାନ ମଦୁଶଙ୍କା ନିକଟରେ ହ୍ୟାଟ୍ରିକ ୱିକେଟ ନେଇ ସମସ୍ତଙ୍କୁ ଚକିତ କରିଥିଲେ । ତେବେ କେଉଁ ଦେଶର ଖେଳାଳିମାନେ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକଥର ହ୍ୟାଟ୍ରିକ ୱିକେଟ ଅର୍ଜନ କରିଛନ୍ତି ଏହା ଉପରେ ନଜର ପକାଇବା । ଶ୍ରୀଲଙ୍କା ବୋଲର ସର୍ବାଧିକ ୧୧ ଥର ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ଲାସିଥ ମାଲିଙ୍ଗା ୩ ଥର ଏହି ସଫଳତା ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚାମିଣ୍ଡା ଭାସ ୨ଥର ଏବଂ ପରଭେଜ ମହାରୁଫ, ଥିସରା ପେରିରା, ଶେହାନ ମଦୁଶଂକା, ୱାନିନ୍ଦୁ ହସରଙ୍ଗା, ମହେଶ ତୀକ୍ଷଣା ଓ ଦିଲଶାନ ମଦୁଶଙ୍କା ଥରେ ଲେଖାଏଁ ଏହି ସଫଳତା ହାସଲ କରିଛନ୍ତି ।

ପାକିସ୍ତାନ ବୋଲର ୮ ଥର ହ୍ୟାଟ୍ରିକ ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୱାସିମ ଆକ୍ରମ ଓ ସକଲେନ ମୁସ୍ତାକ ୨ଥର ଲେଖାଁଏ ଏବଂ ଜଲାଲ ଉଦ ଦୀନ, ଆକ୍ୱିବ ଜାଭେଦ, ୱକାର ୟୁନୁସ ଓ ମହମ୍ମଦ ସାମୀ ଥରେ ଲେଖାଏଁ ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ୬ଜଣ ବୋଲର ଏହି ସଫଳତା ହାସଲ କରିଛନ୍ତି । ସେମାନେ ହେଲେ ବ୍ରୁସ ରିଡ, ଆନ୍ଥୋନୀ ଷ୍ଟୁଆର୍ଟ, ବ୍ରେଟ ଲୀ, ଡେନ କ୍ରିଶ୍ଚିଆନ, କ୍ଲିଂଟ ମ୍ୟାକକେ ଓ ଜେମ୍ସ ଫକନର । ୫ମ ସ୍ଥାନରେ ଥିବା ଭାରତର ୫ଜଣ ବୋଲର ହ୍ୟାଟ୍ରିକ ୱିକେଟ ନେଇଛନ୍ତି । କୂଲଦୀପ ଯାଦବ ୨ଥର ନେଇଥିବା ବେଳେ ଚେତନ ଶର୍ମା, କପିଳ ଦେବ ଓ ମହମ୍ମଦ ସାମୀ ଥରେ ଲେଖାଏଁ ଏହି ସଫଳତା ହାତେଇଛନ୍ତି । ବାଂଲାଦେଶର ୫ଜଣ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ୪ ଥର ଲେଖାଏଁ ଓ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ ୨ ଥର ଲେଖାଏଁ ହ୍ୟାଟ୍ରିକ ୱିକେଟ ନେଇଛନ୍ତି ।

Comments are closed.