ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଗତ ସପ୍ତାହରେ ରୋହିତ ବେଙ୍ଗାଲୁରରେ ଥିବା ବିସିସିଆଇର ସେଂଟର ଅଫ ଏକ୍ସଲେନ୍ସରେ ୟୋ ୟୋ ଫିଟନେସ ଟେଷ୍ଟ ପାସ କରିଛନ୍ତି । ଏଥିସହ ସେ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ ରୋହିତ ଏବଂ ଅନ୍ୟ ଖେଳାଳିଙ୍କ ବ୍ରୋଙ୍କୋ ଟେଷ୍ଟ ହେବ ବୋଲି ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇ ନ ଥିଲା ।
ଏବେ ସ୍ପଷ୍ଟ ହୋଇଛି ଯେ, ରୋହିତଙ୍କ ବ୍ରୋଙ୍କୋ ଟେଷ୍ଟ ହୋଇନି । ବର୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ଟେଷ୍ଟକୁ ବିଧିବଦ୍ଧ ଭାବେ ଲାଗୁ କରି ନାହିଁ । ଫଳରେ ରୋହିତଙ୍କୁ ଏହି ଟେଷ୍ଟ ଦେବାକୁ ପଡି ନ ଥିଲା । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆ ସେପ୍ଟମ୍ବର ୪ରେ ଏସିଆ କପ ଟି୨୦ ଟ୍ରଫି ପାଇଁ ଦୁବାଇ ଗସ୍ତରେ ଯିବ । ସେପ୍ଟମ୍ବର ୫ରେ ବିସିସିଆଇ ଯଦି ଚାହିଁବ ସେଠାରେ ଖେଳାଳିଙ୍କ ବ୍ରୋଙ୍କୋ ଟେଷ୍ଟ କରିପାରିବ । ରୋହିତ ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ଉଭୟ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି ।
Comments are closed.