ବେଜିଂ: Gen-Z ଆନ୍ଦୋଳନ ପରେ ନେପାଳରେ ଅରାଜକତା ଦେଖାଦେଇଛି। ହିଂସା ଏବଂ ପୋଡ଼ାଜଳା ପରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଥିଲା, ଯାହା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚୀନ୍ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ଏକ ଗଣମାଧ୍ୟମ ବ୍ରିଫିଂରେ ନେପାଳର ପରିସ୍ଥିତି ଉପରେ ମତାମତ ଦେଇ କହିଛନ୍ତି, ‘ଚୀନ ଏବଂ ନେପାଳ ମଧ୍ୟରେ ପାରମ୍ପରିକ ଭାବରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପଡ଼ୋଶୀ ସମ୍ପର୍କ ରହିଛି। ଆମେ ଆଶା କରୁଛୁ ଯେ ନେପାଳର ସମସ୍ତ କ୍ଷେତ୍ର ଘରୋଇ ସମସ୍ୟାଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କରିବେ ଏବଂ ଯଥାଶୀଘ୍ର ସାମାଜିକ ବ୍ୟବସ୍ଥା ଏବଂ ଆଞ୍ଚଳିକ ସ୍ଥିରତା ଫେରାଇ ଆଣିବେ।’
କିନ୍ତୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ଗଣମାଧ୍ୟମ ବ୍ରିଫିଂ ସମୟରେ ଓଲିଙ୍କ ଇସ୍ତଫା ଉପରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ଓଲିଙ୍କୁ ଜଣେ ଚୀନ୍ ସମର୍ଥକ ନେତା ଭାବରେ ବିବେଚନା କରାଯାଏ। ସେ ଚୀନ୍ ସହିତ ନେପାଳର ରଣନୈତିକ ସମ୍ପର୍କକୁ ଆହୁରି ଗଭୀର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ଲିନ୍ ଜିଆନ୍ ସ୍ପଷ୍ଟ କରିଛନ୍ତି ଯେ ନେପାଳରେ ଏପର୍ଯ୍ୟନ୍ତ କୌଣସି ଚୀନ୍ ନାଗରିକ ଆହତ ହୋଇନାହାଁନ୍ତି। ସେ ଚୀନ୍ ଲୋକଙ୍କୁ ସେମାନଙ୍କର ସୁରକ୍ଷା ପ୍ରତି ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ ଅଯଥା ବାହାରକୁ ନଯିବା ଉଚିତ।
Comments are closed.