ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା: ଭାରତୀୟ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ସେବା ଯୋଗାଇବାକୁ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ବର: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଅକ୍ଟୋବର ୨ ତାରିଖରେ ସମଗ୍ର ଦେଶବାସୀ ପାଳିବେ ଦଶହରା ପର୍ବ । ଆଉ ଦିନକ ପରେ ଆରମ୍ଭ ହେବ ପୀଠରେ ମାଆଙ୍କର ଷୋଡଶ ଉପଚାର । ଆସନ୍ତା ୨୨ ତାରିଖ ଠାରୁ ମା’ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଯିବ ।
ବିଶେଷ ଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ରହୁଥିବା ଲୋକ କୋଲକାତା ଓ ଓଡିଶାର କଟକ ସହରରେ ଦୁର୍ଗାପୂଜାକୁ ବେଶ ଧୂମଧାମରେ ପାଳନ କରାଯାଇଥାଏ । ତେଣୁ ଏହି ସମୟରେ ବାହାରେ ରହୁଥିବା ଲୋକେ ନିଜର ଭିଟାମାଟିକୁ ଫେରିଥାନ୍ତି । ଆହୁରି ଅନେକ ବାହାରକୁ ବୁଲିବାକୁ ଯାଇଥାନ୍ତି । ଦୁର୍ଗାପୂଜା ଅବସରରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥା ଆବଶ୍ୟକ ଥିବା ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ।
ଦଶହରା ସମୟରେ ଭାରତୀୟ ରେଳବାଇ ୬୦୦୦ରୁ ଊର୍ଦ୍ଧ୍ବ ସ୍ବତନ୍ତ୍ର ଟ୍ରେନ୍ ପରିଚାଳନା କରିବ । ଏଥରୁ ଅନେକଗୁଡ଼ିଏ ଟ୍ରେନ୍ ପୂର୍ବତଟ ରେଳପଥ ଅଧୀନ ଦେଇ ଯାତ୍ରା କରିବ । ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ପୂର୍ବତଟ ରେଳବାଇ ମଧ୍ୟ ଘୋଷଣା କରିଛି । ଆବଶ୍ୟକ ଅନୁସାରେ ଆହୁରି ପଦକ୍ଷେପ ନେଇପାରେ । ଏହା ଦ୍ବାରା ଯାତ୍ରୀମାନଙ୍କୁ ସହଜରେ ଆଗୁଆ ଟିକେଟ୍ ମିଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଭାରତୀୟ ରେଳବାଇ ସାଧାରଣତଃ ଦୁର୍ଗା ପୂଜା ସମୟରେ ସ୍ୱତନ୍ତ୍ର ପୂଜା ଟ୍ରେନ୍ର ବ୍ୟବସ୍ଥା କରିଥାଏ ଏବଂ ଅଧିକ ଚାହିଦା ଥିବା ରୁଟରେ ଅତିରିକ୍ତ କୋଚ୍ ସଂଯୋଗ କରିଥାଏ । ଏଥି ପାଇଁ ଯାତ୍ରୀଙ୍କୁ ଅପ୍ଡେଟ୍ ରହିବାକୁ ପଡିବ । ଯେପରିକି, ଆଇଆରସିଟିସି ଘୋଷଣା ଯାଞ୍ଚ କରିବା । ଆଧିକାରିକ ଭାରତୀୟ ରେଳବାଇ ୱେବସାଇଟ୍ ପରିଦର୍ଶନ କରିବା । ଭାରତୀୟ ରେଳବାଇ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ଅନୁସରଣ କରିବା ।
Comments are closed.