ମହିଳା କନଷ୍ଟେବଳ ହତ୍ୟା ଘଟଣା; ବୀମା ଟଙ୍କା ପାଇଁ ସ୍ବାମୀ ନେଲା ଜୀବନ..
ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି
ଭୁବନେଶ୍ୱର: ପୋଲିସ ସେବା ଭବନର ଆକାଉଣ୍ଟସ୍ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ଦୀପକ କୁମାର ରାଉତଙ୍କୁ ତାଙ୍କ ଦ୍ବିତୀୟ ପତ୍ନୀ ଅର୍ଥାତ୍ ଟ୍ରାଫିକ ପୋଲିସ ଭାବେ କାର୍ଯ୍ୟରତ ଥିବା ଶୁଭମିତ୍ରା ସାହୁଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି।
ତେବେ ଏହି ଗିରଫଦାରୀ ପରେ ୨୦୨୨ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତାଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଦେହାନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଯାହାକୁ ନେଇ ଅପର୍ଣ୍ଣାଙ୍କ ପରିବାର ପୁନଃ ତଦନ୍ତ ଦାବି କରିଛନ୍ତି। ଶୁଭମିତ୍ରାଙ୍କର ନାମରେ ୧.୨ କୋଟି ଟଙ୍କାର ବୀମା ପଲିସି ଥିଲା। ଯାହାକୁ ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା।
ଅପରପକ୍ଷରେ ଦୀପକ ଏବଂ ଅପର୍ଣ୍ଣା ୨୦୧୮ରେ ବିବାହ କରିଥିଲେ। ଢେଙ୍କାନାଳ ଜିଲ୍ଲାର ତିଲାପଡ଼ା ଗାଁରେ ରାଜସ୍ୱ ନିରୀକ୍ଷକ (ଆରଆଇ) ଭାବରେ କାର୍ଯ୍ୟ କରୁଥିବା ଅପର୍ଣ୍ଣା ୧୭ ମାର୍ଚ୍ଚ ୨୦୨୨ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ।କଟକର ଆଠଗଡ଼ ନିକଟରେ ରାସ୍ତା ପାର ହେଉଥିବା ସମୟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ମାରିଥିଲା। ଯାହାଫଳରେ ତାଙ୍କର ମୃତ୍ୟୁବରଣ ହୋଇଥିଲା ଓ ପରେ ତାଙ୍କ ଜୀବନ ବୀମା ପଲିସିରୁ ଦୀପକଙ୍କୁ ୧.୫ କୋଟି ଟଙ୍କା ମିଳିଥିଲା। ଏପରିକି ସେ ମୃତ୍ୟୁ ସମୟରେ ସାତ ମାସର ଗର୍ଭବତୀ ଥିବା ନେଇ ମଧ୍ୟ ସୂତ୍ରରୁ ଜଣାପଡ଼ିଛି। ତେବେ ଉଭୟ ଢେଙ୍କାନାଳରୁ ଭୁବନେଶ୍ୱର ଯାଉଥିବା ସମୟରେ ଖୁଣ୍ଟୁଣୀର ରାଧାଦାମୋଦରପୁର ନିକଟରେ ଦୁର୍ଘଟଣା ଘଟିଥିବା ନେଇ ଅପର୍ଣ୍ଣାଙ୍କ ଭଉଣୀଙ୍କୁ ଦୀପକ ଜଣାଇଥିଲେ। ପରେ ଅପର୍ଣ୍ଣାଙ୍କୁ SCB ମେଡିକାଲକୁ ନିଆଯାଇଥିବା ନେଇ ସେ କହିଥିଲେ। କିନ୍ତୁ ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଫୋନ୍ ମାଧ୍ୟମରେ ଜାଣିବାକୁ ପାଇଥିଲେ। ଯାହାପରେ ଚିକିତ୍ସା ସମୟରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ କୁହାଯାଇଥିଲା।
୩୯ ବର୍ଷୀୟ ଦୀପକ ଜୁଲାଇ ୨୦୨୪ରେ ୨୫ ବର୍ଷୀୟ ମହିଳା କନଷ୍ଟେବଳଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ। ସେପ୍ଟେମ୍ବର ୬ରେ ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ପରେ ଟଙ୍କା ନେଣଦେଣକୁ ବଚସା ହୋଇଥିଲା। ପରେ ସେ ତାଙ୍କର ଗଳାକାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ସେ ତାଙ୍କ ଘରେ ଥିବା ବୁଟ୍ ସ୍ପେସରେ ମୃତଦେହ ପ୍ୟାକ୍ କରିଥିଲେ ଏବଂ ପରଦିନ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହାୟତାରେ ମୃତଦେହକୁ ପୋତିବା ପାଇଁ ୧୭୦ କିଲୋମିଟର ଗାଡ଼ି ଚଲାଇ କେନ୍ଦୁଝରର ଘଟଗାଁକୁ ଯାଇଥିଲେ। ମୃତଦେହକୁ ଫିଙ୍ଗି ଘଟଗାଁରେ ତାରିଣୀ ମନ୍ଦିର ଦର୍ଶନ କରି ପୂଜା ପାଠ ସାରି ସେ ଫେରିଥିଲେ ଓ ସେପ୍ଟେମ୍ବର ୮ ତାରିଖରେ ନିୟମିତ ଭାବରେ ଡ୍ୟୁଟି ଆସିଥିଲେ।
ପରେ ପୋଲିସ ମାମଲାର ତଦନ୍ତ କରି ତାଙ୍କୁ ସନ୍ଧ୍ୟାରେ ଅଟକ ରଖିଥିଲା। ଦୀପକଙ୍କ ବଡ଼ ଭାଇ ଜଣେ ବିଲ୍ଡର ଓ ଏହି ହତ୍ୟା କରିବା ପାଇଁ ଆଗରୁ ସେ ଯୋଜନା ପ୍ରସ୍ତୁତ କରିଥିବା ନେଇ ଶୁଭମିତ୍ରଙ୍କ ବାପା ଦୂର୍ଯୋଧନ ସାହୁ ଗଣମାଧ୍ୟମକୁ ସାମ୍ନାରେ କହିଛନ୍ତି। ଏଥିସହିତ ତାଙ୍କ ଭଣଜା ଜଣେ ଡାକ୍ତର ହୋଇଥିବା ବେଳେ ଶୁଭମିତ୍ରାଙ୍କୁ ମାରିବା ପୂର୍ବରୁ ତାକୁ ବେହୋସ୍ କରାଯାଇଥିବା ନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି।
Comments are closed.