Latest Odisha News

BREAKING NEWS

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା, ଭାଙ୍ଗିଲା ପୂଜା ତୋରଣ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ ଜୋରଦାର ପବନ ବହିବା ଫଳରେ ଜନଜୀବନ ବ୍ୟାହତ ହୋଇଛି।

ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳର ଡମଣା ଖେଳ ପଡ଼ିଆରେ ନିର୍ମିତ ଏକ ଲକ୍ଷ୍ମୀ ପୂଜା ପେଣ୍ଡାଲ ପ୍ରବଳ ବର୍ଷା ଓ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ପେଣ୍ଡାଲର ସାଜସଜ୍ଜା ଭାଙ୍ଗି ପଡ଼ିବା ସହ ମା’ ଲକ୍ଷ୍ମୀଙ୍କ ୮୦ ଫୁଟ ଉଚ୍ଚର ମୂର୍ତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ।

ସୂଚନା ଅନୁଯାୟୀ, ‘ନର୍ଥ ଭୁବନେଶ୍ୱର ଯୁବ ସଂଘ ଗଜଲକ୍ଷ୍ମୀ ପୂଜା କମିଟି’ ପକ୍ଷରୁ ବାର୍ଷିକ ଉତ୍ସବ ପାଇଁ ଏହି ପେଣ୍ଡାଲ ନିର୍ମାଣ କରାଯାଇଥିଲା। ଖେଳ ପଡ଼ିଆ ନିକଟରେ ଥିବା ଏକ ଆଲୋକ ସଜ୍ଜିତ ତୋରଣ ମଧ୍ୟ ଭାଙ୍ଗି ପଡ଼ିଛି ଏବଂ ପେଣ୍ଡାଲ ପାଖରେ ଥିବା ପୂଜା କମିଟିର କାର୍ଯ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଘଟଣା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପୂଜା କମିଟି ପକ୍ଷରୁ ଭାଙ୍ଗି ପଡ଼ିଥିବା ଢାଞ୍ଚାକୁ ହଟାଇବା ଏବଂ ସେଠାରେ ଜମା ହୋଇଥିବା ଭଙ୍ଗା ଅଂଶଗୁଡ଼ିକୁ ସଫା କରିବା ପାଇଁ ଜେସିବି ଭଳି ଯନ୍ତ୍ରପାତି ଓ କ୍ରେନ୍‌ର ବ୍ୟବହାର କରାଯାଇଥିଲା।

‘ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ବୁଧବାର ଦିନ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ କମିଶନରେଟ୍ ପୋଲିସ ଛକ ନିକଟରେ ଏକ ଗଛର ଡାଳ ଭାଙ୍ଗି ପଡ଼ିଥିଲା।

Leave A Reply

Your email address will not be published.