Latest Odisha News

BREAKING NEWS

ନକଲି ବିଦେଶୀ ମଦ କାରଖାନା ଠାବ ଘଟଣାରେ ବଡ଼ ଖୁଲାସା କଲେ ଅନୁଗୁଳ ଏସ୍‌ପି

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡ଼ାରୁ ନକଲି ବିଦେଶୀ ମଦ କାରଖାନା ଠାବ ଘଟଣା। ଏହି ପ୍ରସଙ୍ଗରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ବଡ଼ ଖୁଲାସା କରିଛନ୍ତି। ଅନୁଗୁଳ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଚଢ଼ାଉ କରି ବଡ଼ ଧରଣର ନକଲି ମଦ କାରଖାନା ଠାବ କରିଛି ବୋଲି ସେ କହିଛନ୍ତି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ହଜାର ହଜାର ବୋତଲ ନକଲି ବିଦେଶ ମଦ ଜବତ ହୋଇଛି।

ଏସ୍‌ପି କହିଛନ୍ତି, ଶିକ୍ଷକପଡ଼ାସ୍ଥିତ ଏକ ଭଡ଼ାଘରେ ଚାଲିଥିବା ନକଲି ମଦ କାରଖାନା ଓ ୨୦ କିଲୋମିଟର ଦୂର କଂସରା ଗାଁସ୍ଥିତ ନକଲି ମଦ ଗୋଦାମରୁ ୫୦୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ ହୋଇଛି। ଏହାସହ ମଦ ତିଆରି ପାଇଁ ବ୍ୟବହାର ହେଉଥିବା ବିପୁଳ ସ୍ପିରିଟ, ରଙ୍ଗ, ଫ୍ଲେଭର, ବିଭିନ୍ନ ମଦ ବ୍ରାଣ୍ଡର ଷ୍ଟିକର, ସିଲ୍, ଲେବେଲ, ଖାଲି ବୋତଲ ମଧ୍ଯ ଜବତ ହୋଇଛି। ନକଲି ମଦ କାରଖାନା ଚାଲୁଥିବା ଭଡ଼ାଘର ଓ ଗୋଦାମକୁ ସିଲ୍ କରିଛି। ନକଲି ମଦ ତିଆରି କରୁଥିବା ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ମଦ କାରବାରର ମାଷ୍ଟର ମାଇଣ୍ଡ ଓ ଏ କାରବାରର ଚେର କେଉଁଠୁ କେଉଁଯାଏ ଲମ୍ବିଛି ସେନେଇ ଖୋଳତାଡ଼ ଜାରି ରହିଛି। ପୋଲିସକୁ ଏନେଇ ବଡ଼ ସୁରାକ ମିଳିଛି। ଖୁବଶୀଘ୍ର ଏହି ନକଲି ମଦ କାରବାରର ଆକାମାନଙ୍କୁ ଧରିବ ଅନୁଗୁଳ ପୋଲିସ। ସୂଚନା ଥାଉକି, ସହର ଭିତରେ ନକଲି ବିଦେଶୀ ମଦ କାରଖାନା ଚାଲିଥିଲା। ଅନୁଗୁଳର ଶିକ୍ଷକପଡ଼ାର ସାଇ ମନ୍ଦିର ନିକଟରେ ହଜାର ହଜାର ବୋତଲ ନକଲି ମଦ ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା। ଏହି ମଦ କାରଖାନା ଉପରେ ଗତକାଲି ଚଢ଼ଉ କରିଥିଲା ପୋଲିସ। ଏହା ସହ ନକଲି ମଦ ଗୋଦାମକୁ ବି ଠାବ କରିଛି। ଉଭୟ ସ୍ଥାନରୁ ପାଖାପାଖି ୫୫୦ ଲିଟର ନକଲି ମଦ ଜବତ ହୋଇଥିଲା ବେଳେ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବହୁ ସାମଗ୍ରୀ ଜବତ ହୋଇଛି। ଏହାସହିତ ୪ ଜଣଙ୍କୁ ଅଟକ ରଖି ଖୋଳତାଡ଼ ଚଳାଇଛି ପୋଲିସ।

Comments are closed.