ଭୁବନେଶ୍ବର: ଡ୍ରଗ୍ସ ଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ । ଅକ୍ଟୋବର ୨ରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ । ପ୍ରଚାର ସମୟରେ ବାର୍ତ୍ତା ପ୍ରସାର ପାଇଁ ପିଆର ଏବଂ ଡିଡବ୍ଲୁ ବିଭାଗ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ସାମିଲ କରାଯିବ । ମଦ୍ୟପାନ କରି ଗାଡ଼ିଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ଆରଟିଓ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ନିଶା ଅପବ୍ୟବହାରର ବିପଦକୁ ମୁକାବିଲା କରିବା ଏବଂ ଏକ ସୁସ୍ଥ, ନିରାପଦ ଏବଂ ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚେତନତା ଏବଂ ପ୍ରବର୍ତ୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ “ଡ୍ରଗ୍ସ ଫ୍ରି ଭୁବନେଶ୍ୱର” ଆୟୋଜନ କରିବ ।
ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୨ ଅକ୍ଟୋବରରେ ଗ୍ରାମସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ନିଶା ସମସ୍ୟା ଉପରେ ଆଲୋଚନା କରାଯିବ। ନିଶାମୁକ୍ତ ଗ୍ରାମ ଗଠନ ପାଇଁ ପ୍ରୟାସ କରିବାକୁ ଗ୍ରାମପଞ୍ଚାୟତମାନଙ୍କୁ ଉତ୍ସାହିତ କରାଯିବ। ସଫଳ ଗ୍ରାମପଞ୍ଚାୟତମାନଙ୍କୁ ସ୍ଥାନିତ କରାଯିବ ଏବଂ ତା’ପରେ, ଶ୍ରେଷ୍ଠ ୩ ଗ୍ରାମପଞ୍ଚାୟତଙ୍କୁ ପୁରସ୍କାର ଘୋଷଣା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏକ ମାସ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା, ସମ୍ମିଳନୀରେ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ କରିବ । ବାଣିଜ୍ୟ ଏବଂ ପରିବହନ, ସ୍କୁଲ ଏବଂ ଗଣଶିକ୍ଷା, ମିଶନ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ,ଏସଏସ ଏବଂ ଇପିଡି, କ୍ରୀଡା ଏବଂ ଯୁବସେବା ବିଭାଗ ସହ ଅବକାରୀ ବିଭାଗ ମିଳିତ ଭାବେ କାର୍ଯ୍ୟକ୍ରମ କରିବେ ।
ଏହା ସହ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ୍ ପ୍ରବନ୍ଧ/ବିତର୍କ ପ୍ରତିଯୋଗିତା ଆୟୋଜନ କରି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।
Comments are closed.