ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ବାତିଲ ପରେ ଏବେ ଏହି ପ୍ରସଙ୍ଗକୁ ନେଇ ଚାରିଆଡେ ଚର୍ଚ୍ଚା ଯୋର ଧରିଛି । ରାଜନୀତିକ ମହଲରେ ବି ବେଶ୍ ଚର୍ଚ୍ଚାରେ ରହିଛି । ସେପଟେ, ବାତିଲ ନିଯୁକ୍ତି ପରୀକ୍ଷାକୁ ନେଇ ସରକାର କଡା ଆଭିମୁଖ୍ୟ ଜାହିର କରିଛନ୍ତି । ଜୁନ୍ ୨୦୨୪ରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ସବୁ ପରୀକ୍ଷାର ବିବରଣୀ ଦେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଚିଠିରେ, ସମସ୍ତ ସରକାରୀ ବିଭାଗ, ଓପିଆରବି, ଓପିଏସସି, ଓଏସଏସସି, ଓଏସଏସବି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣକୁ ଶନିବାର ସୁଦ୍ଧା ବିସ୍ତୃତ ରିପୋର୍ଟ ଇମେଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶନିବାର ଏହି ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ପରେ ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ସଚିବ, ପୁଲିସ ଡିଜି ୱାଇ ବି ଖୁରାନିଆ, ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ଓ ସଦସ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ପରୀକ୍ଷା ବାତିଲ ସମ୍ପର୍କରେ ଓପିଆରବି ଅଧ୍ୟକ୍ଷଙ୍କଠାରୁ ଅବଗତ ହେବା ସହ ଏହି ଦୁର୍ନୀତି ପଛର ମାଷ୍ଟରମାଇଣ୍ଡ କିଏ, ଘଟଣା କିଭଳି ଘଟିଲା, କେଉଁଠି ତ୍ରୁଟି ରହିଲା ତାହା ପଚାରି ବୁଝିଛନ୍ତି ।
ସୂଚନାଯୋଗ୍ୟ, ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି । ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ଚେର ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି । ଆହୁରି ମଧ୍ୟ ଏହା ପଛରେ ବଡ଼ ରାକେଟରେ ହାତ ରହିଥିବା ଜଣାପଡ଼ିଛି । ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ ପରେ ଜେଲ ପଠାଇଦିଆଯାଇଛି । ଏହା ପଛରେ କିଛି ବଡ଼ମୁଣ୍ଡଙ୍କ ଷଡ଼ଯନ୍ତ୍ର ପରିଚାଳିତ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।
Comments are closed.