ଭୁବନେଶ୍ବର: ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଗକୁ ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ ଫି । ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଏବଂ ଭଡ଼ା ଛାଡ଼ ପାଇଁ ରାଜସ୍ୱ ବିଭାଗର ନିଷ୍ପତ୍ତି ହୋଇଛି ।
ଆଗରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କ ଭ୍ୟାଲୁର ୧ ପ୍ରତିଶତ ଦେବାକୁ ପଡୁଥିଲା । ଆଉ କିସମ ପରିବର୍ତ୍ତନ ପାଇଁ ଯେତିକି ଫି ଦେବାକୁ ପଡୁଥିଲା ତାର ୧ ପ୍ରତିଶତ ଭଡ଼ା ମଧ୍ୟ ଦେବାକୁ ପଡୁଥିଲା । ଏବେ ଏହି ଦୁଇଟି ଯାକ ସରକାର ଛାଡ଼ କଲେ ବୋଲି ମନ୍ତ୍ରୀ କହିଛନ୍ତି ।
ଯେଉଁ କ୍ଷୁଦ୍ର ଲଘୁ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ଥିବେ ଏବଂ ଜିଲ୍ଲା କମିଟି ଅନୁମୋଦିତ ହୋଇଥିବେ ସେମାନେ ଏହି ସୁବିଧା ପାଇପାରିବେ । ତେବେ ଉଦ୍ୟୋଗୀମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
Comments are closed.