କଟକ: ସଡ଼କ ସୁରକ୍ଷା ସଚେତନତାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ପରିବହନ ବିଭାଗର ବିଭିନ୍ନ ଲୋକାଭିମୁଖୀ ସୂଚନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଷ୍ଟଲ୍ ସ୍ଥାପନ କରାଯାଇଛି । ଏହି ଷ୍ଟଲଟିକୁ ଆଜି ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉଦଘାଟନ କରିଛନ୍ତି । ଉଷା ପାଢ଼ୀ ଷ୍ଟଲ ବୁଲି ଦେଖିଥିଲେ ଏବଂ ଏଠାରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ପ୍ରଶଂସା କରିଥିଲେ ।
ଏହି ଷ୍ଟଲରେ ସଡ଼କ ସୁରକ୍ଷା ସଚେତନତା ସହ ଇ-ଚାଲାଣରେ ଓଟିଏସ (OTS) ଯୋଜନା, ପଞ୍ଜିକୃତ ଯାନ ସ୍କ୍ରାପିଂ କେନ୍ଦ୍ରରେ ମିଳୁଥିବା ସୁବିଧା, ନିଶୁଳ୍କରେ ଭାରୀଯାନ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଏହାସହ ବାଣିଜ୍ୟ ଓ ପରିବହନ ବିଭାଗରେ ପରିବହନ ସମ୍ବନ୍ଧୀୟ ଅନ୍ୟ ସମସ୍ତ ପ୍ରମୁଖ ଯୋଜନାଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏଥିସହ ଜନସାଧାରଣଙ୍କୁ ଆକୃଷ୍ଟ କରିବା ପାଇଁ ସଡ଼କ ସୁରକ୍ଷା ହ୍ୱିଲ୍ ଗେମ୍ , ସେଲ୍ଫି ପଏଣ୍ଟ ଏବଂ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ଭାଗ୍ୟଶାଳୀ ବିଜେତାଙ୍କୁ ହେଲମେଟ୍ ପ୍ରଦାନ କରାଯିବ । ଏହାସହ ଗାଡ଼ି ଚାଳନା ଦକ୍ଷତା ବୃଦ୍ଧି ପାଇଁ ସିମୁଲେଟର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଷ୍ଟଲକୁ ଉଦଘାଟନ କରିବା ସହ ଉଷା ପାଢ଼ୀ ମଧ୍ୟ କହିଥିଲେ, ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ନିରନ୍ତର ପଦକ୍ଷେପ ନିଆଯାଉଛି। ଶୂନ ଦୁର୍ଘଟଣା ଦିବସ ଓ ଶୂନ ମୃତାହତ ପକ୍ଷ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହା ସହ ଗାଡ଼ି ଚାଳକଙ୍କ ଦକ୍ଷତା ବୃଦ୍ଧି, ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଅଭ୍ୟାସ ସୃଷ୍ଟି କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି।
ଏହି ଅବସରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣମାନଙ୍କୁ ନେଇ ହ୍ୱିଲ୍ ଗେମ୍ ଅନୁଷ୍ଠିତ ହୋଇଥିଲା । ସଠିକ୍ ଉତ୍ତରଦାତାମାନଙ୍କୁ ହେଲମେଟ୍ ଉପହାର ପ୍ରଦାନ କରାଯାଇଥିଲା ।
ପରିବହନ ବିଭାଗର ସ୍ୱତନ୍ତ୍ର ଷ୍ଟଲକୁ ଉଦଘାଟନ ଅବସରରେ ପରିବହନ ଆୟୁକ୍ତ ଅମିତାଭ ଠାକୁର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ , ସିଏମସି କମିସନର କିରଣଦୀପ କୌର ସହୋତା, କଟକ ଗ୍ରାମାଞ୍ଚଳ ଏସପି ଭିନିତ୍ ଅଗ୍ରୱାଲ, ଆରଟିଓ ବିଶ୍ୱଜିତ ଦାଶଙ୍କ ସହ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.